ଆଉଟ୍ ନା ନଟଆଉଟ୍ ? ଏଲବିଡବ୍ଲୁକୁ ନେଇ ମୟଙ୍କ କହିଲେ- ‘ପ୍ରତିକ୍ରିୟା ଦେଲେ ଦରମା କଟିଯିବ’

Dec 27, 2021 - 09:06
 48
ଆଉଟ୍ ନା ନଟଆଉଟ୍ ? ଏଲବିଡବ୍ଲୁକୁ ନେଇ ମୟଙ୍କ କହିଲେ- ‘ପ୍ରତିକ୍ରିୟା ଦେଲେ ଦରମା କଟିଯିବ’
ନୂଆଦିଲ୍ଲୀ,୨୭/୧୨ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚାଲିଛି ଟେଷ୍ଟ୍ ସିରିଜ । ସିରିଜର ପ୍ରଥମ ମୁକାବିଲାର ପ୍ରଥମ ଇନିଂସରେ ଭାରତର ପଲ୍ଲା ଭାଲି ରହିଛି । ଓପନିଂ ଯୋଡିରେ ଆସିଥିବା କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ୱାଲ ଦମଦାର ବ୍ୟାଟିଂ କରିଥିଲେ । କିନ୍ତୁ ମୟଙ୍କ ଏଲବିଡବ୍ଲୁ ହେଲା ପରେ ଯୋଡି ଭାଙ୍ଗିଥିଲା । ଯେପରି ଭାବେ ମୟଙ୍କ ଏଲବିଡବ୍ଲୁ ହେଲେ ତାକୁ ନେଇ ପ୍ରଶଂସାକ ନିରାଶ ଓ ଅସନ୍ତୁଷ୍ଟ ଅଛନ୍ତି । ସୂଚନାନୁସାରେ, ୪୧ ତମ ଓଭରରେ ବ୍ୟାଟିଂ କରୁଥିଲେ ମୟଙ୍କ ଅଗ୍ରଓ୍ୱାଲ । ପ୍ରତିପକ୍ଷ ବୋଲର ଥିଲେ ଲୁଙ୍ଗି ନଗିଡି । ସେ ଫିଙ୍ଗିଥିବା ଦ୍ୱିତୀୟ ବଲ ମୟଙ୍କଙ୍କ ପ୍ୟାଡରେ ଲାଗିଥିଲା । ବଲ ଲେଗ୍ ଷ୍ଟମ୍ପ ବାହାରକୁ ଯାଉଥିବା ଜଣା ପଡିଥିଲା । ଫିଲ୍ଡ ଅମ୍ପାୟାର ଏହାକୁ ନଟଆଉଟ୍ ଦେଇଥିଲେ । ତେବେ ଦକ୍ଷିଣ ଆଫ୍ରିକା ଦଳ ଏହା ଉପରେ ରିଭ୍ୟୁ ନେଇଥିଲା । ଥାର୍ଡ ଅମ୍ପାୟାରରେ ମଧ୍ୟ ବଲ୍ ଷ୍ଟମ୍ପରେ ବାଜୁ ନଥିବା ଦେଖିବାକୁ ମିଳିଥିଲା । କିନ୍ତୁ ମୟଙ୍କଙ୍କୁ ଆଉଟ୍ ଦିଆଯାଇଥିଲା । ଏହା ଦେଖି ମୟଙ୍କ ନିଜେ ଚକିତ ହେବା ସହ ପ୍ୟାଭିଲିୟନ ଫେରିଥିଲେ । ମ୍ୟାଚ୍ ପରେ ମୟଙ୍କଙ୍କୁ ଏନେଇ ପ୍ରଶ୍ନ ପଚରା ଯାଇଥିଲା । ସେ କହିଥିଲେ ଯେ, ଏହା ଉପରେ କିଛି କହିବେ ନାହିଁ । କାରଣ କିଛି କହିଲେ ସେ ବ୍ୟାଡ୍ ବୁକ୍ସରେ ଆସିବେ ଓ ତାଙ୍କ ଫି କଟିଯିବ । ସୂଚନାଯୋଗ୍ୟ, ଭାରତର ଏହି ଓପନର ୧୨୩ ବଲ୍ ଖେଳି ୬୦ ରନ୍ କରିଥିଲେ । ଏହି ଇନିଂସରେ ସେ ୯ଟି ଦର୍ଶନୀୟ ଚୌକା ମଧ୍ୟ ଲଗାଇଥିଲେ । ଆଉଟ୍ ହେଲା ବେଳକୁ ସେ କେଏଲ ରାହୁଲଙ୍କ ସହ ୧୧୯ ରନର ପାର୍ଟନରସିପ୍ କରିଥିଲେ । ତେବେ ମୟଙ୍କଙ୍କ ଆଉଟ୍ ପରେ ପ୍ରଶଂସକ ସୋସିଆଲ ମିଡିଆରେ ଖରାପ ଅମ୍ପାୟାରିଂକୁ ଟ୍ରୋଲ୍ କରୁଛନ୍ତି ।