ଏସସିବି: ପ୍ରିପେଡ ଅଟୋ ସେବା ଅଚଳ

Jun 9, 2018 - 15:17
 146
ଏସସିବି: ପ୍ରିପେଡ ଅଟୋ ସେବା ଅଚଳ
କଟକ, ୯ା୬/(ସକାଳଖବର): ନିରାପଦଭାବେ ଯାତାୟତ କରିବେ ରୋଗୀ ଓ ସମ୍ପର୍କୀୟ । ସେଥିପାଇଁ କମିଶନରେଟ ପୋଲିସ, ଏସସିବି ମେଡିକାଲ କର୍ତ୍ତୃପକ୍ଷ, କଟକ ଅଟୋ ମହାସଂଘ ଓ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ ମିଳିତ ଉଦ୍ୟମରେ ବଡ ମେଡିକାଲରେ ଆରମ୍ଭ ହୋଇଥିଲା ପ୍ରିପେଡ ଅଟୋ ସେବା । ଏହା କେବଳ ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ଉପଲବ୍ଧ ହେଉଥିଲା । କିନ୍ତୁ କିଛିଦିନ ଚାଲିବାପରେ ହଠାତ ବନ୍ଦ ହୋଇଗଲା ଏହି ଯୋଜନା । ଏବେ ରହିଛି କେବଳ ପ୍ରିପେଡ ଅଟୋ ସେବାର ବୁଥ୍ ଓ ଏହା କଡରେ ଗ୍ରାହକଙ୍କୁ ଅପେକ୍ଷାରତ ଶତାଧିକ ଅଟୋ । ଯଦି ୨୪ଘଣ୍ଟିଆ ପ୍ରିପେଡ୍ ଅଟୋ ସେବା ଆରମ୍ଭ ହେବ ତେବେ ପୁଣି ଏହି ଯୋଜନା ସୁରୁଖୁରୁରେ ଚାଲିପାରିବବୋଲି ଅଟୋଚାଳକମାନେ ଆଶାପ୍ରକାଶ କରିଛନ୍ତି । ସୂଚନା ଅନୁସାରେ, ସହରରେ ଟ୍ରାଫିକ ଜାମକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ନିଦେ୍ର୍ଧଶକ୍ରମେ ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି ଗଠନ କରାଯାଇଥିଲା । ଏହି କମିଟି ତରଫରୁ ୨୦୧୪ ମସିହାରେ ରୋଗୀ ଓ ସମ୍ପର୍କୀୟମାନେ ରାତ୍ରୀ ସମୟରେ ଯିବାଆସିବା କରିବାପାଇଁ ଜରୁରୀକାଳୀନ ସେବାଭାବେ ପ୍ରିପେଡ ଅଟୋ ସେବା ଆରମ୍ଭ ହୋଇଥିଲା । ଏହାଦ୍ୱାରା ସ୍ୱଳ୍ପ ମୂଲ୍ୟରେ ଲୋକମାନେ ନିରାପଦରେ ଯିବାଆସିବା କରିବେ । ସରକାରଙ୍କ ଭାଗିଦାରିତାଯୋଗୁ ଚୋରି ମଧ୍ୟ ହେବନାହିଁ । ଟ୍ରାଫିକ ପୋଲିସ ତରଫରୁ ସହରର ବିଭିନ୍ନ ରୁଟ୍ ନିର୍ଣ୍ଣୟ କରାଯାଇଥିବାବେଳେ ପରିବହନ ବିଭାଗ ତରଫରୁ ଦର ଧାର୍ଯ୍ୟ କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ୬୦ଟି ଅଟୋ ଏହି ସେବାରେ ନିୟୋଜିତ ହୋଇଥିଲ । ଏହି ପ୍ରିପେଡ ଅଟୋଗୁଡିକର ପଞ୍ଜିକରଣ କରାଯିବା ସହ ଯାନରେ ସ୍ୱତନ୍ତ୍ର ଷ୍ଟିକର ଲଗାଯାଇଥିଲା । ଫଳରେ ଲୋକମାନେ ଏହି ଅଟୋରେ ନିର୍ଭୟର ସହ ଯିବାପାଇଁ ସାହସ ବାନ୍ଧିବେ । ଅଟୋଚାଳକମାନେ ୟୁନିଫର୍ମ ପିନ୍ଧିବା ସହିତ ବେକରେ ପରିଚୟ ପତ୍ର ଧାରଣ କରୁଥିଲେ । କିନ୍ତୁ କିଛିଦିନପରେ ବେପାର ନହେବାରୁ ଯୋଜନା ବନ୍ଦ ହୋଇଗଲା । ତେବେ ଏହି ସେବା ୨୪ଘଣ୍ଟିଆ ଭାବେ ଚାଲୁ କରାଗଲେ, ଭଲ ବ୍ୟବସାୟ ହେବବୋଲି ଅଟୋ ଷ୍ଟାଣ୍ଡର ଜଣେ ସଦସ୍ୟ କହିଛନ୍ତି । ତାଙ୍କ କହିବା ଅନୁସାରେ, ଉଦାହରଣଭାବେ ବଡ ମେଡିକାଲରୁ ମର୍କତ ନଗର ପର୍ଯ୍ୟନ୍ତ ଯିବାପାଇଁ ଏବେ ୩୦୦ ଟଙ୍କା ଭଡା ପଡୁଛି । କିନ୍ତୁ ପ୍ରିପେଡ ଅଟୋ ସେବାରେ ଉକ୍ତ ସ୍ଥାନକୁ ଯିବାପାଇଁ ୧୩୦ ଟଙ୍କା ପଡୁଥିଲା । ଭଡା କମ ନିଆଯିବାର କାରଣ ରହିଛି । ଏବେ ବିଭିନ୍ନ ଜାଗାକୁ ଗଲାବେଳେ ପୋଲିସ ତଥା ଆରଟିଓଙ୍କ ଗାଡି କାଗଜପତ୍ର ଯାଞ୍ଚ ଡର ରହୁଛି । କିନ୍ତୁ ପ୍ରିପେଡ୍ ଅଟୋ ସେବାରେ ପଞ୍ଜିକରଣ ହେବାପରେ ତାହା ରହିବ ନାହିଁ । ଏହି ଅଟୋରେ ଯିବାପାଇଁ ଲୋକଙ୍କ ଆଗ୍ରହ ବଢିବବୋଲି ଏସସିବି ମେଡିକାଲ ଅଟୋ ଷ୍ଟାଣ୍ଡର ସଦସ୍ୟମାନେ ମତପ୍ରକାଶ କରିଛନ୍ତି । କମିସନରେଟ ପୋଲିସ ତରଫରୁ ପ୍ରିପେଡ ଅଟୋ ସେବା ଆରମ୍ଭ କରାଯାଇଥିଲା । ବଡ ମେଡିକାଲ ତରଫରୁ କେବଳ ଜାଗା ଯୋଗାଇ ଦିଆଯାଇଥିବା ଅଧୀକ୍ଷକ ପ୍ରଫେସର ପ୍ରସନ୍ନ କୁମାର ଦେବତା କହିଛନ୍ତି ।