ଅସମ୍ଭାଳ ତାତି, ୩ ଦିନ ପରେ ମିଳିପାରେ ସାମାନ୍ୟ ଆଶ୍ୱସ୍ତି
ଭୁବନେଶ୍ୱର ୨୯।୦୪ : ଉତ୍ତରରୁ ଦକ୍ଷିଣ, ପଶ୍ଚିମରୁ ପୂର୍ବ… ଜଳୁଛି । ତ୍ରାହି ନାହିଁ । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ତାତି । ଚଳିତବର୍ଷ ପ୍ରଥମ ଥର ପାଇଁ ବୌଦ୍ଧ ସହର ଗୁରୁବାର ୪୫ ଡିଗ୍ରୀ ତାତିରେ ଭାଜି ହୋଇଯାଇଛି । ପାଣିପାଗ ରେକର୍ଡ ଅନୁସାରେ ଏପ୍ରିଲରେ ବୌଦ୍ଧ ପାଇଁ ଏହା ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା । ଖାଲି ସେତିକି ନୁହେଁ, ଗୁରୁବାର ୨୫ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିବାବେଳେ ୧୩ଟି ଜାଗାରେ ତାତି ୪୩ ଡିଗ୍ରୀ ଟପିଥିଲା । ସେଥିରୁ ୮ଟି ସହର ୪୪ ଡିଗ୍ରୀରୁ ଅଧିକ ତାତିରେ କଲବଲ ହୋଇଥିଲା ।
ପାଣିପାଗ ବିଭାଗ କହିଛି, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଆଜିର ଦିନଟି ବର୍ଷର ସବୁଠୁ ଉତ୍ତପ୍ତ ଦିନ । ଆସନ୍ତା ୩ ଦିନ ପରେ ତାତି ସାମାନ୍ୟ କମିବ । କାଳବୈଶାଖୀ ପ୍ରଭାବରେ ଗ୍ରୀଷ୍ମ ଲହରୀରେ ଲାଗିବ ବ୍ରେକ୍ । ଆସନ୍ତା ମେ’ ୧/୨ ତାରିଖବେଳକୁ ତାପମାତ୍ରା ୨ ଡିଗ୍ରୀ କମିପାରେ । ଯଦି ଏହି ଆକଳନ ସତ ହୁଏ, ଆସନ୍ତା ୧ ତାରିଖବେଳକୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୭/୩୮ ଡିଗ୍ରୀ ପାଖାପାଖି ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ଏବେ ୪୩-୪୫ ଡିଗ୍ରୀ ତାତିରେ ଭାଜି ହେଉଥିବାବେଳେ ସେତେବେଳକୁ ପାରଦ ୪୨ ଡିଗ୍ରୀକୁ ଖସିପାରେ । ଅର୍ଥାତ୍ ଆସନ୍ତା ୧/୨ ତାରିଖବେଳକୁ ତାତିରୁ ବଡ଼ ଆଶ୍ୱସ୍ତି ମିଳିବା ଆଶା କମ୍ ।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ବର୍ତ୍ତମାନ ଯେଉଁଭଳି ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଛି, ତାହା ପ୍ରାୟତଃ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ବର୍ତ୍ତମାନ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଥିଲେ ବି ତାହା ହାଲୁକା ବର୍ଷା କରାଇବ । ଏହା ତାତି ହ୍ରାସ ପାଇଁ ପର୍ଯ୍ୟାପ୍ତ ହେବନି । ଅନୁମାନ କରାଯାଉଛି, ଉପକୂଳ ଓଡ଼ିଶାରେ ୩୦ ଯାଏଁ ଅସହ୍ୟ ତାତି ପ୍ରକୋପ ଜାରି ରହିବ । ୧ରୁ ସାମାନ୍ୟ କମିବ । କମିଲେ ମଧ୍ୟ ଉପକୂଳରେ ପାରଦ ୩୭-୩୯ ଡିଗ୍ରୀ ପାଖାପାଖି ରହିବ । ମାତ୍ର ଆଭ୍ୟନ୍ତରୀଣ ଅଞ୍ଚଳରେ ଏବେ କମିବନି । ୩ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା ଯେମିତି ଜଳୁଛି ଜଳିବ ଆସନ୍ତା ୧ କିମ୍ବା ୨ ତାରିଖବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୬ ଡିଗ୍ରୀ ଡେଇଁପାରେ । ୪ ତାରିଖରୁ ଧୀରେଧୀରେ ତାତି କମିବ । ୫/୬ରୁ ହିଁ ସାରା ଓଡ଼ିଶାରେ ଗରମ କମିପାରେ । ସେ ସମୟରେ ପବନର ଦିଗ ବଦଳିବ । ସାମୁଦ୍ରିକ ପବନ ବଢ଼ିବା ସହ କାଳବୈଶାଖୀ ବଢ଼ିପାରେ । ବର୍ଷା ହେଲେ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ତାତି କମ୍ ରହିପାରେ । ମାତ୍ର ସାମୁଦ୍ରିକ ପବନ କେତେ ଶକ୍ତିଶାଳୀ ହେଉଛି, ତାହା ଉପରେ ସବୁକିଛି ନିର୍ଭର କରିବ । ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ହେବନି ।