ଦଳରେ ଅଣଦେଖା କରାଯାଉଥିଲା : ବିଜୟ
ଭୁବନେଶ୍ୱର,୩୦/୧୧(ସକାଳଖବର): ତାଙ୍କୁ ଏବଂ ଦିଲ୍ଲୀପଙ୍କୁ ଦଳ ପକ୍ଷରୁ ଗତ କିଛି ବର୍ଷହେଲା ଅବହେଳା ଓ ଅଣଦେଖା କରାଯାଉଥିଲା ।ଏହି ଦଳରେ ଅମେ ୧୦ ବର୍ଷ ଧରି ରହିଥିଲୁ । ୨ ବର୍ଷ ହେଲା ତାଙ୍କୁ ଏବଂ ଦିଲ୍ଲୀପଙ୍କ ସହିତ ଦଳ ସମ୍ପର୍କ ରଖିଲା ନାହିଁ ତେଣୁ ଇସ୍ତଫା ଦେବାପାଇଁ ବାଧ୍ୟ ହେଲୁ ବୋଲି କହିଛନ୍ତି ବିଜୟ ମହାପାତ୍ର । ଶୁକ୍ରବାର ଦିନ ଇସ୍ତଫା ଦେବା ପରେ ସାମ୍ବାଦିକ ମାନଙ୍କୁ ଶ୍ରୀ ମହାପାତ୍ର ଏହା କହିଛନ୍ତି ।
ସେ କହିଛନ୍ତି ଯେ ଏହି ଦଳରେ କାହା ବିରୁଦ୍ଧରେ ସେମାନଙ୍କର ଅଭିଯୋଗ କରିବାର ନାହିଁ । ଚାଷୀ ସମସ୍ୟା , ଆଇନ ଶୃଙ୍ଖଳା ଆଦି ବିଭିନ୍ନ ପ୍ରସଙ୍ଗରେ ଦଳ ଭିତରେ ଉଠାଇଛନ୍ତି । ଓଡିଶା ପ୍ରତି କେନ୍ଦ୍ରର ଅବହେଳା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ଯେଉଁମନେ ଏଥିରେ ଏକମତ ହୋଇଥିଲେ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ଯେଉଁମାନେ ଏହାକୁ ବିରୋଧ କରି କଟୁ ମନ୍ତବ୍ୟ ଦେଇଛନ୍ତି ସେମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଦିଲ୍ଲୀପ ବାବୁ ଏବେ ୧୫ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି । ସେ ଫେରିବା ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ୨ ଜଣ ବସି ଆଲୋଚନା କରିବେ । ଏହାପରେ ଶୁଭେଚ୍ଛୁ ଓ ରାଜନେତା ମାନଙ୍କ ସହିତ ଆଲୋଚନା କରିବେ ।
କେଉଁ ଦଳରେ ଯୋଗ ଦେବେ ବା ନୂତନ ରାଜନୈତିକ ଦଳ ଗଠନ କରିବେ ବୋଲି ପ୍ରଶ୍ନ ହେବାରୁ ସେ ସମ୍ପର୍କରେ ଏବେ କହିହେବ ନାହିଁ । ବିଜେଡିରେ ମିଶିବାର ସମ୍ଭାବନା ଅଛିକି ପ୍ରଶ୍ନ ହେବାରୁ ସେ କହିଲେ ଯେ ଏହି ଦଳ ସହିତ କୌଣସି ଆଲୋଚନା କରାଯାଇନାହିଁ । ତରବରିଆ ଭାବେ ବିଜେପିରେ ଯୋଗଦେବା ଆମର ଭୁଲ ନିଷ୍ପତି ଥିଲା । ବ୍ୟକ୍ତିଗତ ଭାବେ ବିଜେପିର ଦଳୀୟ ନେତାମାନଙ୍କ ସହ ସମ୍ପର୍କ ଭଲ ରହିଛି । ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିର ୧୨୦ ମିଶନ କେବେ ସଫଳ ହେବ ନାହିଁ । ଓଡିଶାର ରାଜନୀତିର ସ୍ଥିତି ବର୍ତମାନ ଅସ୍ପଷ୍ଟ ଅଛି । କିଛି ଦିନ ପରେ ତାହା ସ୍ପଷ୍ଟହେବ । ଓଡିଶାକୁ କେନ୍ଦ୍ର ଅବହେଳା କରୁଛି । ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ସେମାନଙ୍କର ଆନ୍ତରିକତା ନାହିଁ । ମହାନଦୀ ବିବାଦର ସମାଧାନ କରିବା, ରାଉରକେଲା ଆଇଜିଏଚ୍ କୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରିବା , ପାରାଦ୍ୱୀପ ଅଏଲ ରିଫାଇନାରୀରେ ଓଡିଆ ଯୁବକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲେ ହେଁ ତାହା ହେଲା ନାହିଁ । କେନ୍ଦ୍ରର ବୈମାତୃକ ଭାବକୁ ଦଳର ନେତାମାନେ ନାପସନ୍ଦ କରିଥିଲେ ହେଁ ଟିକେଟ୍ ନମିଳିବା ଭୟରେ ପ୍ରକାଶ କରୁ ନାହାନ୍ତି । ଗଣତନ୍ତ୍ରରେ ନିରବତା ବିପଦଜ୍ଜନକ । ପଂଚାୟତ ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା । ତଥା କଥିତ ବଡ ବଡ ନେତାମାନେ ମଧ୍ୟ ହାରିଛନ୍ତି ।