ଆସନ୍ତାକାଲି ଐତିହ୍ୟ କ୍ୟାବିନେଟ୍ ର ପ୍ରଥମ ବୈଠକ
ଭୁବନେଶ୍ୱର,୨୬/୦୭ (ସକାଳଖବର): ଆସନ୍ତାକାଲି ଐତିହ୍ୟ କ୍ୟାବିନେଟ୍ ର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଶୁକ୍ରବାର ସନ୍ଧ୍ୟାରେ ସଚିବାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ ।ଐତିହ୍ୟ କ୍ୟାବିନେଟର ସଦସ୍ୟ ଥିବା ୭ଟି ବିଭାଗର ମନ୍ତ୍ରୀ ଉକ୍ତ ବୈଠକରେ ଉପସ୍ଥିତ ରହିବେ । ସେମାନେ ହେଲେ ଅର୍ଥ ମନ୍ତ୍ରୀ ଶଶି ଭୂଷଣ ବେହେରା , ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା , ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ , ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ।
ବୈଠକରେ ୬ଟି ଏଜେଣ୍ଡା ଉପରେ ଅ ।ଲୋଚନା ହେବ ବୋଲି ଜଣାପଡ଼ିଛି । ସଂସ୍କୃତି ବିଭାଗର ୫ଟି ଏଜେଣ୍ଡା ଥିଲା ବେଳେ ଉଚ୍ଚଶିକ୍ଷା ବିଭାଗର ଗୋଟିଏ ଏଜେଣ୍ଡା ରହିଛି । ରାଜ୍ୟରେ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରସ୍ତୁତ କରିବା ପାଇଁ ଏକ ପ୍ରସ୍ତାବକୁ କ୍ୟାବିନେଟ୍ ସ୍ୱୀକୃତି ମିଳିବାର ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ ଯେ ଗତ ୨୦୧୭ ଡିସେମ୍ବର ୨୬ରେ ପୁରୀରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ "ଐତିହ୍ୟ କ୍ୟାବିନେଟ୍' ଗଠନ ନେଇ ନିଷ୍ପତି ହୋଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଅ ।ବାହକ ରହିବେ ଓ ସଂପୃକ୍ତ ସମସ୍ତ ବିଭାଗର ସଚିବମାନେ ସ୍ୱତନ୍ତ୍ର ନିମନ୍ତ୍ରିତ ଭାବେ କ୍ୟାବିନେଟ୍ ବୈଠକରେ ଯୋଗ ଦେବେ ।