ଚାଷୀଙ୍କ ବିକ୍ଷୋଭ ଉପରେ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

Oct 4, 2021 - 10:17
 93
ଚାଷୀଙ୍କ ବିକ୍ଷୋଭ ଉପରେ ପ୍ରଶ୍ନ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦୀର୍ଘ ୧୧ ମାସ ହେଲା କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀମାନେ କରୁଥିବା ଆନ୍ଦୋଳନ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ରବିବାର ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଚାଷୀ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ଚିନ୍ତା ମଧ୍ୟ ପ୍ରକଟ କରିଛନ୍ତି। ଚାଷୀମାନେ ଆଇନକୁ ଚ୍ୟାଲେଞ୍ଜ କରିବା ପରେ କାହିଁକି ପୁଣି ବିକ୍ଷୋଭ କରୁଥିବା ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ଦିଲ୍ଲୀର ଯନ୍ତରମନ୍ତର ଠାରେ ବିକ୍ଷୋଭ କରିବାକୁ ଚାହୁଁଛନ୍ତି। ଅନୁମତି ପାଇଁ ସେମାନେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହାର ଶୁଶାଣି ଆଜି ସୁପ୍ରିମକୋର୍ଟରେ ଚାଲିଥିବା ବେଳେ ଲଖିମପୁର ଖେରି ହିଂସାକାଣ୍ତ କଥା ଉଠିଥିଲା। ଏହି ସମୟରେ କୋର୍ଟ କହିଥିଲେ ଯେ ଯେତେବେଳେ ଚାଷୀମାନେ କୋର୍ଟରେ କୃଷି ଆଇନକୁ ଚ୍ୟାଲେଞ୍ଜ କରିଛନ୍ତି, ସେତେବେଳେ କାହିଁକି ଏହା ବିରୋଧରେ ବିକ୍ଷୋଭ କରୁଛନ୍ତି? କୃଷି ଆଇନର କାର୍ଯ୍ୟକାରିତା ଉପରେ କୋର୍ଟ ରୋକ ଲଗାଇଛନ୍ତି। ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ତଥାପି ବିକ୍ଷୋଭ କ’ଣ ପାଇଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ କୋର୍ଟକୁ କହିଥିଲେ, “ଯେତେବେଳେ ଆଇନର ଶୁଣାଣି ଚାଲିଛି, ସେତେବେଳେ ଏହା ବିରୋଧରେ ବିକ୍ଷୋଭ ହୋଇପାରିବ ନାହିଁ। ଆଗକୁ କୃଷି ଆଇନ ବିରୋଧରେ କୌଣସି ବିକ୍ଷୋଭ ସମାବେଶ ହେବା କଥା ନୁହେଁ। କାରଣ ବିକ୍ଷୋଭ ବେଳେ ଦୁର୍ଭାଗ୍ୟଜନ ଘଟଣା ଘଟୁଛି। ଏହାର ଉଦାହରଣ ଭାବେ ରବିବାର ଲଖିମପୁର ଖେରିରେ ଘଟିଥିବା ଘଟଣାକୁ ନିଆଯାଇପାରେ।”