୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର

Feb 2, 2019 - 18:33
 135
୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର
ଭୁବନେଶ୍ୱର, ୨/୨(ସକାଳଖବର): ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ତିନୋଟି ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି । ବିଭାଗୀୟ ପଦୋନ୍ନତି କମିଟିର ପୁନର୍ଗଠନ ପାଇଁ ଓଡ଼ିଶା ପୋଲିସ ସର୍ଭିସ (ମେଥଡ଼ ଅଫ୍ ରିକୁ୍ର୍ୟଇଟମେଂଟ ଆଣ୍ଡ କଣ୍ଡିସନସ ଅଫ ସର୍ଭିସ) ରୁଲସ ୨୦୧୩ ଏବଂ ଓଡ଼ିଶା ଆର୍ମଡ଼ ପୋଲିସ ସର୍ଭିସ (ମେଥଡ଼ ଅଫ୍ ରିକୁ୍ର୍ୟଇଟମେଂଟ ଆଣ୍ଡ କଣ୍ଡିସନସ ଅଫ ସର୍ଭିସ) ରୁଲସ ୨୦୧୩ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ଯାହାଫଳରେ ଓଡ଼ିଶା ପୋଲିସ ସେବା ଏବଂ ଓଡ଼ିଶା ସଶସ୍ତ୍ର ପୋଲିସ ସେବାର ଅଧିକାରୀ ମାନଙ୍କର ପଦୋନ୍ନତି ପାଇଁ ବିଭାଗୀୟ ପଦୋନ୍ନତି କମିଟିର ପୁନର୍ଗଠନ କରାଯାଇଛି । ଓଡ଼ିଶା ସରକାରୀ ଡ୍ରାଇଭର (ହାଲୁକା ମୋଟର ଯାନ) ବର୍ଗ ଗ (ନିଯୁକ୍ତି ଓ ସେବା ସର୍ତ) ନିୟମାବଳୀ ୨୦୧୩ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସରକାରଙ୍କ ବିଭାଗ, ମୁଖ୍ୟ ବିଭାଗୀୟ ଦପ୍ତର, ଜିଲ୍ଲା ଓ ଅଧିନସ୍ଥ କାର୍ଯ୍ୟାଳୟର ଯେଉଁ ପ୍ରତିଷ୍ଠାନରେ ଡ୍ରାଇଭର ଓ ବରିଷ୍ଠ ଡ୍ରାଇଭର ସମୂହକୁ ନେଇ ୪ ଗୋଟି ପଦବୀ ରହିଛି ସେଠାରେ ଗୋଟିଏ ହେଡ୍ ଡ୍ରାଇଭର ପଦବୀ ସୃଷ୍ଟି କରାଯିବ । ମୋଟର ଡ୍ରାଇଭର ମାନଙ୍କୁ ଅତିରିକ୍ତ ପଦୋନ୍ନତି ଦେବାପାଇଁ ଅର୍ଥ ବିଭାଗ ସମ୍ମତି ପ୍ରଦାନ କରିଛି । ଓଡ଼ିଶା ସଚିବାଳୟ ସେବା (ନିଯୁକ୍ତି ପ୍ରଣାଳୀ ଓ ଚାକିରୀ ସର୍ତାବଳୀ) ନିୟମ-୨୦୧୬ ରେ ଆବଶ୍ୟକ ସଂଶୋଧନ କରି ସହାୟକ ଉପବିଭାଗ ଅଧିକାରୀ ପଦବୀରୁ ଉପବିଭାଗ ଅଧିକାରୀ ପଦବୀକୁ ପଦୋନ୍ନତି ପାଇଁ ଚାକିରୀ ଅଭିଜ୍ଞତା ସର୍ତକୁ ୧୨ ବର୍ଷରୁ ୮ ବର୍ଷକୁ ହ୍ରାସ କରିବାକୁ ନିଷ୍ପତି ହୋଇଛି । ସେହିପରି ଅନୁଶାସନ ସଚିବ ପଦବୀରୁ ଉପଶାସନ ସଚିବ ଏବଂ ଉପଶାସନ ସଚିବ ପଦବୀରୁ ଯୁଗ୍ମ ଶାସନ ସଚିବ ପଦବୀକୁ ପଦୋନ୍ନତି ପାଇଁ ଥିବା ଚାକିରୀ ଅଭିଜ୍ଞତା ସମୟ ସୀମାକୁ ୩ ବର୍ଷରୁ ୧ ବର୍ଷକୁ ହ୍ରାସ କରାଯାଇଛି । ପୁନଶ୍ଚ ଯୁଗ୍ମ ଶାସନ ସଚିବ ପଦବୀରୁ ଅତିରିକ୍ତ ଶାସନ ସଚିବକୁ ପଦୋନ୍ନତି ପାଇଁ ଥିବା ୩ ବର୍ଷ ଚାକିରୀ ଅଭିଜ୍ଞତା ସର୍ତକୁ ଉଠାଇ ଦିଆଯାଇଛି । ଏଣିକି ଯୁଗ୍ମ ଶାସନ ସଚିବ ପଦବୀରୁ ଅତିରିକ୍ତ ଶାସନ ସଚିବ ପଦବୀକୁ ପଦୋନ୍ନତି କେବଳ ଯୋଗ୍ୟତା ଓ ବିରଷ୍ଠତା ଭିତିରେ ପ୍ରଦାନ କରାଯିବ । ପଦୋନ୍ନତି ପାଇଁ ମୂଳ ପଦବୀ ଏଏସଓରେ ଆବଶ୍ୟକ ଚାକିରୀ ଅଭିଜ୍ଞତା ବୃଦ୍ଧି ପାଇବା ଯୋଗୁଁ ଏବଂ ଉଚ୍ଚ ପଦବୀ ଗୁଡ଼ିକରେ ଗ୍ରୁପ-ଏ ର ପଦୋନ୍ନତି ପାଇଁ ପୂର୍ବ ପଦବୀରେ ଚାକିରୀ ଅଭିଜ୍ଞତା ସର୍ତ ରଖାଯିବା ଯୋଗୁଁ ସଚିବାଳୟ ସେବା ବର୍ଗରେ ବହୁ ସଂଖ୍ୟକ ପଦୋନ୍ନତି ଭିତିକ ପଦବୀ ଖାଲି ପଡ଼ିବା ସହିତ ସାଧାରଣ ସେବା ବାଧାପ୍ରାପ୍ତ ହେଉଥିଲା । ଏହା ବ୍ୟତୀତ ପଦୋନ୍ନତିଭିତିକ ପଦବୀ ଖାଲି ଥାଇ ମଧ୍ୟ ସଚିବାଳୟ ସେବା ବର୍ଗ ଅଧିକାରୀମାନେ ସମୟାନୁସାରେ ପଦୋନ୍ନତି ପାଇ ପାରିଲେ ନାହିଁ ଓ ସେମାନଙ୍କ ମଧ୍ୟରୁ କେତେକ ପଦୋନ୍ନତି ନ ପାଇ ଅବସର ଗ୍ରହଣ କରିଗଲେ । ଫଳରେ ସଚିବାଳୟ ସେବା ବର୍ଗରେ ଅସନ୍ତୋଷ ବୃଦ୍ଧି ପାଇଥିଲା ।