ଆଇସିସି ଅଧ୍ୟକ୍ଷ ଭାବେ ପୁନଃନିର୍ବାଚିତ ହେଲେ ଶଶାଙ୍କ ମନୋହର

May 16, 2018 - 14:11
 149
ଆଇସିସି ଅଧ୍ୟକ୍ଷ ଭାବେ ପୁନଃନିର୍ବାଚିତ ହେଲେ ଶଶାଙ୍କ ମନୋହର
ନୂଆଦିଲ୍ଲୀ,: କ୍ରମାଗତ ୨ୟ ଥର ପାଇଁ ଭାରତର ଶଶାଙ୍କ ମନୋହର ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)ର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ମନୋହର ନିଦ୍ୱର୍ନ୍ଦ୍ୱରେ ଆନ୍ତର୍ଜାତିକ କ୍ରିକେଟ ପରିଚାଳନା ପରିଷଦ ଆଇସିସିର ଅଧ୍ୟକ୍ଷ ଭାବେ ପୁନଃନିର୍ବାଚିତ ହୋଇଛନ୍ତି। ଆଇସିସି ପକ୍ଷରୁ ମିଳିଥିବା ପ୍ରେସ୍‍ ଇସ୍ତାହାର ଜରିଆରେ କୁହାଯାଇଛି ଯେ ଆଇସିସିର ଅଧ୍ୟକ୍ଷ ଭାବେ ଏକମାତ୍ର ପାର୍ଥୀ ଭାବେ ଆଇସିସି ବୋର୍ଡ ମନୋହରଙ୍କ ନାମର ପ୍ରସ୍ତାବ ଦେଇଥିଲା; ଯାହା ସର୍ବସମ୍ମତ ଭାବେ ଗୃହୀତ ହୋଇଯାଇଛି। ୨୦୨୦ ପର୍ୟ୍ୟନ୍ତ ମନୋହର ଏହି ପଦରେ ରହିବେ। ସୂଚନାଯୋଗ୍ୟ; ୨୦୧୬ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ଶଶାଙ୍କ ମନୋହର ପ୍ରଥମଥର ପାଇଁ ଆଇସିସିର ଇଣ୍ଡିପେଣ୍ଡେଣ୍ଟ ଅଧ୍ୟକ୍ଷ ବା ସ୍ୱତନ୍ତ୍ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ଏହି ୨ ବର୍ଷର କାର୍ୟ୍ୟକାଳ ମଧ୍ୟରେ ଆଇସିସିରେ ବହୁତ ସଂସ୍କାରମୂଳକ କାର୍ୟ୍ୟ ହୋଇଥିଲା। ତାଙ୍କ କାର୍ୟ୍ୟକାଳ ସମୟରେ ମନୋହର ଆଇସିସିର ପୂର୍ବ ବ୍ୟବସ୍ଥାରେ ପରିବର୍ତ୍ତନ କରି ପ୍ରଶାସନିକ ସଂସ୍କାର ଆଣିଥିଲେ। ଏଥିରେ ପ୍ରମୁଖ ଥିଲା ଆଇସିସିର ପ୍ରଥମ ମହିଳା ନିର୍ଦେଶିକା ନିଯୁକ୍ତ କରିବା ଏବଂ ଆନ୍ତର୍ଜାତିକ କ୍ରିକେଟ ବ୍ୟବସ୍ଥାରେ ପରିବର୍ତ୍ତନ କରି କ୍ରିକେଟ୍‍କୁ ଅଧିକ ପରିବ୍ୟାପ୍ତ କରିବା। ଫଳରେ ଅଧିକରୁ ଅଧିକ ଦେଶ ଆଇସିସିର ସହଯୋଗୀ ଦେଶ ପାଲଟିଲେ; ଯାହାର ସଂଖ୍ୟା ଏବେ ଶହେ ଅତିକ୍ରମ କରିଛି। ପୁଣି ମନୋହରଙ୍କ ସମୟରେ ଆଫ୍‍ଗାନିସ୍ତାନ ଓ ଆୟରଲାଣ୍ଡକୁ ଟେଷ୍ଟ ଦେଶର ମାନ୍ୟତା ମିଳିଥିଲା। ଆଇସିସିି ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହେବା ପରେ ୬୧ ବର୍ଷ ବୟସ୍କ ଶଶାଙ୍କ ମନୋହର କହିଛନ୍ତି, ଆନ୍ତର୍ଜାତିକ କ୍ରିକେଟ ପରିଷଦର ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହେବା ଏକ ବଡ଼ ସମ୍ମାନ। ମୋ ପ୍ରତି ସମର୍ଥନ ବଜାୟ ରଖିଥିବା ଯୋଗୁଁ ସାଥୀ ନିର୍ଦେଶକଙ୍କୁ ଧନ୍ୟବାଦ ଦେଉଛି। ଗତ ୨ ବର୍ଷରେ ଆମେ ମିଳିମିଶି ବହୁତ ଆଗକୁ ବଢ଼ିପାରିଛୁ। ୨୦୧୬ରେ ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ; ତାହା ପାଳନ କରିଛୁ। ଆଗାମୀ ୨ ବର୍ଷରେ ଆମେ କ୍ରିକେଟ୍‍କୁ ସାରାବିଶ୍ୱରେ ପରିବ୍ୟାପ୍ତ କରିବୁ। କ୍ରିକେଟ୍‍ର ସ୍ୱାସ୍ଥ୍ୟ ଏବେ ଭଲ ଅଛି ଏବଂ କ୍ରିକେଟ୍‍ର ରକ୍ଷକ ଭାବେ ଆମେ ଏହାକୁ ବଜାୟ ରଖିବାକୁ ପ୍ରୟାସ କରିବୁ।