୫-ଟିକୁ ଅଣଦେଖା: ଗ୍ରେଡେ଼ସନ ତାଲିକାରେ ଅସଙ୍ଗତି ଯୋଗୁଁ ଅସନ୍ତୋଷ

Feb 28, 2020 - 07:40
 150
କଟକ,୨୮/୨ : ୫-ଟି ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ସରକାର ଡ଼ିଣ୍ଡିମ ପିଟୁଥିବାବେଳେ ରାଜ୍ୟ ଗୃହ ବିଭାଗ ଓ ବିଧି ବିଭାଗ ପକ୍ଷରୁ ପଦୋନ୍ନତି କ୍ଷେତ୍ରରେ ସ୍ୱଚ୍ଛତା ନଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ପିଏସ୍ସି ପରୀକ୍ଷା ଜରିଆରେ ସଚ୍ଚିବାଳୟରେ ଏକଦା କନିଷ୍ଠ କିରାଣୀ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଗ୍ରେଡେ଼ସନ ତାଲିକାର ନିମ୍ନରେ ରଖାଯାଇ ବିଧିବଦ୍ଧ ପରୀକ୍ଷା ନଦେଇ ଅନୁକଂପା ଭିତ୍ତିରେ ନିଯୁକ୍ତି ପାଇଥିବା କିରାଣୀଙ୍କୁ ତାଲିକାର ଶୀର୍ଷରେ ରଖାଯାଇଥିବାରୁ ପିଏସ୍ସି ପରୀକ୍ଷା ଜରିଆରେ ମନୋନୀତ କର୍ମଚାରୀ ପଦୋନ୍ନତି ହରାଇବାର ଆଶଙ୍କା ସୃଷ୍ଟି ହୋଇଛି । ସରକାରୀ ଚାକିରୀରେ ଥିବା ଅବସ୍ଥାରେ ପିତାମାତାଙ୍କ ମୃତ୍ୟୁ ଘଟିଲେ ପରିବାରକୁ ଆର୍ଥିକ ସଂକଟରୁ ରକ୍ଷା କରିବା ପାଇଁ ସନ୍ତାନସନ୍ତତିଙ୍କୁ ଅନୁକଂପା ନିଯୁକ୍ତି ପ୍ରଦାନର ବ୍ୟବସ୍ଥା ରହିଛି । ଏପ୍ରକାର ନିଯୁକ୍ତି ପାଇଁ କୌଣସି ପରୀକ୍ଷା ଆଦିର ବ୍ୟବସ୍ଥା ନଥାଏ । ଏହି ପରିପ୍ରେକ୍ଷୀରେ ୮୦ ଦଶକରେ ସଚ୍ଚିବାଳୟରେ ଏପ୍ରକାର ବ୍ୟାପକ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଏବେ ପରିସ୍ଥିତି ଏପରି କରିଦିଆଯାଇଛି ଯେ, ଅନୁକଂପା ନିଯୁକ୍ତି ପାଇଥିବା କର୍ମଚାରୀ ଗ୍ରେଡେ଼ସନ ତାଲିକାର ଉପରେ ରହିଥିବାବେଳେ ୧୯୮୨-୮୩ ଓ ୧୯୮୩-୮୪ ମସିହାରେ ପିଏସ୍ସି ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଶୀର୍ଷରେ ରହି ନିଯୁକ୍ତି ପାଇଥିବା କର୍ମଚାରୀ ଗ୍ରେଡେ଼ସନ ତାଲିକାର ନିମ୍ନକୁ ଚାଲିଆସିଛନ୍ତି । ଫଳରେ ଅନୁକଂପା ନିଯୁକ୍ତି ପାଇ ତାଲିକାର ଶୀର୍ଷରେ ଥିବା ଅନ୍ୟୂନ୭ ଜଣ କର୍ମଚାରୀଙ୍କୁ ଏବେ ଅତିରିକ୍ତ ସଚିବ ପଦବୀକୁ ପଦୋନ୍ନତି ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥବା ଜଣାପଡ଼ିଛି । ଏପ୍ରକାର ଅସଙ୍ଗତି ବିଷୟରେ ପିଏସ୍ସି ଜରିଆରେ ପ୍ରତ୍ୟକ୍ଷ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଏକାଧିକ ଥର ଗୃହ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଗ୍ରେଡେ଼ସନ ତାଲିକାରେ ସଂଶୋଓନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଏହି ଗ୍ରେଡେ଼ସନ ତାଲିକା ପ୍ରସ୍ତୁତିରେ ୧୯୮୨ ମସିହାରେ ବଳବତ୍ତର ଥିବା ନିଯୁକ୍ତି ନିୟମାବଳୀ ପ୍ରୟୋଗ କରାନଯାଇ ୧୯୯୫ ମସିହାର ନିଯୁକ୍ତି ନିୟମାବଳୀ ପ୍ରୟୋଗ କରାଯାଇଥିବାରୁ ଏପ୍ରକାର ଅସଙ୍ଗତି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଏହି ପଦୋନ୍ନତି ମାମଲାରେ ବିଧି ବିଭାଗ ଓ ଗୃହ ବିଭାଗ ଅଦାଲତରେ ଗୋଟିଏ ସମୟରେ ନିଜ ସପକ୍ଷରେ ଯାହା କହୁଛନ୍ତି ପରବର୍ତ୍ତୀ ସମୟରେ ତାହାର ବିରୋଧାଚରଣ କରୁଥିବା ଦେଖାଯାଉଛି ।