୨.୫ କୋଟି ଟଙ୍କାର ଘୋଡା

Nov 24, 2021 - 08:00
 67
୨.୫ କୋଟି ଟଙ୍କାର ଘୋଡା
ଶ୍ରୀନଗରରେ ଚାଲିଥିବା ଘୋଡାମେଳାରେ ହୀରା ନାମକ ଏକ ଘୋଡା ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାର ଦାମ୍‌ ଓ ପ୍ରତି ମାସ ଖର୍ଚ୍ଚ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ଏହି ଘୋଡାର ଦାମ ହେଉଛି ୨.୫ କୋଟି ଟଙ୍କା । ସେହିପରି ପ୍ରତି ମାସରେ ଏହି ଘୋଡା ପାଇଁ ତା'ର ମାଲିକ ପାଖାପାଖି ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଘୋଡାଟି ଏକାଥରକେ ୫୦ ଲିଟର କ୍ଷୀର ପିଇଥାଏ । ଏ କଥା କହିଛନ୍ତି ଘୋଡାର ମାଲିକ ପାଦାମପୁରର ଇକବାଲ ସିଂ । ସେ ଏହି ଘୋଡାକୁ ଦୀର୍ଘ ୯ ବର୍ଷ ହେଲାଣି ଲାଳନପାଳନ କରି ଆସୁଛନ୍ତ । ଇକବାଲ ସିଂ ଦାବି କରିଛନ୍ତି ଯେ ମେଳାକୁ ଆସିଥିବା ସମସ୍ତ ଘୋଡାଙ୍କ ମଧ୍ୟରେ ହୀରାର ଉଚ୍ଚତା ଅଧିକ । ସାଧାରଣତଃ ଘୋଡାର ଉଚ୍ଚତା ୧୬୦ ସେମି ହୋଇଥିବାବେଳେ ଏହାର ଉଚ୍ଚତା ୧୭୦ ସେମି ପାଖାପାଖି । ହୀରାର ଖାଦ୍ୟ ଏବଂ ଯତ୍ନ ପାଇଁ ପ୍ରତି ମାସରେ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ତାଙ୍କୁ ଘିଅ ଓ ସପ୍ତାହରେ ଦୁଇଥର କ୍ଷୀର ଦିଆଯାଏ । ଇକବାଲ ସିଂ କହିଛନ୍ତି ହୀରା ମାରୱାରି ପ୍ରଜାତିର ଘୋଡା । ଏହାର ଗୋଡ ଅଧିକ ଶକ୍ତିଶାଳୀ । ଘୋଡାକୁ ଖାଦ୍ୟରେ ଚଣା, କ୍ଷୀର, ମୁଗଫଲି, ନେରା ଆଦି ଦିଆଯାଏ । ଗ୍ରୀଷ୍ମ ଋତୁରେ ସୋରିଷ ତେଲ ଏବଂ ଶୀତଦିନେ ରାଶି ତେଲ ଦିଆଯାଏ । ଏହି କାରଣରୁ ଏହାର ହଜମ ଭଲ ରହିଥାଏ । ସେହିପରି ଅନ୍ତନଳୀ ଚିକ୍କଣ ରହିବା ସହ ଘୋଡାର ଚର୍ମ ଚମକିଥାଏ । ଇକବାଲ ଘୋଡାକୁ ଭଲ ପାଆନ୍ତି । ସେ ଏକ ସୂତା କାରଖାନାର ମାଲିକ ଅଟନ୍ତି ଏବଂ ଚାଷ ମଧ୍ୟ କରନ୍ତି । ନଅ ବର୍ଷ ପୂର୍ବେ ସେ ହୀରାକୁ ପାଳିଥିଲେ । ସାଢେ ତିନି ବର୍ଷ ବୟସରୁ ତା'ର ଖାଦ୍ୟ ଓ ଯତ୍ନ ଉପରେ ସେ ବିଶେଷ ଧ୍ୟାନ ଦେଇଥିଲେ । ସାତ ବର୍ଷ ବୟସ ପର୍ଯ୍ୟନ୍ତ ତାଙ୍କୁ ପ୍ରତିଦିନ ୫୦ ଲିଟର କ୍ଷୀର ପିଇବାକୁ ଦିଆଯାଉଥିଲା । ଏହା ପରେ ତାଙ୍କୁ ସପ୍ତାହରେ ଦୁଇଥର ୫୦-୫୦ ଲିଟର କ୍ଷୀର ପିଇବାକୁ ଦିଆଯାଏ । ଏହାର ସ୍ଥିତି ଦେଖି ରାଜସ୍ଥାନ ଏବଂ ୟୁପିର ଘୋଡା ପ୍ରେମୀମାନେ ଏହାକୁ କିଣିବାକୁ ୨.୫ କୋଟି ଯାଏଁ ଅଫର ଦେଲାଣି ବୋଲି ସେ କହିଛନ୍ତି ।