ପ୍ରଥମ ସ୍ୱାଧିନତା ଦିବସ ପାଳିଲେ ଗୟଳମୁଣ୍ଡାବାସୀ

Aug 18, 2018 - 14:47
 227
ପ୍ରଥମ ସ୍ୱାଧିନତା ଦିବସ ପାଳିଲେ ଗୟଳମୁଣ୍ଡାବାସୀ
କେନ୍ଦୁଝର,୧୮/୮ (ସକାଳଖବର): ସମଗ୍ର ଦେଶ ୭୨ତମ ସ୍ୱାଧିନତା ଦିବସ ପାଳନ କରୁଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଆଜିଏଭଳି ଗ୍ରାମ ରହିଛି ଯେଉଁ ଗ୍ରାମର ଅଧିବାସୀମାନେ ସ୍ୱାଧିନତା ତଥା ସ୍ୱାଧିନତା ଦିବସ ସଂପର୍କରେ ସଂପୁର୍ଣ୍ଣ ଅଜ୍ଞ ଅଛନ୍ତି । ଏଭଳି ଏକ ଗ୍ରାମ ର ନାମ ହେଉଛି ଘଟଗାଁ ବ୍ଳକର ଗୟଳମୁଣ୍ଡା । ବଣପାହାଡ ପରିବେଷ୍ଟିତ ଏହି ଗାଁ ଟିରେ ବାସ କରୁଥିବା ୫୦ ଜୁଆଙ୍ଗ ପରିବାର ଆଜି ବି ଚାକଚକ୍ୟ ସଭ୍ୟ ସମାଜଠାରୁ ବହୁଦୂରରେ ରହିଛନ୍ତି । କିନ୍ତୁ ସ୍ୱାଧିନତା ଦିବସ ସଂପର୍କରେ ସଂପୁର୍ଣ୍ଣ ଅଜ୍ଞ ଏହି ଜୁଆଙ୍ଗ ଜନଜାତି ଚଳିତ ବର୍ଷ ସ୍ଥାନୀୟ ଆଦିବାସୀ ସରପଂଚଙ୍କ ପ୍ରଚେଷ୍ଟାରେ ସ୍ୱାଧିନତା ସ୍ୱାଦ ଚାଖିବାକୁ ଚେଷ୍ଟା କରି ନିଜ ଗାଁରେ ପ୍ରଥମ ସ୍ୱାଧିନତା ଦିବସ ପାଳନ କରିଛନ୍ତି । ସରପଂଚ ରବି ମୁଣ୍ଡା ସକାଳୁ ସକାଳୁ କେତେଜଣ ସମାଜସେବୀଙ୍କ ସହ ଗୟଳମୁଣ୍ଡାରେ ପହଁଚିଥିଲେ । ଏବଂ ଗାଁର ସମସ୍ତ କୁନି କୁନି ପିଲାଙ୍କୁ ନିଜସ୍ୱ ଅର୍ଥରୁ ନୁଆ ଡ୍ରେସ ପିନ୍ଧାଇ ମିଠା ଖୁଆଇ ଥିଲେ । କୁନି କୁନି ପିଲାଙ୍କ ହାତରେ ଦେଶର ଜାତୀୟ ପତାକା ଧରାଇ ବିଭିନ୍ନ ଦେଶାତ୍ମକ ସ୍ଲୋଗାନ ସହ ଗାଁ ପରିକ୍ରମା କରିଥିଲେ । ଆମ ଦେଶ କିଭଳି କେଉଁ ପରିସ୍ଥିତିରେ ସ୍ୱାଧୀନ ହେଲା ଏବଂ କେଉଁ ଜନ ନାୟକ ମାନେ ଏଥି ସହ ସଂପୃକ୍ତ ଥିଲେ ଓ ବଳିଦାନ ଦେଇଥିଲେ ଆଦି ସମସ୍ତ ବିଷୟରେ ଏହି ଆଦିମ ଜନଜାତି ଜୁଆଙ୍ଗ ମାନଙ୍କୁ ସଚେତନତା କରିବା ଲାଗି ବିସ୍ତୃତ ଭାବେ ବୁଝାଇଥିଲେ । ଅନୁରୁପ ଭାବେ ପ୍ରଥମ ଥର ପାଇଁ ନିଜ ଗାଁରେ ସ୍ୱାଧିନତା ଦିବସ ପାଳନ କରି ସ୍ଥାନୀୟ ଜୁଆଙ୍ଗ ମାନେ ବେଶ୍ ଖୁସି ଅନୁଭବ କରିଥିଲେ । ପୁରୁମୁଣ୍ଡା ଗ୍ରାମ ପଂଚାୟତର ଆଦିବାସୀ ସରପଂଚ ରବି ମୁଣ୍ଡାଙ୍କ ଏତାଦୃଶୟ ପ୍ରୟାସ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂଶିତ ହୋଇଥିବା ବେଳେ ଜୁଆଙ୍ଗ ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ସୁସ୍ଥ ସାମାଜିକ ବତାବରଣ ସୃଷ୍ଟି ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି ।