ଲୋ-ଭୋଲଟେଜ୍ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ
ଧର୍ମଶାଳା,୨୩/୬(ସକାଳଖବର): ଧର୍ମଶାଳା ବ୍ଲକର ଜାରକା ବିଦ୍ୟୁତ ଉପଖଣ୍ଡ ଅଧିନରେ ଥିବା ବିଭିନ୍ନ ସାହି ଓ ପଡା ଗ୍ରାମ ଗୁଡିକରେ ବିଜୁଳି ବିଭାଗର ଅପାରଗତାରୁ ଲୋକେ ନାହିଁ ନଥିବା ଦୁର୍ଦ୍ଧଶା ଭୋଗୁଛନ୍ତି । ଓଡିଶା ଷ୍ଟେଟ ଇଲେକଟ୍ରିକ୍ ବୋର୍ଡ ଓ ଗ୍ରୀଡ କର୍ପେର୍ାରେସନ ଗ୍ରାମାଂଚଳରେ ବିଜୁଳି ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଛାଡିବା ପରେ ବିଜୁଳି ଶକ୍ତି ଲୋ-ଭୋଲଟେଜକୁ ନେଇ ଏମିତି ପରିସ୍ଥିତି ସମ୍ମୁଖୀନ ହେବାକୁ ପଡିବ ବୋଲି ଉପଭୋକ୍ତାମାନେ କେବେ କଳ୍ପନା କରିନଥିଲେ । ଯାହାର ପରିଣାମ ସ୍ୱରୂପ ଶତକଡା ୯୫ପ୍ରତିଶତ ଧର୍ମଶାଳା ଅଂଚଳରେ ଲୋ-ଭେଲାଟେଜ୍ ସମସ୍ୟା ଉପୁଜିଥିବା ବେଳେ ଗ୍ରୀଷ୍ମପ୍ରବାହ ଯେତିକି ବଢୁଛି ଭୋଲଟେଜ ମାତ୍ରା ଆହୁରି କମି କମି ଯାଉଛି । ଦିନରେ କିମ୍ବା ରାତିରେ ଘରେ ଫ୍ୟାନ ଚାଲୁନଥିବା ବେଳେ ଫ୍ରିଜ୍, ଏସି ପ୍ରଭୁତି ଅଚଳ ହୋଇପଡିଲାଣି । ସବୁଠାରୁ ବଡ ସମସ୍ୟା ହେଲା ଘରର ଓଭରହେଡ୍ ଟାଙ୍କିକୁ ପାଣି ପମ୍ପ ଦ୍ୱାରା ପାଣି ଉଠାଇବା ସମ୍ଭବପର ହେଉନାହିଁ । ଜାରକା ଅଂଚଳ ଧର୍ମଶାଳା ନିର୍ବାଚନମଣ୍ଡଳୀର ପ୍ରମୁଖ ସ୍ଥାନ ଏବଂ ଏଠାରେ ୨ଟି କଲେଜ, ବ୍ଲକ ଅଫିସ, ଜଳସେଚନ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଉଠାଜସେଚନ ଅଫିସ, ଟ୍ରେଜେରୀ, ଚାରୋଟି ବ୍ୟାଙ୍କ, ହାଇସ୍କୁଲ, କୃଷି ବିବାଗ, ଏମଆଇଇ ଅଫିସ, ତହସିଲ, ଥାନା ଡାକ୍ତରଖାନା ପ୍ରଭୃତି ଥିବାରୁ ଜନବସତି ହୁ ହୁ ହୋଇ ବଢୁଥିବା ବେଳେ ବିଜୁଳି ଅଭାବ ଲୋକଙ୍କୁ ଚରମ ଦୁର୍ଦ୍ଧଶା ଭୋଗିବାକୁ ପଡୁଛି । ଲୋ-ଭୋଲଟେଜ ଯୋଗୁ ବଜାର ଅଂଚଳରେ ବିଶେଷ କରି ପଣ୍ଡୁଆ, ଜାମୁବଣିଆ, କୁମାରୀ, ନୂଆଗାଁ, ଅଂଚଳରେ ଜଳଯୋଗାଣ ବିଭାଗ ପକ୍ଷରୁ ଯୋଗାଯାଉଥିବା ପାନୀୟ ଜଳ ଲୋ-ଭୋଲଟେଜ ଯୋଗୁ ଉପର ଅଂଚଳକୁ ପାଣି ଉଠୁନଥିବା ଜଣାପଡିଛି । କୁମାରୀ ଅଂଚଳରେ ବସିଥିବା ପୁରୁଣା ଟ୍ରାନ୍ସଫର୍ମରକୁ ବଦଳାଇ ସେ ଜାଗାରେ ଉଚ୍ଚକ୍ଷମତା ସଂପନ୍ନ ଟ୍ରାନସଫର୍ମର ବସାଇବାକୁ ଦାବି କରାଯାଉଥିଲେ ହେଁ ଏଯାବତ୍ ବିଭାଗୀୟ କର୍ତୃପକ୍ଷ ଉଦାସୀନ ରହୁଥିବା ଜଣାପଡିଛି । ତୁରନ୍ତ ବିଜୁଳି ସମସ୍ୟା ଦୂର କରିବାକୁ ବୁଦ୍ଧିଜୀବି ଫୋରମ ପକ୍ଷରୁ ଦାବି କରାଯାଇଛି । ଯଦି ଏ ସମସ୍ୟାର ସମାଧାନ ନିକଟ ଭବିଷ୍ୟତରେ ନହୁଏ ତାହେଲେ ବୁଦ୍ଧିଜୀବି ଫୋରମ ପକ୍ଷରୁ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।