ଉଦଳା: ହାଟ୍ରିକ ପାଇଁ ବିଜେଡ଼ିର ଉଦ୍ୟମ

Mar 25, 2019 - 05:37
 134
ବାରିପଦା ,୨୫/୩(ସକାଳଖବର): ଅବିଭକ୍ତ ମୟୂରଭଞ୍ଜ ଜିଲ୍ଲାର ୩୧ନଂ-ଉଦଳା(ଅନୁସୂଚିତ ଜନଜାତି) ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏପ୍ରିଲ ୨୯ରେ ୪ର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବ । ହେଲେ ବର୍ତମାନ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀରୁ କିଏ ପ୍ରାର୍ଥୀ ହେବ ତାହା ସ୍ପଷ୍ଟ ହୋଇନାହିଁ । ୩ ପ୍ରମୁଖ ରାଜନୈତିକ ଦଳ ବିଜଦ, ଭାଜପା, କଂଗ୍ରେସରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜାରି ରହିଛି । ସମସ୍ତ ରାଜନୈତିକ ଦଳରେ ଆଶାୟୀମାନଙ୍କର ଜୋରଦାର ଲବି ଚୟନ ପ୍ରକ୍ରିୟାକୁ ବିଳମ୍ବିତ କରାଉଛି । ଉଦଳା ଏନଏସିର ୧୨ ୱାଡର଼୍ ସହିତ ଉଦଳା ବ୍ଲକର ୧୨ ପଂଚାୟତ ଅଧୀନରେ ଥିବା ୧୭୦ଟି ୱାଡର଼୍, ଗୋପବନ୍ଧୁନଗର ବ୍ଲକର ୧୩ ଟି ପଂଚାୟତ ଅଧିନରେ ଥିବା ୧୭୧ ୱାଡର଼୍ ଏବଂ କପ୍ତିପଦା ବ୍ଲକର ୧୯ଟି ପଂଚାୟତ ଅଧୀନରେ ଥିବା ୧୨୧ଟି ୱାଡର଼୍ ମଧ୍ୟରେ ବସବାସ କରିଥିବା ୨୦୧୯ ଜାନୁଆରୀ ୨୧ରେ ପ୍ରକାଶିତ ଭୋଟର ତାଲିକା ଅନୁସାରେ ୯୪,୩୫୦ ପୁରୁଷ, ୯୪,୨୯୪ ମହିଳା ଓ ୨ ଅନ୍ୟାନ୍ୟ ଏହିପରି ମୋଟ ୧,୮୮,୬୪୬ ଭୋଟରଙ୍କୁ ନେଇ ଗଠିତ ମୟୂରଭଞ୍ଜ ଜିଲ୍ଲାର ୩୧ନଂ ଉଦଳା(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀ । ଅତୀତରେ ଉକ୍ତ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ୭ଥର ବିଜୟୀ ହୋଇଥିବା ବେଳେ ୨୦୦୦ ଓ ୨୦୦୯ ବିଜେଡି-ବିଜେପି ମେଂଟ ସରକାରରେ ବିଜେପି ୨ଥର, ୨୦୦୯ ଓ ୨୦୧୪ରେ ବିଜେଡ଼ି ୨ ଥର ; ପ୍ରଜାସୋସିଆଲିଷ୍ଟ ପାର୍ଟି, ଜନକଂଗ୍ରେସ, ଜନତା ପାର୍ଟି ଓ ଜନତାଦଳ ପ୍ରତ୍ୟେକେ ଥରେ ଲେଖାଏଁ ନିର୍ବାଚିତ ହୋଇଛନ୍ତି । ଗତ ୨୦୦୯ ନିର୍ବାଚନରେ ବିଜେଡ଼ି ପ୍ରଥମ ଥର ଏକାକୀ ନିର୍ବାଚନ ଲଢ଼ିଥିଲା ଏବଂ ବିଜେଡ଼ି ପ୍ରାର୍ଥୀ ଶ୍ରୀନାଥ ସୋରେନ ୩୫.୪୯ ପ୍ରତିଶତ ହାରରେ ୪୦,୫୯୭ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସ ପ୍ରାର୍ଥୀ ଅନଙ୍ଗ ଚରଣ ସେନାପତିଙ୍କୁ ୧୧,୧୯୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀସେନାପତି ୨୫.