ସିଟି ହସ୍ପିଟାଲ: ଡାକ୍ତର ନଥିବାରୁ ଅଲଟ୍ରାସାଉଣ୍ଡ ପରୀକ୍ଷା ବନ୍ଦ

May 29, 2018 - 12:20
 183
ସିଟି ହସ୍ପିଟାଲ: ଡାକ୍ତର ନଥିବାରୁ ଅଲଟ୍ରାସାଉଣ୍ଡ ପରୀକ୍ଷା ବନ୍ଦ
କଟକ, ୨୯ା୫/(ସକାଳଖବର): ହସ୍ପିଟାଲରେ ଏକ ପ୍ରମୁଖ ପରୀକ୍ଷା ହେଉଛି ଅଲଟ୍ରାସାଉଣ୍ଡ । କିନ୍ତୁ ଗତ ତିନି ମାସଧରି ଡାକ୍ତର ନଥିବାରୁ ତାହା ବନ୍ଦ ହୋଇପଡିଛି କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ସିଟି ହସ୍ପିଟାଲରେ । ଫଳରେ ଦୈନିକ ପ୍ରସୂତି ତଥା ଅନ୍ୟପେଟ ରୋଗୀମାନେ ଫେରିବା ସହ ଘରୋଇ ଡାଇଗ୍ନୋସିସ ସେଣ୍ଟରରେ ପରୀକ୍ଷା କରାଇ ଖର୍ଚ୍ଚାନ୍ତ ହେଉଛନ୍ତି । ତେଣୁ ଏହି ପରୀକ୍ଷାପାଇଁ ତୁରନ୍ତ ଜଣେ ଡାକ୍ତର ନିଯୁକ୍ତି କରାଯିବାକୁ ସାଧାରଣରେ ଦାବି ହୋଇଛି । ସୂଚନା ମୁତାବକ, ସିଟି ହସ୍ପିଟାଲକୁ ଦୈନିକ ଶତାଧିକ ରୋଗୀ ଆସିଥାନ୍ତି । ସେଥିରୁ ପ୍ରାୟ ୧୫ରୁ ଉଦ୍ଧ୍ୱର୍ ରୋଗୀଙ୍କର ଅଲଟ୍ରାସାଉଣ୍ଡ କରିବାକୁ ଆବଶ୍ୟକ ପଡିଥାଏ । ଏହି ପରୀକ୍ଷା କରିବାକୁ ବିଭିନ୍ନ ବିଭାଗର ଡାକ୍ତର ଚିକିତ୍ସାବେଳେ ଆବଶ୍ୟକହେଲେ ପରାମର୍ଶ ଦେଇଥାନ୍ତି । ଏହି ରିପୋର୍ଟ ଦେଖିବାପରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ଡାକ୍ତରଙ୍କୁ ସୁବିଧା ହୋଇଥାଏ । ବିଶେଷ କରି ପ୍ରସୂତି ମହିଳାମାନଙ୍କର ପେଟରେ ଶିଶୁର ସ୍ଥିତି ଜାଣିବାପାଇଁ ଡାକ୍ତର ଅଲଟ୍ରାସାଉଣ୍ଡ ପରୀକ୍ଷାକୁ ବହୁ ଗୁରୁତ୍ୱ ଦେଇଥାନ୍ତି । ଗୋଟିଏ ଶିଶୁ ଜନ୍ମ ପୂର୍ବରୁ ଜଣେ ପ୍ରସୂତି ମହିଳା ୩ରୁ ୪ଥର ଅଲଟ୍ରାସାଉଣ୍ଡ କରାଇଥାନ୍ତି । ପୂର୍ବରୁ ଏହି ପରୀକ୍ଷା ୧୫୦ଟଙ୍କା ପଡୁଥିବାବେଳେ ଏବେ ନିଦାନ ଯୋଜନାରେ ମାଗଣାରେ କରାଯାଉଛି । ତେଣୁୁ ଏଠାରେ ଅଲଟ୍ରାସାଉଣ୍ଡ ପରୀକ୍ଷାପାଇଁ ରୋଗୀଙ୍କ ଭିଡ ଜମୁଛି । ଏହି ପରୀକ୍ଷା କରିବା ପାଇଁ ପୂର୍ବରୁ ଜଣେ ଡାକ୍ତର କାର୍ଯ୍ୟରତ ଥିବାବେଳେ ୩ ମାସ ତଳେ ତାଙ୍କର ଗୋଡ ଭାଙ୍ଗିଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟାଥିବାରୁ ସେ ଛୁଟିରେ ଅଛନ୍ତି । ତେଣୁ ଏବେ ଅଲଟ୍ରାସାଉଣ୍ଡ କାର୍ଯ୍ୟ ହୋଇପାରୁ ନାହିଁ । କିନ୍ତୁ ପୂର୍ବପରି ଦୈନିକ ୧୫ରୁ ଉଦ୍ଧ୍ୱର୍ରୋଗୀ ଅଲଟ୍ରାସାଉଣ୍ଡ ପରୀକ୍ଷା କରିବାପାଇଁ ଆସୁଛନ୍ତି । ଏହି ସେବା ବନ୍ଦ ଥିବାରୁ ସେମାନେ ଘରୋଇ ଡାଇଗ୍ନୋସିସ ସେଣ୍ଟର ଉପରେ ଭରସା କରୁଛନ୍ତି । ଏହା ବାବଦକୁ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ରୋଗୀଙ୍କଠାରୁ ଘରୋଇ ଡାଇଗ୍ନୋସିସ ସେଣ୍ଟରଗୁଡିକ ଅଲଟ୍ରାସାଉଣ୍ଡ ପିଛା ୭ଶହରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ଫି ନେଉଛନ୍ତି । ଏହି ଅବ୍ୟବସ୍ଥାର ବିକଳ୍ପ ସମାଧାନ କରାଯିବାକୁ ରୋଗୀ ମହଲରେ ଦାବି ହେଉଛି ।