ଏସିଡ଼୍ ପୀଡ଼ିତା: ନୂଆ ରୂପ, ନୂଆ ସଂକଳ୍ପ

Aug 27, 2018 - 18:56
 276
ଏସିଡ଼୍ ପୀଡ଼ିତା: ନୂଆ ରୂପ, ନୂଆ ସଂକଳ୍ପ
କଲମପୁର,୨୭/୮ (ସକାଳଖବର): ଜୀବନ ଯୁଦ୍ଧରେ ଏସିଡ୍ ପ୍ରୟୋଗରୁ ବର୍ତି ଯାଇଥିବା ଜନୈକା ଯୁବତୀଏକ ନୂତନ କିରଣର ସ୍ପର୍ଶପାଇ ତାର ଏସିଡମରା ମୁହଁକୁ ସଜାଡିବା ପରେ ତା ଭିତରେ ଅନେକ ଉଦ୍ଧିପନା ଓ ପରିବର୍ତନର ଝଲକ ଫୁଟି ଉଠିଛି । ଏକ ପରିବର୍ତିତ ସଂକଳ୍ପକୁ ନେଇ ସଂପ୍ରତି ସମାଜରେ ମୁଣ୍ଡଟେକି ଚାଲିବା ପାଇଁ ସେ ପ୍ରୟାସ ଆରମ୍ଭ କରିଛନ୍ତି । ଏଭଳି ଏକ ଘଟଣା କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଖଣ୍ଡି ଡଙ୍ଗରିଗୁଡାର ଯୁକ୍ତ ବିହାରୀଙ୍କ ବଡଝିଅ ଦମୟନ୍ତୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଗତ ଜାନୁଆରୀ ମାସ ୧୫ ତାରିଖ ଦିନ ଦମୟନ୍ତୀ ପ୍ରତିଦିନ ଭଳି କମ୍ପୁ୍ୟଟର କ୍ଲାସ କରିବା ପାଇଁ କଲମପୁର ଅଭିମୁଖେ ହାତୀନଦୀ ପାରି ହୋଇ ଚାଲିଚାଲି ଯାଉଥିବା ସମୟରେ ବଙ୍କାପଲା ନିକଟରେ ଅତର୍କିତ ଭାବେ ପଛପଟୁ ବିଫଳ ପ୍ରେମିକ ପର୍ଶୁରାମ ମାଝୀ ତାଙ୍କ ମୁହଁକୁ ଏସିଡ୍ ମାଡ କରିଥିଲା । ନିଜର ବୁଦ୍ଧିମତା ଯୋଗୁ ଦମୟନ୍ତୀ ହାତୀନଦୀ ପାଣିରେ ବୁଡି ରହିଥିଲେ ଏବଂ ମୃତୁ୍ୟ ମୁଖରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ ମଧ୍ୟ ତାଙ୍କ ମୁହଁ ଓ ହାତ ପୋଡି ଯାଇଥିଲା । ପ୍ରଥମେ ସେ କଲମପୁର ଓ ପରେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତି ହୋଇ କଟକ ବଡ ଡାକ୍ତରଖାନାର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଦୀର୍ଘ ସାତ ମାସ ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ବୁଧବାର ଦିନ ନିଜ ଜନ୍ମମାଟି ଖଣ୍ଡି ଡଙ୍ଗରିଗୁଡାକୁ ଫେରିଛନ୍ତି । ଦମୟନ୍ତୀ ନିଜ ପୁରୁଣା ମୁହଁରେ ନୂଆ ଚେହେରା ସାଙ୍ଗକୁ ଏକ ନୂତନ ପରିବର୍ତିତ ସଂକଳ୍ପ ନେଇ ଜୀବନ ଯାତ୍ରା ଆରମ୍ଭ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ତାଙ୍କୁ ତାଙ୍କ ସାଙ୍ଗ ସାଥୀ ଓ ସଂପର୍କିୟ ମାନେ ପୂର୍ବାପେକ୍ଷା ଏକ ଭିନ୍ନ ନଜରରେ ଦେଖୁଥିବା ଅନୁଭବ କରୁଥିବା ସେ ପ୍ରକାଶ କରିବା ସହ ଘର ସଂସାର କରିବା ବଦଳରେ ତାଙ୍କୁ ଏକ ସରକାରୀ ଚାକିରି ଯୋଗାଇଦେଲେ ନିଜେ ବଂଚିବା ସହ ସମାଜ ସେବାରେ ନିଜକୁ ନିୟୋଜିତ କରିବେ ବୋଲି ଆଶା ବାନ୍ଧିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ରହି ଥିବାରୁ ତାଙ୍କୁ ସୁରକ୍ଷା ପ୍ରଦାନ ପାଇଁ ମଧ୍ୟ ସେ ଜିଲ୍ଲାପାଳଙ୍କୁ ନିବେଦନ କରିବେ ବୋଲି ଜଣେଇଛନ୍ତି । ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ନିବେଦନ କରିବା ସହ ତାଙ୍କ ଜୀବନରେ ଯେମିତି ଘଟଣା ଘଟିଛି ସେଭଳି ଅନ୍ୟ କୈାଣସି ଝିଅ ସହ ନଘଟୁ ବୋଲି କୋହଭରା କଣ୍ଠରେ କହିଛନ୍ତି ଦମୟନ୍ତୀ । ସମ୍ପ୍ରତି ସମାଜରେ ଝିଅ ଓ ମହିଳା ମାନଙ୍କ ପ୍ରତି ପୁରୁଷ ବର୍ଗ ଉଚିତ ବ୍ୟବହାର ପ୍ରଦର୍ଶନ କରିବା ଓ କୈାଣସି ପରିସ୍ଥିତିରେ ମଧ୍ୟ ଜୀବନଯୁଦ୍ଧରେ ଭାଙ୍ଗି ନପଡି ପରିସ୍ଥିତିର ସମ୍ମୁଖିନ ହେବାକୁ ସେ ଯୁବ ପିଢିକୁ ଆହ୍ୱାନ ଦେଇଛନ୍ତି ।