୭୧ ପ୍ରତିଶତ ହାରରେ ୨୯,୪୦୪ ଖଣ୍ଡ ଭୋଟ ପାଇ ଦ୍ୱିତୀୟ, ବିଜେପି ପ୍ରାର୍ଥୀ ବିଜୟ କୁମାର ସେନାପତି ୧୨.୬୫ ପ୍ରତିଶତ ହାରରେ ୧୪,୪୭୨ ଖଣ୍ଡ ଭୋଟ ପାଇ ତୃତୀୟ ଓ ଜେଏମଏମ ପ୍ରାର୍ଥୀ ଦୁଲାଲ ସୋରେନ ୧୧.୧୪ ପ୍ରତିଶତ ହାରରେ ୧୨,୭୩୭ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ । ପରବର୍ତି ସମୟରେ ବିଧାୟକ ଶ୍ରୀସୋରେନ ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ନିକଟରୁ ନିଜକୁ ଦୂରେଇ ଗଲେ । ଜନସାଧାରଣଙ୍କ ସୁବିଧାଅସୁବିଧାରେ ନିଜକୁ ସାମିଲ କରାଇବା ପରିବର୍ତେ ସେମାନଙ୍କୁ ସାକ୍ଷାତ ଦେବାକୁ ଆଗ୍ରହ ପ୍ରକାଶ କଲେ ନାହିଁ । ଫଳରେ ନିର୍ବାଚନ ମଣ୍ଡଳୀରେ ଜନଅସନ୍ତୋଷ ଉଗ୍ରରୂପ ନେଇଥିଲା । ଏଥି ସହିତ ଦଳରେ ଗୋଷ୍ଠୀ ଚରମ ସୋପାନରେ ପହଂଚିିଯାଇଥିଲା । ମୁକୁ ଓରଫ ମନୋଜ ମହାନ୍ତି ଓ ବିଧାୟକ ଶ୍ରୀନାଥ ସୋରେନ ଗୋଷ୍ଠୀ ମଧ୍ୟରେ ବଳ କଷାକଷି ଓ ଟଣାଓଟରା ଆରମ୍ଭ ହୋଇଯାଇଥିଲା । ପ୍ରାୟ ୨୦୧୩ ଉଦଳା ଏନଏସି ନିର୍ବାଚନରେ ବିଧାୟକ ଶ୍ରୀସୋରେନ ବିଜେଡ଼ି ପ୍ରାର୍ଥୀ ଚୟନ କରି ଟିକଟ ବାଂଟିଥିବା ବେଳେ ବିଜେଡ଼ି ବିରୋଧରେ ସମାନ୍ତର ଭାବେ ଶ୍ରୀମହାନ୍ତି ସ୍ୱାଧୀନ ପ୍ରାର୍ଥୀ ଛିଡ଼ା କରଇଲେ । ବିଜେଡ଼ି ପ୍ରାର୍ଥୀଙ୍କ ସପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ଖୁଦ ପ୍ରଚାରରେ ଆସିଥିଲେ ମଧ୍ୟ ବିଜେଡ଼ି ଖାତା ଖୋଲିବା ଦୂରର ବିଷୟ ପ୍ରତିଦ୍ୱନ୍ଦିତା ପରିସର ମଧ୍ୟକୁ ଆସିପାରିଲା ନାହିଁ । ବିଜେଡ଼ିରେ ଏହି ଗୋଷ୍ଠୀ ବିବାଦରୁ ଫାଇଦା ଉଠାଇଥିଲା ବିଜେପି ଏବଂ ଉଦଳା ଏନଏସିକୁ ନିଜ ଦଖଲକୁ ନେଇବାରେ ସଫଳ ହୋଇଥିଲା । ନିର୍ବାଚନରେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ମୁକୁ ମହାନ୍ତିଙ୍କ ସ୍ୱାଧୀନ ପ୍ରାର୍ଥୀ ୫ଟି ୱାଡର଼୍କୁ ଦଖଳ କରିଥିବା ବେଳେ ବିଜେପି୪, କଂଗ୍ରେସ ୨ ଓ ଅନ୍ୟ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ । ବିଜେପି, କଂଗ୍ରେସ ଓ ଅନ୍ୟ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ମେଂଟ ହୋଇ ଏନଏସିକୁ ବିଜେପି ନିଜ ଅକ୍ତିଆରରେ ରଖିବାରେ ସଫଳ ହୋଇଥିଲା । ଉଦଳାରେ ବିଜେଡ଼ିରେ ଏହି ପ୍ରକାରର ଦୟନୀୟ ଅବସ୍ଥା କାରଣରୁ ୨୦୧୪ ନିର୍ବାଚନରେ ବିଧାୟକ ଶ୍ରୀସୋରେନଙ୍କୁ ବାଦ ଦିଆଯାଇ ବିଜେପି ଛାଡ଼ି ବିଜେଡ଼ିର ହାତ ଧରିଥିବା ପୂର୍ବତନ ମନ୍ତ୍ରୀ ଗୋଲକ ନାୟକଙ୍କୁ ଦଳୀୟ ଟିକଟ ମିଳିଥିଲା । ନିର୍ବାଚନରେ ଶ୍ରୀନାୟକ ୩୬.