ବାପାକୁ ହତ୍ୟା କରି ଘରେ ଲୁଚାଇ ରଖିଥିଲା ପୁଅ!

Jan 4, 2023 - 05:42
 41
ବାପାକୁ ହତ୍ୟା କରି ଘରେ ଲୁଚାଇ ରଖିଥିଲା ପୁଅ!
କରଞ୍ଜିଆ (ଓଡ଼ିଶା ରିପୋର୍ଟର): ଯେଉଁ ବାପା କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲା। ସବୁ ଅଳିଅଦଳି ସହିଥିଲା।। ସେହି ବାପାକୁ ସାମାନ୍ୟ କୌଣସି କଥା ପାଇଁ ହତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ପୁଅ। ଏପରକି ବାପାକୁ ହତ୍ୟା କରି ମୃତଦେହକୁ ଘରେ ୨ ଦିନ ଲୁଚାଇ ରଖିଥିଲା। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ପଳସାଗଡ଼ିଆ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ନନ୍ଦ କିଶୋର ଗୁଇଆ। ପୁଅ ଈଶ୍ୱର ଗୁଇଆକୁ ପୁଲିସ ଅଟକ ରଖି ପଚଗଉଚରା କରୁଛି। ଗତ ୨ତାରିଖରେ ରାତିରେ କୌଣସି କଥାକୁ ନନ୍ଦ ଓ ତାଙ୍କ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ବାପପୁଅଙ୍କ ମଧ୍ୟରେ ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ବାପା କଥାରେ ପୁଅ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲା। ଘରୁ କୁରାଢ଼ି ଆଣି ନନ୍ଦଙ୍କୁ ହାଣି ହତ୍ୟା କରିଥିଲା। ପରେ ବାପାର ମୃତଦେହକୁ ପୁଅ ଏକ ଘରେ ଲୁଚାଇ ରଖିଥିଲା। ପରିବାର ଲୋକେ ନନ୍ଦଙ୍କୁ ୨ ଦିନ ନ ଦେଖିବାରୁ ଖୋଜାଖୋଜି କରିଥିଲେ। ଘରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ପୁଅ ଈଶ୍ୱର ଗୁଇଆ ପାଖରେ ନନ୍ଦ ରହୁଥିଲେ। ବାପ ପୁଅ ଏକାଠି ଗୋଟେ ଘରେ ରହୁଥିଲେ।