୨୦୨୪ରେ ବିଜେପି ୩୦୦ରୁ ଅଧିକ ଲୋକସଭା ଆସନରେ ଜିତି କ୍ଷମତାକୁ ଫେରିବ: ଅମିତ ଶାହା

Apr 12, 2023 - 07:14
 74
୨୦୨୪ରେ ବିଜେପି ୩୦୦ରୁ ଅଧିକ ଲୋକସଭା ଆସନରେ ଜିତି କ୍ଷମତାକୁ ଫେରିବ: ଅମିତ ଶାହା
ଦିିବ୍ରୁଗଡ଼/ ଆସାମ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ସମଗ୍ର ଦେଶରେ ୩୦୦ରୁ ଅଧିକ ଲୋକସଭା ଆସନରେ ଜିତିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଥର ପାଇଁ ଦଳ କ୍ଷମତାକୁ ଫେରିବ। ଆସାମର ଦିିବ୍ରୁଗଡ଼ ଠାରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ ଉତ୍ତର-ପୂର୍ବ ରାଜ୍ୟର ୧୪ଟି ଲୋକସଭା ଆସନ ମଧ୍ୟରୁ ଦଳ ୧୨ଟିରେ ବିଜୟୀ ହେବ। ୨୦୨୪ ଲୋକସଭା ନିର୍ବାଚନରେ ଦଳ ୩୦୦ରୁ ଅଧିକ ଆସନ ଜିତିବ ଏବଂ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ। ଆଜିର ରାଲିରେ ବରିଷ୍ଠ ବିଜେପି ନେତା ଅମିତ ଶାହା କଂଗ୍ରେସକୁ କଡ଼ା ସମାଲୋଚନା କରି କହିଛନ୍ତି, ଏକଦା ଉତ୍ତର-ପୂର୍ବକୁ କଂଗ୍ରେସର ଦୁର୍ଗ ଭାବେ ବିବେଚନା କରାଯାଉଥିଲା; କିନ୍ତୁ ରାହୁଲ ଗାନ୍ଧୀଙ୍କ ଯାତ୍ରା (ଭାରତ ଯୋଡୋ ଯାତ୍ରା) ସତ୍ତ୍ୱେ ଏହି ଅଞ୍ଚଳର ତିନିଟି ରାଜ୍ୟରେ ନିକଟରେ ହୋଇ ଯାଇଥିବା ବିଧାନସଭା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ଉଲ୍ଲେଖଯୋଗ୍ୟ, ନିକଟରେ ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ ପ୍ରମୁଖ ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା। ତ୍ରିପୁରାରେ ବିଜେପି ସରକାର ଗଠନ କରିଥିବା ବେଳେ ଅନ୍ୟ ଦୁଇ ରାଜ୍ୟରେ ମେଣ୍ଟ ସହଯୋଗୀ ଭାବେ କ୍ଷମତାକୁ ଆସିଥିଲା। ନିକଟରେ ଇଂଲଣ୍ଡ ଗସ୍ତ ସମୟରେ ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଦର୍ଶାଇ ପଡ଼ୋଶୀ ଅରୁଣାଚଳ ପ୍ରଦେଶରୁ ଏଠାକୁ ଆସିଥିବା ଅମିତ ଶାହ କହିଛନ୍ତି, ସେ (ରାହୁଲ ଗାନ୍ଧୀ) ବିଦେଶ ମାଟିରୁ ଭାରତକୁ ଅପମାନିତ କରିଛନ୍ତି। ଯଦି ସେ ମିଛ ପ୍ରଚାର କରି ଦେଶ ଓ ସରକାରଙ୍କୁ ବଦନାମ କରିବା ଜାରି ରଖନ୍ତି, ତେବେ ଉତ୍ତର-ପୂର୍ବ ସହିତ କଂଗ୍ରେସ ସମଗ୍ର ଦେଶରୁ ଧୋଇ ହୋଇଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେମାନେ ଯେତେ ଖରାପ କହିବେ, ବିଜେପିର ବିକାଶ ସେତେ ଅଧିକ ହେବ ବୋଲି ସେ କହିଛନ୍ତି। ଅମିତ ଶାହା କହିଛନ୍ତି ଯେ ଆସାମର ୭୦ ପ୍ରତିଶତ ଅଞ୍ଚଳରୁ ବିବାଦୀୟ (ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା) ଆଇନ, ୧୯୫୮ ବା ଆଫସ୍ପାକୁ ହଟାଇ ଦିଆଯାଇଥିବା ବେଳେ ବୋଡୋଲ୍ୟାଣ୍ଡ ଏବଂ କାର୍ବି ଆଙ୍ଗଲୋଙ୍ଗ ଅଞ୍ଚଳ ଶାନ୍ତିପୂର୍ଣ୍ଣ ରହିଛି ଏବଂ ଏହାର ପଡ଼ୋଶୀ ପ୍ରଦେଶ ସହିତ ରାଜ୍ୟର ସୀମା ବିବାଦର ସମାଧାନ କରାଯାଉଛି। ଏପ୍ରିଲ ୧୪ରେ ଗୌହାଟୀରେ ଆୟୋଜିତ ହେବାକୁ ଥିବା ଏକ ମେଗା ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ୧୧,୦୦୦ରୁ ଅଧିକ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ ବୋଲି ଅମିତ ଶାହ କହିଛନ୍ତି। ପୂର୍ବରୁ ଆସାମ ‘ଆନ୍ଦୋଳନ’ ଏବଂ ‘ଆତଙ୍କବାଦ’ ପାଇଁ ଜଣାଶୁଣା ଥିଲା; କିନ୍ତୁ ବର୍ତ୍ତମାନ ଶାନ୍ତି ଅଛି ଏବଂ ଲୋକମାନେ ବିହୁ ସଙ୍ଗୀତର ତାଳରେ ନାଚୁଛନ୍ତି ବୋଲି ଗୃହମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି।