ଏସ୍ସିବିରେ ସଫଳ ଅସ୍ତ୍ରୋପଚାର

Jun 1, 2018 - 18:45
 239
କଟକ, ୧ା୬(ସକାଳଖବର): ଜାମୁ କୋଳି ଗଛରୁ ପଡି ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିବା ବାଳକର ସଫଳ ଅସ୍ତ୍ରୋପଚାର ହୋଇଛି । ତା’ର କାଖରେ ପଶି ଛାତିରେ ବାହାରିଥିବା ଡାଳକୁ କଢାଯାଇଛି । ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମପରେ ବାଳକଙ୍କ ଜୀବନ ପ୍ରତି ଥିବା ବିପଦ ଟଳିଯାଇଥିବାବେଳେ ତାଙ୍କୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଆଇସିୟୁରେ ରଖାଯାଇଛି । ହୃଦଶଲ୍ୟବକ୍ଷ ବିଭାଗର ମୁଖ୍ୟ ପ୍ରଫେସର ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ ୩ ଘଣ୍ଟା ଧରି ଏହି ସଫଳ ଅସ୍ତ୍ରୋପଚାର କରିଥିଲେ । ସୂଚନା ଅନୁସାରେ, କେଉଁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଧାଙ୍ଗଡଡିହା ଗାଁର ବିଷ୍ଣୁ ପ୍ରସାଦ ମହାକୁଡ(୧୪) ଗୁରୁବାର ଅପରାହ୍ନରେ ଜାମୁ ଗଛରେ ଚଢିଥିଲେ । କୋଳି ତୋଳିବାକୁ ଗଛର ୨୫ ଫୁଟ ଉପରକୁ ଚାଲିଯାଇଥିଲେ । କିନ୍ତୁ ଉଚ୍ଚକୁ ଚାଲିଯାଇଥିବାରୁ ହଠାତ ଡାଳଟି ଭାଙ୍ଗି ଯାଇଥିଲା । ଫଳରେ ସେ ତଳକୁ ଖସି ଯାଇଥିଲେ । ଜାମୁ ଗଛ ତଳେଥିବା କୁରେଇଁ ଗଛର ଡାଳ ତାଙ୍କ କାଖରେ ପଶି ଛାତିରେ ବାହାରିଥିଲା । ପରିବାର ଲୋକେ ଚିକିତ୍ସା ନିମନ୍ତେ ତାକୁ ପ୍ରଥମେ ଘଟଗାଁ ଓ କେନ୍ଦୁଝର ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ବଡ ମେଡିକାଲକୁ ନେଇଯିବାକୁ ପରାମର୍ଶ ଦେଇଥିଲେ । ବିଳମ୍ବିତ ରାତିରେ କାଜୁଆଲିଟିରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳୁ ତାଙ୍କୁ କାଜୁଆଲିଟିରୁ କାର୍ଡିଓଥୋରାସିକ୍ ବିଭାଗକୁ ନିଆଯାଇଥିଲା । ପରେ ପୂର୍ବାହ୍ନ ୧୧ଟାରେ ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା । ତାଙ୍କୁ ସହଯୋଗ କରିଥିଲେ ସର୍ଜରୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ସାରଦା ପ୍ରସନ୍ନ ସାହୁ, ପିଜି ଛାତ୍ର ଚିତ୍ତରଞ୍ଜନ ଛାଟୋଇ, ନିଶ୍ଚେତନ ବିଭାଗର ଡାକ୍ତର କଲ୍ୟାଣୀବାଳା ନାୟକ । ଦୀର୍ଘ ୩ଘଣ୍ଟାଧରି ଏହି ଅସ୍ତ୍ରୋପଚାର ହୋଇଥିବାବେଳେ ବିଷ୍ଣୁ ଏବେ ସୁସ୍ଥ ଅବସ୍ଥାରେ ଆଇସିୟୁରେ ରହିଛନ୍ତି । ଏହି ଅସ୍ତ୍ରୋପଚାର ସମ୍ପୂର୍ଣ୍ଣରୂପେ ମାଗଣାରେ କରାଯାଇଥିବା ବିଷ୍ଣୁଙ୍କ ବାପା ଅନ୍ତର୍ଯ୍ୟାମୀ ମହାକୁଡ ସୂଚନା ଦେଇଛନ୍ତି ।