ପରଲୋକରେ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ

May 6, 2018 - 14:18
 115
ପରଲୋକରେ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ
କଟକ,୬ା୫(ସକାଳଖବର): ସ୍ୱନାମଧନ୍ୟ ଗୀତିକାର ତଥା ସଂଗୀତ ନିଦେ୍ର୍ଧଶକ ଗୁରୁକୃଷ୍ଣ ଗୋସ୍ୱାମୀ (୮୫) ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ସକାଳ ପ୍ରାୟ ୮ଟା ୧୫ ମିନିଟ ସମୟରେ ହୃଦ୍ଘାତରେ ଆକ୍ରାନ୍ତ ହୋଇ ସେ ନିଜ ତୁଳସୀପୁରସ୍ଥିତ ଶିବାଜୀନଗର ବାସଭବନରେ ପରଲୋକ ଗମନ କରିଥିଲେ । ତାଙ୍କ ପରଲୋକ ଖବର ଶୁଣି ବହୁ ବିଶିଷ୍ଟ ବ୍ୟକ୍ତି ତଥା ସଂଗୀତ ଜଗତର ଖ୍ୟାତନାମା କଣ୍ଠ ଶିଳ୍ପୀ, ସଂଗୀତ ନିଦେ୍ର୍ଧଶକ ଏବଂ ଗୁରୁ କୃଷ୍ଣଙ୍କୁ ଭଲପାଉଥିବା ସଂଗୀତ ପ୍ରେମୀ ଜନସାଧାରଣ ପହଞ୍ଚି ଶେଷ ଦର୍ଶନ କରିଥିଲେ । ସଂଗୀତ ନିଦେ୍ର୍ଧଶକ ଶାନ୍ତନୁ ମହାପାତ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ଗୀତା ପଟ୍ଟନାୟକ, ମିତ୍ରଭାନୁ ମହାନ୍ତି ,ସୂର୍ଯ୍ୟନାରାୟଣ ଦାସ, ପ୍ରମୁଖ ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷ ସମୟରେ ପତ୍ନୀ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଆରତୀ ଗୋସ୍ୱାମୀ, ପୁତ୍ର ସୌମିତ୍ର ଓ ଭୂମିତ୍ର, ପୁତୁରା ରତନ ସିହ୍ନାଙ୍କ ସମେତ ଅନ୍ୟାନ୍ୟ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଆଜି ଅପରାହ୍ନରେ ଏକ ଅଶ୍ରୁଳ ପରିବେଶ ମଧ୍ୟରେ ସତୀ ଚଉରା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ୧୯୩୪ ମସିହା ନଭେମ୍ବର ୭ତାରିଖରେ ବେତଟନୀ ନରପୂର ନୂଆଗାଁରେ ସେ ଜନ୍ମଗ୍ରହଣ କରିଥିଲେ । ପିତା ଗୋକୂଳ ଚନ୍ଦ୍ର ଦେବ ଗୋସ୍ୱାମୀ ଓ ମାତା ଶ୍ରଦ୍ଧା ଦେବୀ ଗୋସ୍ୱାମୀଙ୍କ ସୁପୁତ୍ର ଗୁରୁକୃଷ୍ଣ ୬୦ଦଶରୁ ୯୦ଦଶକ ଯାଏ ଦୀର୍ଘ ୩୦ବର୍ଷ ଧରି ଓଡ଼ିଆ ସଂଗୀତ ଜଗତକୁ ସମୃଦ୍ଧ ଓ ରୁଦ୍ଧିମନ୍ତ କରିଥିଲେ ।