ସୁରଙ୍କୁ ସମ୍ବର୍ଦ୍ଧନା ସୁରଙ୍କ ପାଇଁ ଚେତାବନୀ

Sep 20, 2018 - 14:29
 366
ସୁରଙ୍କୁ ସମ୍ବର୍ଦ୍ଧନା ସୁରଙ୍କ ପାଇଁ ଚେତାବନୀ
କାକଟପୁର, ୨୦/୯ (ନୃସିଂହ ମହାନ୍ତି/ ସକାଳଖବର) : ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସୁରେନ୍ଦ୍ର ନାଥ ନାୟକଙ୍କୁ କାକଟପୁରଠାରେ ଦିଆଯାଇଥିବା ସମ୍ବର୍ଦ୍ଧନା ବିଧାୟକ ସୁରେନ୍ଦ୍ର ସେଠୀଙ୍କ ପାଇଁ ଚେତାବନୀ ସଦୃଶ ହୋଇଛି । ସୁରେନ୍ଦ୍ର ସେଠୀ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଜୁ ଜନତାଦଳର ପୁରୁଣା କର୍ମୀ ଏପରିକି ତାଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୁରେନ୍ଦ୍ର ନାଥ ନାୟକଙ୍କୁ ଅଣଦେଖା କରିଆସୁଛନ୍ତି । ଦଳୀୟ ନିଷ୍ପତ୍ତି ଅନୁଯାୟୀ ଗତ ପଞ୍ଚାୟତ ନିର୍ବାଚନ ସମୟରେ ବିଜେଡି ÿବିଧାୟକମାନଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନର ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଥିଲା । ସେହି ସୁଯୋଗରେ ବିଧାୟକ ସେଠୀ ପୂର୍ବରୁ ଦଳୀୟ ସଂଗଠନରେ ନଥିବା କିଛି ବେପାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଟିକେଟ୍ ଦେଇଥିଲେ । ଶଙ୍ଖ ଚିହ୍ନ ହାୱାରେ ସେମାନଙ୍କ ମଧ୍ୟରୁ କିଛି ବର୍ତ୍ତିଯାଇଥିଲେ ମଧ୍ୟ ଅସ୍ତରଙ୍ଗରେ ଦଳୀୟ ପ୍ରାର୍ଥୀଙ୍କୁ ହରାଇ ସୁର ନାୟକଙ୍କ ସମର୍ଥୀତ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏତ୍ଦ୍ବ୍ୟତୀତ ବିଧାୟକଙ୍କ ସମସ୍ତ ଉଦ୍ୟମକୁ ପ୍ରତିହତ କରି ସୁରବାବୁଙ୍କ ପୁଅ ନିଜ ତାକତ୍ରେ ଦ୍ୱିତୀୟ ଥର ପାଇଁ ଅସ୍ତରଙ୍ଗ ପଞ୍ଚାୟତ ସମିତିର ଅଧ୍ୟକ୍ଷ ହୋଇଥିଲେ । ଏଥିସହ କାକଟପୁର ଓ ଗୋପ ବ୍ଳକର ବହୁ ପଞ୍ଚାୟତରେ ସୁରବାବୁଙ୍କ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ଜିତାପଟ ହୋଇଥିଲା । ସ୍ୱାଧୀନ ସମିତି ଅଧ୍ୟକ୍ଷ ହେବା ପରେ ଅସ୍ତରଙ୍ଗ ଅଞ୍ଚଳର ବିକାଶକୁ ପ୍ରତିହତ କରିବାକୁ ବିଧାୟକଙ୍କ ପକ୍ଷରୁ ବାରମ୍ବାର ଉଦ୍ୟମ କରାଯାଉଥିବା ସବୁବେଳେ ଚର୍ଚ୍ଚାରେ ରହିଥିଲା । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ବିଧାୟକ ସେଠୀ ବିଜେଡ଼ିରେ ଥିବା ତାଙ୍କ ବିରୋଧୀମାନଙ୍କୁ ନିଜ ପକ୍ଷକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଥିବାବେଳେ ବର୍ଷିୟାନ ନେତା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକଙ୍କୁ ‘ଉକ୍ରଳମଣି ଗୋପବନ୍ଧୁ’ ସମ୍ମାନରେ ସମ୍ମାନିତ କରାଯିବା ପରେ ତାଙ୍କ ସମ୍ମାନାର୍ଥେ କାକଟପୁର ସୋମେଶ୍ୱର ମହାଦେବଙ୍କ ପୀଠରେ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ସଭା । କାକଟପୁର ନିର୍ବାଚନମଣ୍ଡଳୀର ସୀମା ଆରମ୍ଭ ଆଳୁୂଦଣ୍ଡା ପଟଣା ଛକଠାରୁ ଦଳୀୟ କର୍ମୀ ଓ ସମର୍ଥକମାନେ ଶହ ଶହ ମୋଟରସାଇକେଲର ବିରାଟ ଶୋଭାଯାତ୍ରାରେ ଶ୍ରୀନାୟକଙ୍କୁ ସମ୍ବର୍ଦ୍ଧନାସ୍ଥଳ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ସେଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କ ସମେତ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ,ବିଜୁ ଜନତା ଦଳ ସମର୍ଥôତ ବହୁ ସରପଞ୍ଚ, ସମିତି ସଦସ୍ୟ ଏବଂ ଅନେକ ଜଣାଶୁଣା ନେତା ଯୋଗ ଦେଇ ସୁରବାବୁଙ୍କ ନେତୃତ୍ୱକୁ ଅକୁଣ୍ଠ ସମର୍ଥନ ଜଣାଇଥିଲେ । ଲୋକପ୍ରିୟତା ହରାଇଥିବା ବିଜେଡ଼ର ପ୍ରାୟ ୫୦ ବିଧାୟକ ନବୀନଙ୍କ ସ୍କାନରରେ ଥିବାବେଳେ କାକଟପୁରରେ ସୁରବାବୁଙ୍କୁ ସମ୍ବର୍ଦ୍ଧନା ଆଳରେ ସ୍ୱାଧୀନ ନାୟକଙ୍କ ଶକ୍ତି ପ୍ରଦର୍ଶନ ବିଧାୟକଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି ।