ନିର୍ବାଚନୀ ଇସ୍ତାହାରକୁ ନେଇ ନବୀନଙ୍କ ବଡ଼ ନିର୍ଦ୍ଦେଶ, ଜାଣନ୍ତୁ କ’ଣ
ଭୁବନେଶ୍ୱର: ବିଜେଡିର ପଞ୍ଚମ ପାଳି ସରକାରଙ୍କୁ ୩ ବର୍ଷ ପୂରିବ ଆସନ୍ତା ୨୯ ତାରିଖରେ । ଏ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିର ସମୀକ୍ଷା କରିବେ । କେଉଁ ବିଭାଗ କେତେ ପ୍ରତିଶ୍ରୁତି ପାଳନ କରିଛି, ତାହା ପରଖିବେ । ନବୀନ ମାଗିଛନ୍ତି ହିସାବ । ସବୁ ବିଭାଗକୁ ଚିଠି ପଠାଯାଇଛି । ପ୍ରତିଶ୍ରୁତି କେତେ ପାଳନ କରିଛ, ଶୀଘ୍ର ରିପୋର୍ଟ ଦାଖଲ କର ।
୨୦୧୯ ସାଧାରଣ ନିର୍ବାଚନରେ ଶାସକ ବିଜେଡି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି (ଇସ୍ତାହାର)କୁ କାର୍ୟ୍ୟକାରୀ କରିବା ଦିଗରେ ବିଭିନ୍ନ ବିଭାଗ ଗତ ୩ ବର୍ଷ ମଧ୍ୟରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତା’ର ହିସାବ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ନବୀନଙ୍କ ନେତୃତ୍ୱରେ ୨୦୧୯ରେ ବିଜେଡି କ୍ରମାଗତ ପଞ୍ଚମ ଥର ସରକାର ଗଢ଼ିଥିଲା । ଶପଥ ନେବା ଦିନ ହିଁ ରାଜ୍ୟ ମନ୍ତ୍ରିପରିଷଦ ବୈଠକ ଡାକି ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଦେଇଥିବା ନିର୍ବାଚନୀ ଇସ୍ତାହାର ଉପରେ ସରକାରୀ ମୋହର ଲାଗିଥିଲା । ୨୦୧୯ ମେ’ରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ନିର୍ବାଚନୀ ଇସ୍ତାହାରକୁ କାର୍ୟ୍ୟକାରୀ କରିବା ଦିଗରେ ବିଭିନ୍ନ ବିଭାଗ କେଉଁସବୁ ପଦକ୍ଷେପ ନେଇଛନ୍ତି, ବର୍ତ୍ତମାନର ସ୍ଥିତାବସ୍ଥା କ’ଣ ତାହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
କୃଷିକୁ ଜଳସେଚନ, ମିଶନ ଶକ୍ତି, ଆଦର୍ଶ ବିଦ୍ୟାଳୟ, ମୋ’ ସ୍କୁଲ, ପଛୁଆ ବର୍ଗ କମିଶନର ପୁନଃଗଠନ, ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ ନିରାପତ୍ତା ନେଇ ବିଏସକେୱାଇ ଯୋଜନା, ଗାଁରେ ପକ୍କା ଘର ନିର୍ମାଣ, ଜାଗା ମିଶନ ଓ ଆବାସ, ବିଜୁ ଏକ୍ସପ୍ରେସ ୱେ, ବିଜୁ ସେତୁ ଯୋଜନା ଆଦି ବିଭିନ୍ନ କାର୍ୟ୍ୟକ୍ରମ ବାବଦରେ କି ପଦକ୍ଷେପ ଗତ ମାର୍ଚ୍ଚ ପର୍ୟ୍ୟନ୍ତ ନିଆଯାଇଛି, ତାହାର ହିସାବ ମଗାଯାଇଛି । ୧୩ଟି ବିଭାଗର ୩୨ଟି ପ୍ରତିଶ୍ରୁତିର ସମୀକ୍ଷା କରିବେ ନବୀନ ।