ତାଙ୍କ ଲିଖିତ ମନଛୁଁଆ ଗୀତ ରେଡ଼ିଓରେ ବାଜିବା ଏବଂ ଟେଲିଭିଜନରେ ପ୍ରସାରଣ ହେବାମାତ୍ରେ ଏହା ସଂଗୀତ ପ୍ରେମୀ ଶ୍ରୋତାଙ୍କ ମନକୁ କେବଳ ଛୁଇଁପାରୁନଥିଲା ବରଂ ହୃଦୟରେ ଏକ ସତେଜ ସ୍ମୃତି ହୋଇ ରହୁଥିଲା । ଗୁରୁକୃଷ୍ଣଙ୍କ ଲେଖନୀରୁ ନିଃସୃତ ଗପ ହେଲେବି ସତ ଚଳଚ୍ଚିତ୍ରର ‘ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ...’ ଏବଂ ‘ମୁଁ ଯେ ଜାଣେନା କାହା ବାଟ ରହିଛି..., ମନଛୁଆଁ ସଂଗୀତ ଆଜିବି ଭୁଲିପାରି ନାହାନ୍ତି ଶ୍ରୋତା । ସେହିଭଳି ସୂର୍ଯ୍ୟମୁଖୀର ‘ସେଇ ଚୁନା ଚୁନା ତାରା ଫୁଲେ ଆଜି...’ଅରୁନ୍ଧତୀର ‘ତୁମକୁ ପାରୁନିତ ଭୁଲି...’, କିଏ କାହାର ଚଳଚ୍ଚିତ୍ରର ‘ଫୁଲେଇ ରାଣୀ ସଜଫୁଲ...’ ଆଦି ମର୍ମସ୍ପର୍ଶୀ ସଂଗୀତକୁ ଶ୍ରୋତାଙ୍କ ମନରେ ଏବେ ବି ଗୁଞ୍ଜରିତ ହେଉଛି । ସେହିଭଳି ଜୀବନ ସାଥୀ, ମନ ଆକାଶ, ମା’, ସମୟ, କିଏ କାହାର, ଅଗ୍ନି ପରୀକ୍ଷା, ସୁବର୍ଣ୍ଣ ସୀତା, ପ୍ରିୟତମା, ଜୀବନ ସଂଗ୍ରାମ, ମେଘ ମୁକ୍ତି, ରଣଭୂମି ଆଦି ଅନେକ ଚଳଚ୍ଚିତ୍ରରେ ସେ ଭେଟି ଦେଇଛନ୍ତି ଅସଂଖ୍ୟ ଗୀତ । ଏଥି ସହିତ ସେ ସୂର୍ଯ୍ୟମୁଖୀ ଓ ଅରୁନ୍ଧତୀର କାହାଣୀ ଲେଖିବା ଏବଂ ହେ ଜଗନ୍ନାଥ ତୁଝେ ପ୍ରଣାମ ଓ ଜୟ ଜଗଦୀଶ ହରେ, ଜୟ ଜଗନ୍ନାଥ ଆଦି ହିନ୍ଦି ଭଜନ ସଂଗ୍ରହ କରିଛନ୍ତି । ସେ ଥିଲେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକାର । ୧୯୬୦ରୁ ୯୦ଦଶକ ଯାଏ ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପ ଏହି ପ୍ରଥିତଯଶା ଗୀତିକାରଙ୍କ ପାଇଁ ବଳିଷ୍ଠ ହୋଇଛି । ତାଙ୍କ ମନମତାଣିଆ ଗୀତରେ ଆକୃଷ୍ଟ ହୋଇ ପଡ଼ିଥିଲେ ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଲତା ମଙ୍ଗେସକର । ଗୁରୁକୃଷ୍ଣଙ୍କର ଯୋଡ଼ି ହେଉଛନ୍ତି ଶାନ୍ତନୁ ମହାପାତ୍ର । ସେ ତାଙ୍କୁ ଗୀତ ଲେଖିବା ପାଇଁ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଇ ଦେଉଥିଲେ । ନିଜର ଅନୁଭୁତିକୁ ସାଉଁଟି ସର୍ବଦା ଗୀତ ଲେଖିଆସୁଥିବା ଗୁରୁକୃଷ୍ଣ କେବେ ଟଙ୍କା ପଛରେ ଗୋଡ଼ାଇ ନଥିଲେ । ନିଜର ଆତ୍ମ ସନ୍ତୋଷ ପାଇଁ ସେ ଗୀତ ଲେଖୁଥିଲେ ।