କଟକରେ ଖୋଲିଲା ଦୁଇଟି ସିଏନଜି ଷ୍ଟେସନ

Jun 9, 2018 - 15:09
 152
କଟକରେ ଖୋଲିଲା ଦୁଇଟି ସିଏନଜି ଷ୍ଟେସନ
କଟକ, ୯/୬(ସକାଳଖବର) ସମଗ୍ର ଦେଶକୁ ପ୍ରଦୂଷଣ ମୁକ୍ତ କରିବା ଲାଗି ମୋଦି ସରକାର ନେଇଥିବା ନିଷ୍ପତି ଅନୁଯାୟୀ ଆଜି ଅପରାହ୍ଣରେ ଐତିହାସିକ କଟକ ସହରର ସିଡିଏ ସେକ୍ଟର-୧ ଓ ବିଦ୍ୟାଧରପୁର ଠାରେ ୨ଟି ସିଏନଜି ଫିଲିଙ୍ଗ ଷ୍ଟେସନର ଶୁଭ ଉଦଘାଟନ କରାଯାଇଛି । କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ୍, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେକ୍ଟର ୧ ସିଏନଜି ଷ୍ଟେସନ ସହିତ ବିଦ୍ୟାଧରପୁରର ସିଦ୍ଧିବିନାୟକ ସର୍ଭିସ ଷ୍ଟେସନକୁ ଉଦଘାଟିତ କରିଛନ୍ତି । ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ, କଟକ ସହରବାସୀଙ୍କୁ ମୋଦି ସରକାରଙ୍କ ଏହା ହେଉଛି ରଜ ଉପହାର । ସ୍ୱଚ୍ଛ ଭାରତ ଗଠନ ଲକ୍ଷ୍ୟ ନେଇ ସରକାର ଅନେକ ପଦକ୍ଷେପ ନେଇଛନ୍ତନ୍ତୋ । ମୂଖ୍ୟତଃ ପ୍ରଦୂଷଣ ଦେଶରେ ଭୟାବହତା ସୃଷ୍ଟି କରୁଥିବାରୁ ଆଗାମୀ ଦିନରେ ତାହାର ନିରାକରଣ ନିମନ୍ତେ ପଦକ୍ଷେପ ନିଆଯିବ । ମୁଖ୍ୟତଃ ଅଟୋରିକ୍ସାରୁ ନିର୍ଗତ ଧୂଆଁ ବହୁ ପରିମାଣରେ ପରିବେଶକୁ ଦୂଷିତ କରୁଥିବାରୁ ସରକାରଙ୍କର ଏହି ସିଏନଜି ଫିଲିଙ୍ଗ ଷ୍ଟେସନ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏହି ଦୁଇଟି ଫିଲିଙ୍ଗ ଷ୍ଟେସନ ପରେ ସହରରେ ଆହୁରି ୩ଟି ସିଏନଜି ଷ୍ଟେସନ ଖୋଲାଯିବର ଯୋଜନା ରହିଛି । ତେବେ ଚଳିତ ୨୦୧୮-୧୯ ବର୍ଷ ଶେଷ ସୁଦ୍ଧା ପ୍ରାୟ ୫ ହଜାର ଅଟୋକୁ ଗ୍ୟାସ ଚାଳିତ କରାଯିବ । ଏବେ ଏକ ଲିଟର ଡିଜେଲରେ ଅଟୋ ରିକ୍ସାଟିଏ ୩୫ କିଲୋମିଟର ଯାଉଥିବା ବେଳେ ୫୯ ଟଙ୍କା ୬ ପଇସା ଦରରେ ୧ କେଜି ସିଏନଜି ଦ୍ୱାରା ପ୍ରାୟ ୫୫ କିମି. ଯାଇପାରିବ । ଏହି ବର୍ଷ ଭିତରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ନୟାଗଡ, ଅନୁଗୁଳ, ଜଗତସିଂହପୁର, ଖୋର୍ଦ୍ଧା ସହିତ ୧୯ ଟି ଜିଲ୍ଲାରେ ଏହି ବ୍ୟବସ୍ଥା କରାଯିବା ସହିତ ଘରକୁ ମଧ୍ୟ ପାଣି ପାଇପ ଭଳି ରନ୍ଧନ ଗ୍ୟାସ ସଂଯୋଗ କରାଯିବ । ଏହି କାର୍ଯ୍ୟକ୍ରମରେ ସମୀର ଦେ, ନିବେଦିତା ପ୍ରଧାନ, ନୟନ କିଶୋର ମହାନ୍ତି, ପୀତାମ୍ବର ଆଚାର୍ଯ୍ୟ ଓ ଗେଲ ଇଣ୍ଡିଆର ଡ. ଆଶୁତୋଷ କର୍ଣ୍ଣାଟକ ପ୍ରମୁଖ ଉପସ୍ଥିତ ଥିଲେ