୬ କୋଟି ଜଳକର ଆଦାୟ
କଟକ , ୨୬/୪ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ଅଧିନରେ ରହିଥିବା କଟକସ୍ଥିତ ଜନସ୍ୱାସ୍ଥ୍ୟ ଡିଭିଜନ ୧ ଓ ୨ରୁ ଗତ ୨୦୧୭-୧୮ ଆର୍ଥିକ ବର୍ଷର ମାର୍ଚ୍ଚ ୩୧ ସୁଦ୍ଧା ୬ କୋଟି ୫୬ ଲକ୍ଷ ଟଙ୍କାର ଜଳକର ଆଦାୟ କରାଯାଇଛି । ତେବେ ସରକାରଙ୍କ ଲକ୍ଷ୍ୟଧାର୍ଯ୍ୟ ଅନୁଯାୟୀ ବିଭାଗ ପକ୍ଷରୁ ଆଶାନୁରୂପକ ଆଦାୟ ହୋଇନଥିଲେ ହେଁ ମହାନଦୀବିହାରସ୍ଥିତ ଜନସ୍ୱାସ୍ଥ୍ୟ ଡିଭିଜନ ୨ର ଆଦାୟ ପରିମାଣ ୧୧୨ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ଡିଭିଜନ ୧ ପକ୍ଷରୁ ଆଦାୟ ହୋଇଥିବା ଜଳକର ରାଶି ମାତ୍ର ୩୮ ପ୍ରତିଶତ ହୋଇଛି । ମୁଖ୍ୟତଃ ବକେୟା ଅର୍ଥ ଆଦାୟ, ଚୋରା ପାଇପ ଲାଇନ, ବିନା ଟ୍ୟାପ୍ ହେତୁ ଜଳକ୍ଷୟ ଓ ସିଏମସି ଉପରେ ବହୁ ପରିମାଣର ଅର୍ଥ ବାକି ଥିବାରୁ ଡିଭିଜନ ୧ର ଆଦାୟ ପରିମାଣ ସନ୍ତୋଷଜନକ ହୋଇପାରିନାହିଁ । ବିଭାଗ ସୂତ୍ରରୁ ଜଣାଯାଇଛି ଯେ, ଡିଭିଜନ ୨ର ଚୈାଦ୍ୱାର ସେକ୍ସନରୁ ୩୮ ଲକ୍ଷ ୮୬ ହଜାର ଟଙ୍କାର ଜଳକର ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । ଏହି ସେକ୍ସନରୁ ବର୍ଷ ଶେଷ ସୁଦ୍ଧା ୩୪ ଲକ୍ଷ ୬୨ ହଜାର ୨୫୨ ଟଙ୍କାର ଜଳ କର ଆଦାୟ ହୋଇପାରିଛି । ସେହିପରି ଆଠଗଡ ସେକ୍ସନ ଅଂଚଳରୁ ୪୬ ଲକ୍ଷ ୮୧ ହଜାର ଟଙ୍କା ଲକ୍ଷ୍ୟଧାର୍ଯ୍ୟ ରହିଥିବା ବେଳେ ଆଦାୟ ହୋଇଛି ମାତ୍ର ୨୨ ଲକ୍ଷ ୭୪ ହଜାର ୩୬୦ ଟଙ୍କା । ତେବେ ରାଜସ୍ୱ ଆଦାୟ କ୍ଷେତ୍ରରେ ବାଙ୍କି ସେକ୍ଟନ ବେଶ ସାଫଲ୍ୟତା ହାସଲ କରିଛି । ଏହି ସେକ୍ସନରୁ ୬ ଲକ୍ଷ ୭୧ ହଜାର ଟଙ୍କାର ଜଳକର ଆଦାୟ ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ସର୍ବାଧିକ ୧୩ ଲକ୍ଷ ୨୯ ହଜାର ୨୭୭ ଟଙ୍କା ଆଦାୟ ହୋଇଛି ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ବିଳାସ କୁମାର ବେହେରା ସୂଚନା ଦେଇଛନ୍ତି । କଟକ ସହରବାସୀଙ୍କୁ ଜଳ ଯୋଗାଣ ଦାୟିତ୍ୱରେ ଥିବା ଡିଭିଜନ ୧ର ଆଦାୟ ପରିମାଣ ଗତ ବର୍ଷ ଠାରୁ ସାମାନ୍ୟ ବୃଦ୍ଧିପାଇଥିଲେ ହେଁ ବକେୟା ଅନାଦେୟ ହେତୁ ଆଦାୟ ପରିମାଣ ୩୭. ୯୮ ପ୍ରତିଶତରେ ପହଂଚିଛି । ଡିଭିଜନ ଅଧିନରେ ଥିବା ସରକାରୀ କ୍ୱାର୍ଟର, ଘରୋଇ ଉପଭୋକ୍ତା, ଶିଳ୍ପ, ଶିକ୍ଷାନୁଷ୍ଠାନ, ଷ୍ଟାଣ୍ଡପୋଷ୍ଟ ଓ ବ୍ୟବସାୟିକ ସଂସ୍ଥାଗୁଡିକଠାରୁ ୫ କୋଟି ୮୭ ଲକ୍ଷ ଟଙ୍କାର ଜଳକର ଆଦାୟ ହୋଇଛି । ଗତ ୨୦୧୬-୧୭ ଏପ୍ରିଲ ମାସ ସୁଦ୍ଧା ଏହି ଡିଭିଜନର ୯ କୋଟି ୩୪ ଲକ୍ଷ ଟଙ୍କାର ଜଳ କର ବାକି ଥିବା ବେଳେ ସରକାର ବକେୟା ସହିତ ୧୫ କୋଟି ୪୫ ଲକ୍ଷ ଟଙ୍କାର ଟିକସ ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ । ତେବେ ବକେୟା ଅର୍ଥରୁ ମାତ୍ର ୬୩ ଲକ୍ଷ ୨୫ ହଜାର ଓ ୨୦୧୭-୧୮ ବର୍ଷର ଟିକସ ବାବଦକୁ ୫ କୋଟି ୨୩ ଲକ୍ଷ ୮୦ ହଜାର ଟଙ୍କାର ଟିକସ ଆଦାୟ ହୋଇଛି ବୋଲି ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡାଇ ସରକାରଙ୍କୁ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି । ଯାହାକି ଲକ୍ଷ୍ୟଧାର୍ଯ୍ୟର ୪୦ ପ୍ରତିଶତକୁ ବି ଛୁଇଁପାରି ନାହିଁ ।