ଦାମଙ୍କ ପ୍ରଶ୍ନ: ତିନିଜଣଙ୍କ ପାଖରେ କାହିଁକି ଥିଲା ଚାବି?

Jun 5, 2018 - 18:08
 240
ଦାମଙ୍କ ପ୍ରଶ୍ନ: ତିନିଜଣଙ୍କ ପାଖରେ କାହିଁକି ଥିଲା ଚାବି?
ଭୁବନେଶ୍ୱର: ରତ୍ନଭଣ୍ଡାର ଚାବି ହଜିବା ପରେ ଏବେ ବାକବିତଣ୍ଡା ଆରମ୍ଭ ହୋଇଯାଇଛି । ଏ ନେଇ ତୁଣ୍ଡ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ଡା. ଦାମୋଦର ରାଉତ । ରତ୍ନଭଣ୍ଡାରର ଚାବି ୩ଜଣଙ୍କ ପାଖରେ ଥିଲା ବୋଲି କୁହାଯାଉଛି । ଗଜପତି, ମନ୍ଦିର ପ୍ରଶାସନ ଓ ଭଣ୍ଡାର ଦାୟିତ୍ୱରେ ଥିବା ସେବାୟତଙ୍କ ପାଖରେ ଥିଲା ଚାବି । କୋଟି କୋଟି ଟଙ୍କାର ଭଣ୍ଡାର ଚାବି ତିନିଜଣଙ୍କ ପାଖରେ କାହିଁକି ରଖାଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ଡା. ରାଉତ । ସେମାନଙ୍କ ମଧ୍ୟରୁ ଜଣେ କେହି ଯଦି ନେଇଯାଇଥିବେ ତେବେ କିଏ କ’ଣ କରିପାରିବ । ଜଗନ୍ନାଥଙ୍କ ରତ୍ନଭଣ୍ଡାରରୁ ଯିଏ ଚୋରି କରିଥିବ ସେ ନର୍କରେ ପଡ଼ିବ ବୋଲି ସେ କହିଛନ୍ତି । ସେହିପରି ଗଜପତିଙ୍କ ମହାରାଜାଙ୍କ ପାଖରେ ମଧ୍ୟ ଗୋଟିଏ ଚାବି ଥିବା ବେଳେ ସେ ଚୁପ୍ ଅଛନ୍ତି ବୋଲି ଦାମ କହିଛନ୍ତି । ବିରୋଧୀଙ୍କ ସମାଲୋଚନାକୁ ଏଡ଼ାଇବା ପାଇଁ କମିଶନ ଗଠନ ବ୍ୟତୀତ ଆଉ କ’ଣ ବାଟଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ ପୂର୍ବରୁ ରତ୍ନଭଣ୍ଡାର ଚାବି ହଜିବା ନେଇ ମତ ରଖିଥିଲେ ବିଜୟ ମହାପାତ୍ର । ପୂର୍ବରୁ ୩ଥର ରତ୍ନ ଭଣ୍ଡାର ଖୋଲାଯାଇଥିବା ବେଳେ ଆଉ ଥରେ ଏହାକୁ ଖୋଲାଯାଉ ବୋଲି ଦାବି କରିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି । ପୂର୍ବରୁ ୩ଥର ରତ୍ନଭଣ୍ଡାର ଖୋଲାଯାଇଥିଲା । ତେଣୁ ପୁଣି ଥରେ ସ୍ୱତନ୍ତ୍ର କମିଟି ଗଢ଼ି ସିସିଟିଭି ଲଗାଇ ରତ୍ନଭଣ୍ଡାର ଖୋଲି ଯାଂଚ କରାଯାଉ । ୧୯୮୫ରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇ ଯାଂଚ ହୋଇଥିଲା । ସେମାନଙ୍କ ମଧ୍ୟରୁ ଏବେ ମାତ୍ର ୨ଜଣ ଜୀବିତ ଅଛନ୍ତି । ତେବେ ୧୯୮୫ ଆକଳନ ବେଳେ ଜଉମୁଦ କଥା ଉଲ୍ଲେଖ କରାଯାଇଥିଲା । ହେଲେ ଚାବି କଥା ଉଲ୍ଲେଖ କରାଯାଇନଥିଲା ବୋଲି ସେ କହିଛନ୍ତି ।