୫୧ ପ୍ରତିଶତ ହାରରେ ୪୯,୬୨୮ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀ ଭାସ୍କର ମଢେ଼ଇଙ୍କୁ ୮,୫୨୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ନିର୍ବାଚନରେ ଶ୍ରୀ ମଢେ଼ଇ ୪୧,୦୯୯ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏଥି ସହିତ କଂଗ୍ରେସ ୧୭.୧୭ ପ୍ରତିଶତ ହାରରେ ୨୩,୩୪୫ ଖଣ୍ଡ ଭୋଟ ପାଇ ତୃତୀୟ ଓ ଜେଏମଏମ ୧୧.୩୪ ପ୍ରତିଶତ ହାରରେ ୧୫,୪୧୭ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ । ପରବର୍ତି ସମୟରେ ବିଧାୟକ ଶ୍ରୀ ନାୟକଙ୍କ ସ୍ୱାସ୍ଥ୍ୟଗତ ଅସୁସ୍ଥତା କାରଣରୁ ରାଜନୀତିରେ ସକ୍ରିୟ ହୋଇପାରିଲେ ନାହିଁ । ତେଣୁ ୨୦୧୯ ନିର୍ବାଚନରେ ବିଜେଡ଼ି ନୂଆ ମୁହଁ ସନ୍ଧାନରେ ରହିଥିବା ବେଳେ ତାଙ୍କ ସ୍ଥାନକୁ କିଏ ପୂରଣ କରିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡ଼ିରୁ ଟିକଟ ହାତେଇବା ଲବିରେ ୨୦୧୪ ନିର୍ବାଚନରେ ଟିକଟ ପାଇବାରୁ ବଂଚିତ ହୋଇଥିବା ବିବାଦୀୟ ପୂର୍ବତନ ବିଧାୟକ ଶ୍ରୀସୋରେନ ପୁଣି ଥରେ ସାମିଲ ହୋଇଛନ୍ତି । ତେବେ ସର୍ବାଗ୍ରେ ଡ଼ା. ମନୋରଞ୍ଜନ ମଲ୍ଲିକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଭାସ୍କର ବିଶ୍ୱାଳ ପ୍ରମୁଖଙ୍କ ନାମ ରହିଥିବା ବେଳେ ତଳକୁ ଦୁଲାଲ ସୋରେନ, ବାସେନ ମାର୍ଣ୍ଡି ଆଦି ବହୁ ଆଶାୟୀ ରେସରେ ରହିଛନ୍ତି । ତେବେ ବିଜେଡ଼ିକୁ କୁମ୍ଭୀର ନେଇ ମଝି ନଦୀରେ ପହଂଚାଇ ସାରିଥିବା ବେଳେ ଦଳୀୟ ଗୋଷ୍ଠୀ ବିବାଦ ଥମୁ ନଥିବା ବିଷୟକୁ ନେଇ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି ଏବଂ ୨୦୧୯ରେ ବିଧାୟକ ଶ୍ରୀନାୟକଙ୍କ ସ୍ଥାନ କିଏ ନେବ ଏହାକୁ କେନ୍ଦ୍ର କରି ବିଜେଡ଼ି ଦଳରେ ଏକ ପ୍ରତିଯୋଗିତା ଆରମ୍ଭ ହୋଇଥିବାର ପରିଲକ୍ଷିତ ହୋଇଛି ଓ ଏହା ହାଇକମାଣ୍ଡଙ୍କ ନିମନ୍ତେ ମୁଣ୍ଡ ବ୍ୟଥାର ମୁଖ୍ୟ କାରଣ ପାଲଟିଛି ।