ଜେଲ୍‍ରେ ବିଚାରାଧୀନ କଏଦୀର ମୃତ୍ୟୁ

Sep 5, 2018 - 18:35
 211
ଜେଲ୍‍ରେ ବିଚାରାଧୀନ କଏଦୀର ମୃତ୍ୟୁ
ସାଲେପୁର,୫ା୯(ସକାଳଖବର):ବୁଧବାର ସାଲେପୁର ସବ୍‍ଜେଲ୍‍ ପରିସରରେ ବିଚାରାଧୀନ କଏଦୀ ଘନଶ୍ୟାମ କୃତି (୨୨)ଙ୍କୁ ମଧ୍ୟାହ୍ନଭୋଜନ ଖାଇବାକୁ ଦିଆଯାଉଥିବା ବେଳେ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ତଳେ ପଡିଯାଇଥିଲେ। ସେଠାରେ ସେ ରକ୍ତବାନ୍ତି କରିଥିଲେ। ବାନ୍ତିରେ ଖଣ୍ଡ ଖଣ୍ଡ ରକ୍ତ ପଡିଥିବା ସାଥୀ କଏଦୀମାନେ କହିଛନ୍ତି। ତୁରନ୍ତ ଜେଲ୍‍ କର୍ମଚାରୀମାନେ ଘନଶ୍ୟାମଙ୍କୁ ସାଲେପୁର ମେଡ଼ିକାଲକୁ ନେଇଥିଲେ। କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସବ୍‍ଜେଲର୍‍ କହୁଥିବା ବେଳେ ମେଡ଼ିକାଲରେ ପହଞ୍ଚିଲା ପରେ କଏଦୀର ମୃତ୍ୟୁ ଘଟିଥିବା ଡାକ୍ତର ଜଣାଇଛନ୍ତି। ସାଲେପୁର ବ୍ଲକ ଅନ୍ତର୍ଗତ ଜଗତପୁର ଥାନା ବାଲିସାହି ଅଞ୍ଚଳର ତାଳବଣିଆ ମୁଣ୍ଡାସାହି ଗ୍ରାମର ଘନଶ୍ୟାମଙ୍କୁ ଗତମାସ ୧୨ ତାରିଖରେ ଚୋରା ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ଜଗତପୁର ପୁଲିସ ଗିରଫ କରିବା ପରେ ସାଲେପୁର ସବ୍‍ଜେଲ୍‍କୁ ତାଙ୍କୁ ପଠାଇ ଦିଆଯାଇଥିଲା। ଆଜି ପୂର୍ବାହ୍ଣ ସାଢେ ୧୧ଟାରେ ସବ୍‍ଜେଲ୍‍ ପରିସରରେ ଘନଶ୍ୟାମଙ୍କ ମୁଣ୍ଡ ବୁଲାଇବାରୁ ସେ ତଳେ ପଡିଯାଇଥିଲେ ଏବଂ ରକ୍ତବାନ୍ତି କରିଥିଲେ। ପରେ ତାଙ୍କ ମୃତ୍ୟୁ ଘଟିଥିଲା। ସବ୍‍ଜେଲ୍‍ରେ ଡାକ୍ତର ନ ଥିବାରୁ ଜଣେ ଫାର୍ମାସିଷ୍ଟ କଏଦୀଙ୍କ ଚିକିତ୍ସା କରୁଛନ୍ତି। ତେଣୁ ପୂର୍ବରୁ ଘନଶ୍ୟାମଙ୍କ ଠିକ୍‍ ରୋଗ ନିରୂପଣ ହୋଇପାରି ନ ଥିବାରୁ ଆଜି ତାଙ୍କ ମୃତ୍ୟୁ ଘଟିଲା ବୋଲି ଆଲୋଚନା ହେଉଛି। ସାଲେପୁର ପୁଲିସ ମାଜିଷ୍ଟ୍ରେଟ୍‍ଙ୍କ ଉପସ୍ଥିତିରେ ଶବଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିଲା। ଏକ ମାମଲା ରୁଜୁକରି ପୁଲିସ ଘଟଣାର ତଦନ୍ତ କରୁଛି। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସାଲେପୁର ଥାନା ଆଇ.ଆଇ.ସି. ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।ଏଠାରେ କୌଣସି ଡାକ୍ତର ନ ଥିବା ବେଳେ ଜଣେ ଫାର୍ମାସିଷ୍ଟଙ୍କ ଦ୍ୱାରା କଏଦୀଙ୍କ ଚିକିତ୍ସା କରାଯାଉ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।