ନରସିଂହପୁରରେ ୯୩୧ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩/୨(ସକାଳଖବର): ଓଡିଶାର ଚାଷୀ , ଭୂମିହୀନ, ନାମମାତ୍ର ଚାଷୀ ଓ କୃଷି ଶ୍ରମିକ ଏବଂ ସେମାନଙ୍କ ପିଲାଙ୍କ ପାଇଁ ଓଡିଶା ସରକାର ପ୍ରସ୍ତୁତ କରିଥିବା ଉଭୟ କାଳିଆ ଯୋଜନା ଓ କାଳିଆ ଛାତ୍ରବୃତି ଯୋଜନା ଐତିହାସିକ ପଦକ୍ଷେପ । ଭାରତ ସରକାରଙ୍କ କିଷାନ ଯୋଜନା ଠାରୁ କାଳିଆ ଯୋଜନା ଭଲ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ କିଷାନ ଯୋଜନାରେ ଚାଷୀଙ୍କୁ ୬ ହଜାର ଟଙ୍କା ମିଳୁଥିବା ବେଳେ ଏହାକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିବା ଏବଂ ବିନା ସୁଧରେ ଋଣ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।
ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ନରସିଂହପୁର ଅଂଚଳର ଏ.ଏନ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଯେ, କାଳିଆ ଯୋଜନା ଚାଷୀଭାଇ ମାନଙ୍କର ସ୍ୱାଭିମାନକୁ ବୃଦ୍ଧି କରିଛି । ଚାଷୀକୁ ତାର ହକ୍ ଦେବା ପାଇଁ ରାଜ୍ୟ ସରକାର ତାର କାମ କରୁଛି । ଏହି କାଳିଆ ଯୋଜନା ରାଜ୍ୟର କୃଷି ଅର୍ଥନିତୀକୁ ନିଶ୍ଚିତ ଭାବେ ସମୃଦ୍ଧ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଗରୀବି ଦୂର କରିବା ଓ ଚାଷୀର ଅବସ୍ଥାର ଉନ୍ନତି ଆଣିବା ହେଉଛି ଏହାର ମୂଳ ଲକ୍ଷ୍ୟ । ଭୂମିହୀନ ଚାଷୀ, ଭାଗଚାଷୀ, କୃଷି ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ କିଷାନ ଯୋଜନାରୁ ବଂଚିତ କରାଯାଇଥିବାରୁ ତା ଉପରେ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ସେମାନଙ୍କୁ ଏଥିରେ ସାମିଲ କରିବା ପାଇଁ ଦାବି କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୯୩୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହାଛଡ଼ା ଅଙ୍ଗନବାଡ଼ି ଭିତିଭୂମି ସହିତ ମହିଳା ଗ୍ରୁପ ତଥା ବିଭିନ୍ନ ଯୋଜନାରେ ଉପକୃତ ହିତାଧିକାରୀଙ୍କୁ ଜିଲ୍ଲାପ୍ରଶାସନ ଦ୍ୱାରା ସହାୟତା ବଂଟନ କରିଥିଲେ । ମୁଖ୍ୟମନ୍ତ୍ରୀ ବଡ଼ମ୍ବା ଏବଂ ନରସିଂହପୁର ବ୍ଲକର ୭୩ଟି ଗ୍ରାମପଂଚାୟତର ସମସ୍ତ ଅଧିବାସୀ ମହାନଦୀରୁ ପାନୀୟ ଜଳ ଯୋଗାଇ ଦେବାକୁ ୨୭୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୃହତ ମେଗା ପାନୀୟ ଜଳ ପ୍ରକଳ୍ପର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ । ମରୁଡ଼ି ପ୍ରପୀଡ଼ିତ ବଡ଼ମ୍ବା-ନରସିଂହପୁର ଚାଷୀକୁଳ ପାଇଁ କଟକ ଜିଲ୍ଲାରେ ଏକମାତ୍ର ୪୦୦ କୋଟି ଟଙ୍କାର ଅନୁମୋଦିତ ମେଗା ଜଳ ସେଚନ ପ୍ରକଳ୍ପ, ୨୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଥିବା ୫ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ରହିଛି । ଯାହାଦ୍ୱାରା ୧୦ ହଜାର ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିପାରିବ । ନିର୍ମିତ ପ୍ରଥମ ପର୍ଯ୍ୟାୟ ସ୍ଥାପନକୁ ଉଦଘାଟନ କରିବା ସହ ବଡ଼ମ୍ବାର କିଛି ଅଂଚଳ ଏବଂ ସଂଲଗ୍ନ ନରସିଂହପୁର ବ୍ଲକର କିଛି ଅଂଚଳ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୧୬୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଯାଉଥିବା ସେଚ ବ୍ୟବସ୍ଥାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।