ଅସୁସ୍ଥ ହାତୀ ଶାବକର ମୃତୁ୍ୟ

Feb 23, 2019 - 19:16
 158
ଅସୁସ୍ଥ ହାତୀ ଶାବକର ମୃତୁ୍ୟ
ବାରିପଦା;୨୩/୦୨(ସକାଳଖବର): ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର କମ୍ପାଟମେଣ୍ଟ ଟିଏଲ. ୧ରେ ଥିବା କେନ୍ଦୁମୁଣ୍ଡିସ୍ଥିତ ଚତୁରୀପାହାଡ଼ ନିକଟରେ ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ଏକ ୫ ବର୍ଷର ଅଣ୍ଡିରା ହାତୀ ଛୁଆର ଗତକାଲି ମୃତୁ୍ୟ ହୋଇଥିଲା । ଆଜି ଉକ୍ତ ମୃତ ହାତୀ ଶାବକର ବ୍ୟବଚ୍ଛେଦ କରାଯାଇଛି । ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ତଥା ପରିବେଶବିତ୍ ଭାନୁ ମିତ୍ର ଆଚାର୍ଯ୍ୟଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ବନ କର୍ମଚାରୀମାନେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପାଦରେ ଚାଲିଚାଲି ପେଟ୍ରୋଲିଂ କରୁଥିବା ବେଳେ ଏକ ହାତୀ ଶାବକ ଅସୁସ୍ଥ ଅବସ୍ଥାରେ ତଳେ ପଡ଼ିରହିଛି ଏବଂ ଏହାକୁ ୪/୫ଟି ଘେରି ରହିଥିବାର ଦେଖିବାକୁ ପାଇଥିଲେ । ଖବର ପାଇ ବନ ବିଭାଗୀୟ ପଦାଧିକାରୀ ଓ ଅଧିକାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ଅସୁସ୍ଥ ହାତୀ ଶାବକର ଚିକିତ୍ସା କରିବା ନିମନ୍ତେ ଉଦ୍ୟମ କରିଥିଲେ । ମାତ୍ର ଘେରି ରହିଥିବା ହାତୀ ହାତୀ ଶାବକ ନିକଟକୁ କାହାକୁ ନଛାଡ଼ି ଦୌଡ଼ାଇବା ଆରମ୍ଭ କରିଥିଲେ । ଏଥିରେ ବନ କର୍ମଚାରୀ ବନମାଳି ସାହୁ ଆହତ ମଧ୍ୟ ହୋଇଥିଲେ । କରଞ୍ଜିଆ ଏସିସିଏଫ ବଟକୃଷ୍ଣ ପାଢ଼ୀଙ୍କ ଉଦ୍ୟମ କ୍ରମେ ହାତୀମାନେ ଶାବକକୁ ଛାଡ଼ି ଜଙ୍ଗଲ ଭିତରକୁ ପଳାଇବା ପରେ ସାଥୀରେ ଯାଇଥିବା କେନ୍ଦୁମୁଣ୍ଡି ଭିଏସ ଲିଙ୍ଗରାଜ ମହାନ୍ତ, ଭିଏସ ଡ଼ବ୍ଲୁ୍ୟଟିଆଇ ଡ଼ା. ଖାନିନ ଚାଙ୍ଗମାଇ(ଏସଟିଆର) ପ୍ରମୁଖ ଅସୁସ୍ଥ ହାତୀ ଶାବକର ଚିକିତ୍ସା ଆରମ୍ଭ କରିଥିଲେ । ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା ଏବଂ ହାତୀ ଶାବକର ମୃତୁ୍ୟ ହୋଇଥିଲା । ଡ଼ାଇରିଆ ରୋଗରେ ପିଡ଼ିତ ହୋଇ ହାତୀ ଶାବକର ମୃତୁ୍ୟ ହୋଇଥିବାର ସନେ୍ଦହ କରାଯାଇଛି । ତେବେ ଡ଼ାକ୍ତର ଓ ବନ କର୍ମଚାରୀମାନଙ୍କ ଉପସ୍ଥିତିରେ ମୃତ ହାତୀ ଶାବକର ବ୍ୟବଚ୍ଛେଦ କରାଯାଇଛି ଏବଂ ଏକ ସେମ୍ପଲ ସଂଗ୍ରହ କରାଯାଇ ଭୂବନେଶ୍ୱରସ୍ଥିତ ଓୟୁଏଟିକୁ ପରୀକ୍ଷା ନିମନ୍ତେ ମଧ୍ୟ ପଠାଇ ଦିଆଯାଇଛି ବୋଲି ଶ୍ରୀଆଚାର୍ଯ୍ୟ କହିଛନ୍ତି ।