୨୦୧୯ରେ ଏନଡ଼ିଏର ଆସନ କମିବ, ଉପାର ବଢିବ- ସର୍ଭେକ୍ଷଣ
ଭୁବନେଶ୍ୱର,୨୫/୫ : ୨୦୧୯ରେ ଏନଡ଼ିଏର ଆସନ କମିବ । ଉପାର ଆସନ ବଢ଼ିବ । ଆସନ ସଂଖ୍ୟା କମିଲେ ମଧ୍ୟ ଉପା ଠାରୁ ଢେ଼ର ଆଗରେ ରହିବ ଏନଡ଼ିଏ । ଅନ୍ୟ ଦଳର ସହଯୋଗରେ ମୋଦି ପୁଣି ସରକାରକୁ ଆସିବେ । ଏବିପି ନୁ୍ୟଜ ସର୍ଭେରୁ ଏହା ଜଣାପଡ଼ିଛି । ସର୍ଭେ ଅନୁସାରେ ଲୋକସଭାର ମୋଟ ୫୪୩ ଆସନ ମଧ୍ୟରୁ ଏନଡ଼ିଏକୁ ୨୭୪, ଉପାକୁ ୧୬୪ ଓ ଅନ୍ୟ ଦଳକୁ ୧୦୫ ଆସନ ମିଳିବ । ୨୦୧୪ ତୁଳନାରେ ଏନଡ଼ିଏକୁ ୪୯ ଆସନ କମ୍ ମିଳିବ । ତେବେ ୟୁପିଏର ଆସନ ୧୦୪ ବଢ଼ିବ । ବର୍ତ୍ତମାନ ଭୋଟ୍ ହେଲେ ପଶ୍ଚିମ ଓ ମଧ୍ୟ ଭାରତରେ ଥିବା ୧୧୮ ଲୋକସଭା ଆସନରୁ ଏନଡ଼ିଏ ୭୦ରୁ ୭୮, ଉପାରୁ ୪୧ରୁ ୪୭ ଓ ଅନ୍ୟ ଦଳକୁ ୨ଟି ଆସନ ମିଳିପାରେ । ମଧ୍ୟପ୍ରଦେଶରେ ଭୋଟ ହେଲେ ଏନଡ଼ିଏ କ୍ଷତିଗ୍ରସ୍ତ ହେବ । ସେହିପରି ପୂର୍ବ ଭାରତରେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ଝାରଖଣ୍ଡ ରହିଛି । ମୋଟ ଆସନ ସଂଖ୍ୟା ୧୪୨ ହୋଇଥିବାବେଳେ ବର୍ତ୍ତମାନ ଭୋଟ ହେଲେ ଏନଡିଏକୁ ୮୬ରୁ ୯୪, ଉପାକୁ ୨୨ରୁ ୨୬ ଏବଂ ଅନ୍ୟ ଦଳକୁ ୨୬ରୁ ୩୦ ଆସନ ମିଳିବ । ଅର୍ଥାତ୍ ପୂର୍ବଭାରତରେ ଏନଡ଼ିଏ ଫାଇଦାରେ ରହିବ । ଉତରପ୍ରଦେଶରେ ସପା ଓ ବସପା ମେଂଟକୁ ଅଧିକ ଆସନ ମିଳିବ । ଦକ୍ଷିଣ ଭାରତରେ ଏନଡ଼ିଏକ ଜୋରଦାର ଝଟକା ଲାଗିବ । ଏନଡ଼ିଏକୁ ମାତ୍ର ୧୮ରୁ ୨୨, ଉପାକୁ ୬୫ରୁ ୭୫ ଏବଂ ଅନ୍ୟ ଦଳ ୩୮ରୁ ୪୪ ଆସନ ପାଇବାର ସମ୍ଭାବନା ରହିଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ହ୍ରାସ ପାଇଛି । ୨୦୧୪ରେ ୩୬% ଥିବାବେଳେ ୨୦୧୭ରେ ତାହା ୪୪%କୁ ବୃଦ୍ଧି ପାଇଥିଲା । ବର୍ତ୍ତମାନ ତାହା ୩୪%କୁ ଖସି ଆସିଛି । ରାହୁଲ ଗାନ୍ଧୀଙ୍କ ଲୋକପ୍ରି୍ରୟତା ବୃଦ୍ଧି ପାଇଛି । ୨୦୧୪ରେ ରାହୁଲଙ୍କ ଲୋକପ୍ରିୟତା ୧୬% ଥିବାବେଳେ ଏବେ ତାହା ୨୪% ବୃଦ୍ଧି ପାଇଛି ।