ଜନଜାତି କ୍ରୀଡାବିତ୍ ଗୁରୁତର, ଏସସିବିରେ ଭର୍ତ୍ତି

Jun 1, 2018 - 11:51
 171
କଟକ, ୩୧ା୫/(ସକାଳଖବର): ଜନଜାତି କ୍ରୀଡା ପ୍ରତିଯୋଗିତା ଚାଲିଥିବାବେଳେ ଆଜି ଜଣେ ଫୁଟବଲ ଖେଳାଳୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାମ ସୁନାରାମ ସରେଇ(୧୭), ଘର ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାୟରଙ୍ଗପୁର ଥାନା ରଖାସାହି ଗାଁରେ । ତାଙ୍କୁ ବଡ ମେଡିକାଲ କାଜୁଆଲିଟିରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଜବାହାରଲାଲ ନେହରୁ ଇନଡୋର ଷ୍ଟାଡିୟମରେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ପ୍ରଥମ ରାଜ୍ୟ ଜନଜାତି କ୍ରୀଡା ପ୍ରତିଯୋଗିତା ଚାଲିଛି । ଆଜି ଜୁନିୟର ବାଳକ ବିଭାଗର ଫୁଟବଲ ଫାଇନାଲ ମ୍ୟାଚ କନ୍ଧମାଳ ଓ ମୟୁରଭଞ୍ଜ ଟିମ୍ ମଧ୍ୟରେ ମ୍ୟାଚ୍ ଚାଲିଥିବାବେଳେ ହଠାତ ସୁନାରାମ ତଳେ ଖସି ପଡିଥିଲେ । ଫଳରେ ତାଙ୍କର ହାତ ଓ ଗୋଡରେ ଶକ୍ତ ଆଘାତ ଲାଗିଥିବା ଖବର ମିଳିଛି । ପରେ ତାଙ୍କୁ ଆମ୍ବୁଲାନ୍ସରେ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କର ପାଦ, କାନ୍ଧ, ମେରୁଦଣ୍ଡର ଏକ୍ସ ରେ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥିଲେ । କିନ୍ତୁ କାଜୁଆଲିଟି ଏକ୍ସ ରେ ମେସିନଟି ମାନୁଆଲ ହୋଇଥିବାରୁ ପାଦ, କାନ୍ଧର ପରୀକ୍ଷା କରାଯାଇଥିବାବେଳେ ମେରୁଦଣ୍ଡ ପରୀକ୍ଷା ହୋଇପାରିନଥିଲା । ପରେ ମେରୁଦଣ୍ଡର ଏକ୍ସ ରେ ପରୀକ୍ଷା ଘରୋଇ ଡାଇଗ୍ନୋସିସ ସେଣ୍ଟରରେ କରାଯାଇଥିଲା । ଆସନ୍ତାକାଲି ସୁନାରାମଙ୍କର ଡିସଚାର୍ଜ କରାଯିବ ବୋଲି ଡାକ୍ତର କହିଛନ୍ତି ।