ଅନୁଗୋଳରେ ବଢ଼ି ଚାଲିଛି ବନ୍ଧୁକ ଓ ଗୁଳି କାରବାର
ଅନୁଗୋଳ, ୧୧/୧୧(ସକାଳଖବର): ଅନୁଗୋଳ ଜିଲାରେ ବଢ଼ି ଚାଲିଛି ବନ୍ଧୁକ ଓ ଗୁଳିର କାରବାର । ଗୋଟିଏ ପରେ ଗୋଟିଏ ଗୁଳିମାଡ଼ ଘଟଣା ଘଟି ଚାଲିଛି । ଯାହାକି ଅନୁଗୋଳ ଏବେ ପାଲିଟି ଯାଇଛି ଅସୁରକ୍ଷିତ । କିଛି ଦିନ ପୂର୍ବରୁ ଛେଣ୍ଡିପଦା ଅଞ୍ଚଳରେ ଗୁଳି ମାଡ଼ ଘଟଣା ଘଟିଥିବା ବେଳେ ଗତକାଲି ପୁଣି ତାର ପୁନରାବୃତ୍ତି ଦେଖିବାକୁ ମିଳିଛି ତାଳଚେର ଅଞ୍ଚଳର ସନ୍ଥପଡ଼ା ଗାଁରେ । ମଦ ବ୍ୟବସାୟକୁ ନେଇ ଗୁଳି ମାଡ ଯୋଗୁଁ ୨ ଜଣ ଆହତ ହୋଇଛନ୍ତି । ଜଣଙ୍କର ଛାତିରେ ୩ଟି ଗୁଳି ମାଡ଼ ହୋଇଥିବାବେଳେ ତାଙ୍କ ଅବସ୍ଥା ଅତି ଗୁରୁତର ଯୋଗୁଁ କଟକ ସ୍ଥାନାନ୍ତର କରାଯାଇଛି ଏବଂ ଅନ୍ୟ ଆହତ ଜଣଙ୍କ ଅନୁଗୋଳ ମେଡ଼ିକାଲରେ ଚିକିସôତ ହେଉଛନ୍ତି ।
ଘଟଣାରୁ ପ୍ରକାଶ ଯେ, ପର୍ଜଙ୍ଗ ଅଞ୍ଚଳର ଆମ୍ବପଳାସ ଗାଁର ବଳୀ ସାହୁ ଓ ଅନ୍ୟଜଣକୁ ଗୁଳି ମାଡ଼ ହୋଇଛି । ଏହି ଘଟଣା ମଦ ବ୍ୟବସାୟକୁ ନେଇ ଘଟିଥିବା ଜଣାଯାଇଛି । ଗତକାଲି ସନ୍ଧ୍ୟା ୮.୩୦ବେଳେ ନାଲକୋ ଥାନା ବଳରାମ ପ୍ରସାଦ ଗାଁର କାଳିଆ ସାହୁ ଓ ବଳୀ ସାହୁ ଏବଂ ଅନ୍ୟଜଣେ ସନ୍ଥପଡ଼ାଠାରେ ମଦ ବ୍ୟବସାୟକୁ ନେଇ ଯୁକ୍ତିତର୍କ ହୋଇଥିଲେ । ଏଥିରେ ଉତ୍ତେଜିତ ହୋଇ କାଳିଆ ବନ୍ଧୁକ ବାହାର କରି ବଳି ସାହୁଙ୍କ ଉପରକୁ ଗୁଳି ମାଡ଼ କରିଥିଲା । ଫଳରେ ବଳିଙ୍କ ଛାତିରେ ୩ଟି ଗୁଳି ବାଜିଥିବାବେଳେ ପାଖରେ ଅନ୍ୟଜଣେ ଯୁବକ ମଧ୍ୟ ଆହତ ହୋଇଛନ୍ତି । ଗୁରୁତର ଆହତ ଅବସ୍ଥାରେ ଦୁଇଜଣଙ୍କୁ ଅନୁଗୋଳ ମେଡ଼ିକାଲରେ ବିଳମ୍ବିତ ରାତିରେ ଭର୍ତ୍ତି କରାଯାଇଥିଲା । ତେବେ ବଳିଙ୍କର ଅବସ୍ଥା ଗୁରୁତର ଯୋଗୁଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ଯେ, ଅନୁଗୋଳ ଜିଲାରେ ଚୋରା ବନ୍ଧୁକ କାରବାର ବେଧଡ଼କରେ ଚାଲିଛି । ଯାହାକି ଟିକେ ଟିକେ କଥାରେ ଗୁଳି ମାଡ଼ ହେଉଛି । ତେବେ ଚୋରା ବନ୍ଧୁକ କାରବାରକୁ ପୋଲିସ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ପୋଲିସ ସାଧାରଣ ଘଟଣା ଓ ସମସ୍ୟା ଥାନାକୁ ଆସିଲେ ଗାଉଁ ଗାଉଁ କରି ମାଡ଼ି ବସୁଛି । ମାତ୍ର ଚୋରୀ, ହତ୍ୟା, ଲୁଟ ଏପରିକି ଗୁଳି ମାଡ଼ ଭଳି ଘଟଣାରେ ସମ୍ପୂର୍ଣ୍ଣ ଫେଲ ମାରିଛି । ଯାହାକି ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି । ଅପରପକ୍ଷେ ଚୋରା ବନ୍ଧୁକ କାରବାର ବୃଦ୍ଧି ପାଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ । ଯଦ୍ୱାରା ଚୋରା ବନ୍ଧୁକ କାରବାର ବୃଦ୍ଧି ପାଉଛି । ଆଉ ଆଜି କାଲି ରୋମିଓ ଓ ଅସାମାଜିକ ଯୁବକଙ୍କ ପାଖରେ ଚୋରା ବନ୍ଧୁକ ପିସ୍ତଲ ରହୁଥିବା ଯୋଗୁଁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇ ଚାଲିଛି । ପୋଲିସ କେବଳ ମାମଲା ରୁଜୁ କରି ଫାଇଲ ଚାଷରେ ବ୍ୟସ୍ତ ରହୁଛି । ଫଳରେ ଅନୁଗୋଳ ଜନସାଧାରଣ ଭୟ, ଆତଙ୍କ ଓ ଅସୁରକ୍ଷିତ ଦେଇ ଜୀବନ ଅତିବାହିତ କରୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।