ଅରୁଣଙ୍କୁ ମୟୂରଭଞ୍ଜରେ ବିରୋଧ କରାଯିବ

Nov 17, 2018 - 18:19
 170
ଅରୁଣଙ୍କୁ ମୟୂରଭଞ୍ଜରେ ବିରୋଧ କରାଯିବ
ବାରିପଦା, ୧୭/୧୧ (ସକାଳଖବର): ୨୦୧୮ ମେ ୨୯ ପୂର୍ବାହ୍ନରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ତକ୍ରାଳୀନ ଛାତ୍ର ସଂସଦ ସଭାପତି ତୁଷାର କୁମାର ନାୟକଙ୍କୁ ବାରିପଦା ପ୍ରକ୍ଷଣ ଗୃହରେ ବିଜଦର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଉଠ୍ବସ୍ କରାଇଥିବା ବିଷୟକୁ ନେଇ ଛାତ୍ର ସଭାପତି ତୁଷାର ନାୟକ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ଜିଲ୍ଲା ଓ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା । ଏଥି ସହିତ ବୈଦୁ୍ୟତିକ ଗଣମାଧ୍ୟମ ଓ ଛପା ଖବରକାଗଜରେ ମଧ୍ୟ ରୋଚକ ଖବର ପ୍ରକାଶ ପାଇବାରେ ଲାଗିଥିଲା । କିନ୍ତୁ ତୁଷାର କେତେକ ବୈଦୁ୍ୟତିକ ଗଣମାଧ୍ୟମ ସାକ୍ଷାତକାର ଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ହଠାତ୍ କୁଆଡେ଼ ଉଭାନ ହୋଇଯାଇଥିଲେ ଏବଂ ତାଙ୍କର ମୋବାଇଲ ସୁଇଚ ଅଫ୍ ରହିଥିଲା । କିଛିଦିନ ପରେ ସାମାଜିକ ଗଣମାଧ୍ୟମରେ ପୁଣି ଥରେ ତାଙ୍କୁ ଦେଖିବାକୁ ମିଳିବ ସହ ସେଥିରେ ସେ ବିଜଦର ଗୁଣଗାନରେ ଶତମୁଖ ହୋଇପଡ଼ିଥିଲେ । ଏହି ଘଟଣାର ୫ ମାସ ୧୫ ଦିନ ପରେ ଏବଂ ବିଧାନସଭା ଅଧିବେଶନ ଆରମ୍ଭ ହେବା ଅବସରରେ ପୁଣି ଥରେ ବାରିପଦା ପୌରପରିଷଦ ଗାନ୍ଧୀପାର୍କରେ ଖବରଦାତା ସମ୍ମିଳନୀ ମାଧ୍ୟମରେ ଚର୍ଚ୍ଚା ପରିସରକୁ ଆସିବାରେ ସଫଳ ହୋଇଛନ୍ତି । ସମ୍ମିଳନୀରେ ପୂର୍ବତନ ଛାତ୍ର ସଂସଦ ସଭାପତି ତୁଷାର ମୁଖ୍ୟତଃ ୨ଟି ଦାବି କରିଛନ୍ତି । ବିଜଦର ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ କୁଆଡେ଼ ମୟୂରଭଞ୍ଜବାସୀଙ୍କ ସ୍ୱାଭିମାନ ଉପରେ ଆକ୍ଷେପ କରି କଟୁ ଟିପ୍ପଣୀ ଦେବା ସାଙ୍ଗକୁ ୭୦ ଥର ଉଠବସ କରାଇଥିଲେ । ତେଣୁ ତାଙ୍କୁ ପର୍ଯ୍ୟବେକ୍ଷକ ପଦବୀରୁ ବହିଷ୍କାର କରାଯାଉ । ସେହିପରି ଅନ୍ୟ ଦାବିଟି ହେଉଛି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଆଦି କେତେକ ବିଭାଗଗୁଡ଼ିକୁ ସରକାର ପକ୍ଷରୁ ନିୟମିତ କରାଗଲା ବୋଲି ଯେଉଁ ଚିଠି ତାଙ୍କୁ ମିଳିଥିଲା ; ସେହି ବିଭାଗ ଅଧ୍ୟାବଧି ନିୟମିତ ବିଭାଗ ହୋଇପାରି ନାହିଁ । ତେଣୁ ସେହି ବିଭାଗଗୁଡ଼ିକୁ ତୁରନ୍ତ ନିୟମିତ ବିଭାଗ ଭାବେ କାର୍ଯ୍ୟକାରୀ କରାଯାଉ । ଯଦି ଏହା ସମ୍ଭବ ନ ହୁଏ, ତେବେ ଆଗାମୀ ଦିନରେ ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କୁ ମୟୂରଭଞ୍ଜ ମାଟିରେ ଛାତ୍ର ସମାଜ ବିରୋଧ କରିବ ବୋଲି କହିଥିଲେ ।