କନ୍ଧମାଳ :୮ ଶହରୁ ଉଦ୍ଧ୍ୱର୍ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ

Apr 15, 2019 - 06:14
 139
କନ୍ଧମାଳ,୧୪/୪(ସକାଳଖବର): କେଉଁଠି ଗଛମୂଳେ ତ ଆଉ କେଉଁଠି କ୍ଲବ ଘରେ କିମ୍ବା ଆଉ କେଉଁଠି ମଣ୍ଡପ ବା ଭଡ଼ାଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଜିଲ୍ଲାରେ ରହିଥିବା ୮ ଶହରୁ ଉଦ୍ଧ୍ୱର୍ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ । ଏମିତି ଅବ୍ୟବସ୍ଥା ମଧ୍ୟରେ ଚାଲିଛି କନ୍ଧମାଳ ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ର । ତା’ ସାଙ୍ଗକୁ କେନ୍ଦ୍ର ପରିଦର୍ଶନରେ ନା ଯାଉଛନ୍ତି ସୁପରଭାଇଜର ନା ସିଡିପିଓ । ଯାହାଫଳରେ କନ୍ଧମାଳରେ ନାମକୁ ମାତ୍ର ଚାଲିଛି ସମନ୍ୱିତ ଶିଶୁ ବିକାଶ ଯୋଜନା । ଅଭିଯୋଗ କଲେ ଶୁଣିବାକୁ କେହି ନାହିଁ । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିଦେ୍ର୍ଧଶକ ମଧ୍ୟ ଏହି ଜିଲ୍ଲା ଗସ୍ତରେ ଆସି କେନ୍ଦ୍ର ଗୁଡିକର ଅବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ । ଛୁଆଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଖେଳନା କେନ୍ଦ୍ରରେ ନାହିଁ । ପିଇବା ପାଣି କି ପାଇଖାନା ବ୍ୟବସ୍ଥା ନାହିଁ । ତା ସାଙ୍ଗକୁ ନିମ୍ନମାନର ଖାଦ୍ୟ ପ୍ରଦାନ ନେଇ ଅଭିଯୋଗ ହେଉଛି । ଗର୍ଭବତୀ ମହିଳାଙ୍କୁ ଛତୁଆ କି ଅଣ୍ଡା ବି ମିଳୁନି ଜିଲ୍ଲାର ଦୁର୍ଗମ ଅଂଚଳରେ ଥିବା କେନ୍ଦ୍ର ଗୁଡିକରେ । ଫଳରେ ଶିଶୁ ଓ ମାତୃ ମୃତୁ୍ୟହାର କମିବା ପରିବର୍ତେ ବୃଦ୍ଧି ପାଉଛି ଜିଲ୍ଲାରେ । ଜିଲ୍ଲାରେ ମୋଟ୍ ୨ ହଜାର ୧୦୨ ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୧ ହଜାର ୨୧୦ଟିରେ ନିଜସ୍ୱ ଘର ଥିବାବେଳେ ବାକି ୮୯୨ଟି କେନ୍ଦ୍ରର ନିଜସ୍ୱ ଘର ନାହିଁ । କେତେକ ସ୍ଥାନରେ ନିଜସ୍ୱ ଗୃହ କାମ ତିଆରି ଚାଲିଛି ଯେ, ସରିବାକୁ ନାହିଁ । ସେହିପରି ଶତାଧିକ କେନ୍ଦ୍ରରେ ରୋଷେଇ ଘର ମଧ୍ୟ ନାହିଁ । ଫଳରେ ଖୋଲା ଆକାଶ ତଳେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରୋଷେଇ କରି ପିଲାଙ୍କୁ ଖାଦ୍ୟ ପରଷାଯାଉଛି । ସେ ବି ବାରଣ୍ଡାରେ ନଚେତ୍ ଖୋଲା ଆକାଶ ତଳେ । ଏଭଳି ସ୍ଥିତିରେ ଶିଶୁଙ୍କ ବିକାଶ ହେବ କିପରି ବୋଲି ପ୍ରଶ୍ନ ଉଠୁଛି । କନ୍ଧମାଳ ଜିଲ୍ଲାପାଳ, ପ୍ରକଳ୍ପ ନିଦେ୍ର୍ଧଶକ ଡିଆରଡିଏ କିମ୍ବା ବିଭାଗୀୟ ନିଦେ୍ର୍ଧଶକ ଏ ଦିଗରେ ଦୃଷ୍ଟି ଦେବାକୁ ଦାବୀ ହେଉଛି ।