ଆତ୍ମସମର୍ପଣ କଲେ ଶିଳ୍ପପତି ମହିମା ମିଶ୍ର

Sep 19, 2018 - 12:15
 225
ଆତ୍ମସମର୍ପଣ କଲେ ଶିଳ୍ପପତି ମହିମା ମିଶ୍ର
ଭୁବନେଶ୍ୱର, ୧୯/୯ (ସକାଳଖବର):ପାରାଦୀପ ସିୱେଜ ସିପିଙ୍ଗ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡର ଜେନେରାଲ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତ ଶିଳ୍ପପତି ମହିମା ମିଶ୍ର ବୁଧବାର କୁଜଙ୍ଗ ଜେଏମଏଫସି କୋର୍ଟରେ ଆତ୍ମ ସମର୍ପଣ କରିବା ପରେ ସେ ଜେଲ ଯାଇଛନ୍ତି। ଏହା ପରେ ତାଙ୍କୁ ସମାଗୋଳ ଜେଲ୍ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଗତ ଜୁଲାଇ ୧୬ରେ ଓଡିଶା ହାଇକୋର୍ଟରୁ ମିଳିଥିବା ଜାମିନକୁ ଗତକାଲି ମାନ୍ୟବର ସୁପ୍ରିମକୋର୍ଟ ଖାରଜ କରିବା ପରେ ଶ୍ରୀ ମିଶ୍ର ଆଜି ଆତ୍ମସମର୍ପଣ କରିଥିଲେ। ମାମଲା ବିଚାର ପୂର୍ବରୁ ଓ ସମୟରେ ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯିଆ ନ ପାରେ ବୋଲି ସୁପ୍ରିମକୋର୍ଟ ରାୟରେ ପ୍ରକାଶ କରିଛନ୍ତି । ଓଡିଶା ହାଇକୋର୍ଟ ଜାମିନ ପ୍ରଦାନ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ଓ ପରିସ୍ଥିତିକୁ ଆକଳନ କରିବାରେ ବିଫଳ ରହିଥିବା ମଧ୍ୟ ରାୟରେ ପ୍ରକାଶ ପାଇଛି। ମହିମାଙ୍କ ବ୍ୟାବସାୟିକ ପ୍ରଭାବ ଓ ଆଇନ ବ୍ୟବସ୍ଥାକୁ ଏଡାଇଯିବା ପାଇଁ ତାଙ୍କ ଉଦ୍ୟମର ଇତିହାସକୁ ଓଡ଼ିଶା ହାଇକୋର୍ଟ ଆଡ଼େଇଯିବା ନେଇ ସୁପ୍ରିମକୋର୍ଟ ଆଶ୍ଚର୍ୟ୍ୟ ପ୍ରକାଶ କରିଛନ୍ତି। ଏପରିକି ସାକ୍ଷୀ ପ୍ରମାଣ ତଥ୍ୟାବଳୀକୁ ସଠିକ୍‌ ଭାବେ ତର୍ଜମା କରାଯାଇନାହିଁ ବୋଲି ସୁପ୍ରିମକୋର୍ଟ ଟିପପଣୀ କରିଛନ୍ତି।