ଅନୁଗୋଳରେ ପ୍ରଥମଥର ସାମୁହିକ ଆଦର୍ଶ ବିବାହ

Jan 12, 2019 - 18:47
 192
ଅନୁଗୋଳରେ ପ୍ରଥମଥର ସାମୁହିକ ଆଦର୍ଶ ବିବାହ
ଅନୁଗୋଳ,୧୨/୧(ସକାଳଖବର): ଆର୍ଥିକ ଅନଗ୍ରସର ପରିବାରରେ ବିବାହ ଯୋଗ୍ୟ ପୁତ୍ର (୨୧) ବର୍ଷ ଓ କନ୍ୟା (୧୮)ବର୍ଷ ମାନଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରାଇ ଏକ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ସମାଜ ଗଠନ କରାଇବାର ସମାଜିକ ଦାୟିତ୍ୱ ଉକ୍ରଳ ପ୍ରଦେଶିକ ସମ୍ମିଳନୀ ଗ୍ରହଣ କରିଛି । ଉକ୍ତ ବୈଠକରେ କାର୍ଯ୍ୟକ୍ରମ ସଂଯୋଜକଙ୍କ ସୂଚନା ମୁତାବକ ହିନ୍ଦୁ ବୈଦିକ ରୀତି ଅନୁଯାୟୀ ହରିଦ୍ୱାର ଗାୟତ୍ରୀ ଶାନ୍ତିକୁଞ୍ଜର ବେଦଜ୍ଞ ପଣ୍ଡିତ ମାନଙ୍କ ଦ୍ୱାରା ୫୧ ଯୁଗଳ ବରକନ୍ୟାଙ୍କର ବିବାହ ସଂପନ୍ନ କରାଯିବ । ସଂପ୍ରତି ସମାଜର ବିଭିନ୍ନ ଉତ୍ସବ ପାଳନ ଓ ବିବାହ ଆଦିରେ ଯେପରି ସଂସ୍କୃତି ବିରୋଧି ଓ ପରିବେଶ ପ୍ରତିକୂଳ ବାତାବରଣ ସୃଷ୍ଟି ହୋଇଛି ତାହା ଆମର ସାମାଜିକ ପାରିବାରିକ ଜୀବନରେ କୁପ୍ରଭାବ ପକାଉଛି । ଏଣୁ ଆର୍ଯ୍ୟାବର୍ତ୍ତର ଉର୍ଜ୍ଜସ୍ଥଳ ସଂସ୍କୃତି ଓ ବିଶ୍ୱବିଦିତ ପରମ୍ପରାକୁ ରକ୍ଷା କରି ଏକ ସଂସ୍କାର ଯୁକ୍ତ ପରିବାର ସହଯୋଗୀ ସମାଜ ତଥା ସମର୍ଥ ରାଷ୍ଟ୍ର ଗଠନ କରିବା ଉଦେ୍ଧଶ୍ୟରେ ଏହି ଆଦର୍ଶ ସାମୁହିକ ବିବାହ କାର୍ଯ୍ୟକ୍ରମ ସଂପନ୍ନ କରାଯିବ । ଏହି ପବିତ୍ର କାର୍ଯ୍ୟକ୍ରମରେ ଅନୁଗୋଳର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ମଧ୍ୟ ସହଯୋଗ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଆଇନ ସମ୍ମତ ଭାବେ ଜିଲା ପ୍ରଶାସନର ସହଯୋଗରେ ଗାନ୍ଧୀମାର୍ଗସ୍ଥିତ, ସରସ୍ୱତୀ ଶିଶୁ ମନ୍ଦିର ଠାରେ ତା.୧୦.୦୨.୨୦୧୯ ତାରିଖରେ ସଂପାଦିତ ହେବ । ବିବାହ ନିମନ୍ତେ ଉପଯୁକ୍ତ ବରକନ୍ୟା ଯୁଗଳ ଶ୍ରୀ ପୁରୁଷୋତ୍ତମ ଅଗ୍ରୱାଲ ଓ ନନ୍ଦୁଲାଲ ଅଗ୍ରୱାଲଙ୍କୁ ଯୋଗାଯୋଗ କରିବା ପାଇଁ ନିବେଦନ ।ଉକ୍ତ କାର୍ଯ୍ୟକ୍ରମରେ ସହସଂଯୋଜକ ଅଶୋକ ମୁରାରକା, କିଶୋରୀଲାଲ ସରଳିୟା, ପାତଞ୍ଜଳୀ ଯୋଗ ସମିତିର ଅଭୟ ରାୟ, ସନାତନ ଜାଗୃତି ପରିଷଦର ଦିଲିପ କୁମାର ପ୍ରଧାନ, ଗାୟତ୍ରୀ ପରିବାରର ସଦସ୍ୟବୃନ୍ଦ, ଜିତେନ୍ଦ୍ର ଗୁପ୍ତା, ରୋହିତ ଲିହାଲା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୂଚାରୁରୁପେ ପରିଚାଳନା ପାଇଁ ଆଲୋଚନା କରିଥିଲେ ।