ପ୍ରତି ପଂଚାୟତରେ ଖୋଲିବ ମିଶନ ଶକ୍ତି ଗୃହ- ମୁଖ୍ୟମନ୍ତ୍ରୀ

Dec 4, 2018 - 19:23
 131
ପ୍ରତି ପଂଚାୟତରେ ଖୋଲିବ ମିଶନ ଶକ୍ତି ଗୃହ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୪/୧୨(ସକାଳଖବର): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୭ଟି ବ୍ଲକ ପାଇଁ ୨୬.୮୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକଗୁଡ଼ିକ ହେଲା- ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି, ଜଗତସିଂହପୁର ଜିଲ୍ଲାର ଏରସମା, ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଓ ରରୁଆଁ, କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଏବଂ କନ୍ଧମାଳ ଜିଲ୍ଲାର ଚକାପାଦ ଓ ଜି. ଉଦୟଗିରି ବ୍ଲକ । ଆଜି ମୁଖ୍ୟମନ୍ତ୍ରୀ ପାପଡ଼ାହାଣ୍ଡି ବ୍ଲକର ୨୩ଟି ପଂଚାୟତ ପାଇଁ ୫.୭୫ କୋଟି ଟଙ୍କାରେ ୨୪୫ଟି ପ୍ରକଳ୍ପ, ଏରସମା ବ୍ଲକ୍ର ୨୪ଟି ପଂଚାୟତ ପାଇଁ ୫.୫୦ କୋଟି ଟଙ୍କାରେ ୩୮୭ଟି ପ୍ରକଳ୍ପ, ରାସଗୋବିନ୍ଦପୁର ବ୍ଲକର ୧୬ଟି ପଂଚାୟତ ପାଇଁ ୩.୫୯ କୋଟି ଟଙ୍କାରେ ୧୫୨ଟି ପ୍ରକଳ୍ପ, ରରୁଆଁ ବ୍ଲକର ୧୨ଟି ପଂଚାୟତ ପାଇଁ ୨.୭୬ କୋଟି ଟଙ୍କାରେ ୧୦୪ଟି ପ୍ରକଳ୍ପ, ଚମ୍ପୁଆ ବ୍ଲକର ୨୨ଟି ପଂଚାୟତ ପାଇଁ ୪.୮୬ କୋଟି ଟଙ୍କାରେ ୧୩୨ଟି ପ୍ରକଳ୍ପ ଚକାପାଦ ବ୍ଲକର ୧୨ଟି ପଂଚାୟତ ପାଇଁ ୨.୪୦ କୋଟି ଟଙ୍କାରେ ୮୯ଟି ପ୍ରକଳ୍ପ, ଜି. ଉଦୟଗିରି ବ୍ଲକର ୮ଟି ପଂଚାୟତ ପାଇଁ ୨କୋଟି ଟଙ୍କାରେ ୪୭ଟି ପ୍ରକଳ୍ପ । ଏହିପରି ସମୁଦାୟ ୭ଟି ବ୍ଲକ୍ର ୧୧୭ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୬.୮୬କୋଟି ଟଙ୍କାରେ ୧୧୫୬ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ କନ୍ଧମାଳର ଚକାପାଦ ଏବଂ କେନ୍ଦୁଝରର ଚମ୍ପୁଆ ବ୍ଲକର ଦୁଇଜଣ ମହିଳା ପ୍ରତି ପଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଗ୍ରହଣ କରି ପ୍ରତି ପଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ । ଆଜି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୨୫୦ରୁ ଅଧିକ ବ୍ଲକରେ ପହଂଚିଛି । ସୂଚନାଯୋଗ୍ୟ ଯେ ରାଜ୍ୟରେ ୩୧୪ଟି ବ୍ଲକ ରହିଛି । ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହିତ ସ୍ୱଚ୍ଛତା ଓ ସଚେତନତା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ପିଠା ଯୋଜନା ଆରମ୍ଭ କରିଛନ୍ତି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୫୫ଟି ବ୍ଲକର ୫୫୩୮ଟି ଗ୍ରାମ ପଂଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ୫୧,୨୨୯ଟି ପ୍ରକଳ୍ପ ପାଇଁ ୧୨୬୧.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରୁଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।