୩ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା

Oct 4, 2018 - 14:31
 230
କଟକ,୪ା୧୦(ସକାଳଖବର): ଶେଷରେ ନିଜ ଭିଟା ମାଟିରେ ପାଦ ଥାପିଛି ୯୯ ବର୍ଷ ବୟସ୍କା ବିଧବା ମହିଳା । କଟକ ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଦୌରା ଜଜ ସତ୍ୟ ନାରାୟଣ ମିଶ୍ରଙ୍କ ହସ୍ତକ୍ଷେପ ଫଳରେ ମହିଳା ଜଣକ ନିଜ ପରିବାରରେ ସାମିଲ ହୋଇଛି । ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ବିରିବାରୀ ଗ୍ରାମର ଏହି ମହିଳା ଜଣକ ନାଁ ହେଉଛି ସୌଦାମୀନି ସାମନ୍ତରାୟ । ସେ ହଠାତ ଭୁବନେଶ୍ୱର ରେଳ ଷ୍ଟେସନରୁ ନିଖୋଜ ହୋଇଯାଇଥିଲେ । ଜିଲା ଆଇନ ସେବା ପ୍ରାଧିକରଣ ପାନେଲ ଆଡଭୋକେଟ ବିପିନ ବିହାରୀ ଚୌଧୁରୀଙ୍କ ସହାୟତାରେ ମହିଳା ଜଣକ ୨୦୧୫ ମସିହାରେ ଜଗତପୁର ରେଳ ଷ୍ଟେସନରୁ ଅସହାୟ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ଏହାପରେ ତାଙ୍କୁ ଛତିଆସ୍ଥିତ ସେବକ ଆଶ୍ରମରେ ଆଶ୍ରୟ ଦିଆଯାଇଥିଲା । ସୌଦାମିନି ସେବେ ଠାରୁ ଆଶ୍ରମରେ ଜୀବନ ବିତାଉଥିବାବେଳେ ଜିଲା ଦୌରାଜଜ ଶ୍ରୀ ମିଶ୍ର ଆଶ୍ରମକୁ ପରିଦର୍ଶନରେ ଯାଇଥିବାବେଳେ ବୃଦ୍ଧା ଜଣକ ଘରକୁ ଫେରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଜିଲା ଦୌରା ଜଜ ତାଙ୍କର ଠିକଣା ଖୋଜିବା ପାଇଁ ଆଇନଜୀବୀ ଚୌଧୁରୀଙ୍କୁ ଦାୟିତ୍ୱ ଦେଇଥିଲେ । ଏହି ସମୟରେ ବୃଦ୍ଧାଙ୍କ ନାତି ଆଈକୁ ଖୋଜିଖୋଜି ଆଶ୍ରମରେ ପହଞ୍ଚିôଥିଲେ । ତେବେ ସମସ୍ତ ତଥ୍ୟ ହାସଲ କରିବା ପରେ ତାଙ୍କ ନାତି କୈଳାଶ ରାଉତରାୟ ଓ ପୁଅ ବିଜୟ ସାମନ୍ତରାୟଙ୍କୁ ହସ୍ତାନ୍ତର କରାଯାଇଥିଲା । ବୃଦ୍ଧାଙ୍କ ସଂସାର କହିଲେ ୬ଝିଅ, ୩ପୁଅ । ଜଣେ ପୁତ୍ରଙ୍କ ମୃତୁ୍ୟ ଘଟିଥିବାବେଳେ ଆଉ ଦୁଇ ପୁଅ ଘରେ ଅଛନ୍ତି । ସେଥିରୁ ଜଣେ ପୁଅ ବିକଳାଙ୍ଗ । ଆଉ ଜଣେ ପୁଅ ବାପଙ୍କ ଅନ୍ତେ ତାଙ୍କ ଚାକିରିରେ ଥଇଥାନ ହୋଇଥିଲେ । ବୃଦ୍ଧା ଜଣଙ୍କ ପେନସନ ପାଉଥିବାବେଳେ ସେହି ପେନସନକୁ ବିକଳାଙ୍ଗ ପୁଅ ଉଠାଇଥାନ୍ତି ।