କାଲି ଧାରା ୩୭୭ ସମଲିଙ୍ଗୀ ଯୌନ ସଂପର୍କ ଉପରେ ରାୟ

Sep 5, 2018 - 18:19
 237
କାଲି ଧାରା ୩୭୭ ସମଲିଙ୍ଗୀ ଯୌନ ସଂପର୍କ ଉପରେ ରାୟ
ଭୁବନେଶ୍ୱର,୫ା୯(ସକାଳଖବର):ସମ୍ମତି ଭିତ୍ତିରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧଭୁକ୍ତ କରୁଥିବା ଭାରତୀୟ ପିଙ୍ଗଳ କୋଡ୍‍ ଧାରା ୩୭୭ ସମ୍ବନ୍ଧୀୟ ମାମଲା ଉପରେ ସର୍ବୋଚ୍ଚ ଅଦାଲତ ଗୁରୁବାର ଚୂଡାନ୍ତ ରାୟ ପ୍ରକାଶ କରିବେ। ଜୁଲାଇରେ କୋର୍ଟ ୪ ଦିନର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟ ଆଇପିସିର ଧାରା ୩୭୭ ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ ଦେଇଥିବା ଯାଚିକା ଉପରେ କାଲି ନିଷ୍ପତ୍ତି ଶୁଣାଇବେ। ସହମତିରେ ସମଲିଙ୍ଗୀ ଯୌନାଚାରକୁ ଅପରାଧ ଶ୍ରେଣୀରେ ରଖୁଥିବା ଧାରା ୩୭୭ ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ଵାଧୀନ ପାଞ୍ଚ ସଦସ୍ୟ ବିଶିଷ୍ଟ ସମ୍ବିଧାନ ଖଣ୍ଡପୀଠ ଜୁଲାଇ ୧୦ରେ ଶୁଣାଣି ଆରମ୍ଭ କରିଥିଲେ ଏବଂ ଚାରି ଦିନର ଶୁଣାଣି ପରେ ଜୁଲାଇ ୧୭ରେ ଏହି ମାମଲାର ଅନ୍ତିମ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଦୁଇ ଜଣ ବୟସ୍କଙ୍କ ମଧ୍ୟରେ ସହମତି ଭିତ୍ତିରେ ଅପ୍ରାକୃତିକ ଶାରୀରିକ ସମ୍ପର୍କକୁ ଆଇନ ଦୃଷ୍ଟିକୋଣରୁ ଅପରାଧ ଘୋଷଣା କରିବା ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି କେନ୍ଦ୍ର ସରକାର କୋର୍ଟଙ୍କ ଉପରେ ଛାଡ଼ିଦେଇଛନ୍ତି। ପ୍ରଚଳିତ ଆଇନ ଅନୁସାରେ କୌଣସି ପୁରୁଷ, ମହିଳା କିମ୍ବା ପଶୁଙ୍କ ସହିତ ଅପ୍ରାକୃତିକ ଶାରୀରିକ ସମ୍ପର୍କ ସ୍ଥାପନ ଏକ ଅପରାଧ। ଧାରା ୩୭୭ ଅନୁସାରେ ଏହି ଅପରାଧ ପାଇଁ ଦୋଷୀଙ୍କୁ ୧୦ ବର୍ଷ ପର୍ୟ୍ୟନ୍ତ କାରାଦଣ୍ଡାଦେଶ ଦେବାର ବ୍ୟବସ୍ଥା ରହିଛି; କିନ୍ତୁ ଏହି ଧାରା ବିରୋଧରେ ସ୍ୱେଚ୍ଛାସେବୀ ସଂଗଠନ ନାଜ୍‍ ପାଉଣ୍ଡେସନ୍‍ ପ୍ରଥମଥର ଲାଗି ସ୍ୱର ଉଠାଇ କୋର୍ଟଙ୍କ ଆଶ୍ରୟ ନେଇଥିଲା।