ନିର୍ବାହୀଯନ୍ତ୍ରୀଙ୍କ ପତ୍ନୀଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା

Jun 13, 2018 - 14:40
 174
ନିର୍ବାହୀଯନ୍ତ୍ରୀଙ୍କ ପତ୍ନୀଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା
କଟକ, ୧୩ ।୬(ସକାଳଖବର): ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ମାମଲାରେ ଗିରଫ ହୋଇଥିବା କୋରାପୁଟ ଜୟପୁର ଆରଡବ୍ଲୁ୍ୟ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଶିବପ୍ରସାଦ ଭୋଳଙ୍କ ପତ୍ନୀ କଳ୍ପନା ଭୋଳ ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବାବେଳେ ହାଇକୋର୍ଟ ଜଷ୍ଟିସ ଏସ ସି ପରିଜାଙ୍କୁ ନେଇ ଗଠିତ ଅବକାଶକାଳିନ ଖଣ୍ଡପୀଠ ମାମଲାର ଶୁଣାଣି କରି ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି । ଏହି ମାମଲାରେ ଜୁଲାଇ ମାସ ପ୍ରଥମ ସପ୍ତାହରେ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ଭିଜିଲାନ୍ସ ପକ୍ଷରୁ ଷ୍ଟାଣ୍ଡିଂ କାଉନସେଲ ଆଇନଜୀବୀ ନିରଞ୍ଜନ ମହାରଣା ମାମଲା ପରିଚାଳନା କରୁଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଅଭିଯୋଗକ୍ରମେ କଟକ ଭିଜିଲାନ୍ସ ସେଲ ପକ୍ଷରୁ ଗତ ୩୦ତାରିଖରେ ନିର୍ବାହୀ ଯନ୍ତ୍ରୀଙ୍କ ପୈତୃକ ଘର ସହ ଅଫିସ ଆଦି ସ୍ଥାନରେ ଚଢାଉ କରାଯାଇଥିଲା । ତାଙ୍କର ବିଭିନ୍ନ ସ୍ଥାନରେ ୪୮ଟି ପ୍ଲଟ ଥିବାବେଳେ ୩ କୋଟି ୬୭ଲକ୍ଷ ୯୪ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଥିଲା । ସର୍ବାଧିକ ସଂପତ୍ତି ପତ୍ନୀଙ୍କ ନାମରେ ରହିଥିବା ଜଣାପଡିଥିଲା । ଏହାପରେ ଗତ ୩୧ତାରିଖରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା