୨ ଦିନ ଧରି ପଡି ରହିଛି ମହିଳାଙ୍କ ଶବ

Aug 16, 2019 - 17:53
 120
ବାରିପଦା,୧୬/୮(ସକାଳଖବର): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ବାସକରୁଥିବା ଆଦିବାସୀ ସଂପ୍ରଦାୟଙ୍କ ମଧ୍ୟରେ ଭରିରହିଛି ଅନେକ ପରମ୍ପରା । ଆଜି ଏହି ପରମ୍ପରା ବାଧକ ସାଜିଛି ଏକ ଗରୀବ ସ୍ୱାମୀକୁ ନିଜ ସ୍ତ୍ରୀର ଶବ ଦାହ ଓ ଶୁଦ୍ଧିକ୍ରିୟା ସମ୍ପାଦନା କରିବା କ୍ଷେତ୍ରରେ ।ଏପରି ଏକ ଅଭାବନୀୟ ଓ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧିନ କୁଚେଇ ପଂ·ୟତର ଜସେଫବାଡ଼ି ଗ୍ରାମରେ । ଉକ୍ତ ଗ୍ରାମରେ ବାସବାସ କରୁଥିବା କାନ୍ଦ୍ରା ସରେନଙ୍କ ସ୍ତ୍ରୀ ପାର୍ବତୀ ସରେନ (୨୮) ଙ୍କର ଜଣ୍ଡିସ ଓ ଟିବି ରୋଗରେ ପୀଡିତ ହୋଇ ଗତ ଅଗଷ୍ଟ ୧୫ ପ୍ରାତଃ ୪ ଟାରେ ଦେହାନ୍ତ ହୋଇଥିଲା । ମାତ୍ର ଆଜକୁ ୧୨ ବର୍ଷ ପୂର୍ବରୁ କାନ୍ଦ୍ରା ସରେନ ନିକଟସ୍ଥ ପୋଲାସବଣି ଗ୍ରାମର ପାର୍ବତୀ ସରେନଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ଜାତିପ୍ରଥାର ପରମ୍ପରା ଅନୁସାରେ କାନ୍ଦ୍ରା ସରେନଙ୍କ ପରିବାର ପାର୍ବତୀଙ୍କ ପରିବାରକୁ ପଣ ଦେବା କଥା । କିନ୍ତୁ ସେ ଆଜି ପର୍ଯ୍ୟନ୍ତ ପଣ ଭାବେ ଗୋରୁ ଗାଈ , ଛେଳି , ମେଣ୍ଢା , ବସ୍ତ୍ର ଓ ହାଣ୍ଡିଆ ଦେବାରେ ସମର୍ଥ ହୋଇପାରିନାହାନ୍ତି । ଫଳରେ ପାର୍ବତୀଙ୍କ ମୃତୁ ପରେ ପାର୍ବତୀଙ୍କ ବାପଘର ଲୋକ ପକ୍ଷରୁ ପଣ ନ ଦେଇଥିବା ଯୋଗୁଁ ଶବଟିକୁ ଦାହ କରିବାପାଇଁ ନ ଦେବା ସହ ଅଟକ ରଖିଥିଲେ । ଯାହା ଆଜି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ଉଭୟ ପକ୍ଷଙ୍କୁ ଡାକି ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବା ସହ ଆଡିସନାଲ ଏସପି ଅଭିମନ୍ୟୁ ନାୟକଙ୍କ ଉପସ୍ଥିତିରେ କାନ୍ଦ୍ରା ସରେନଙ୍କ ପରିବାର ପକ୍ଷରୁ ଆଗାମୀ ୩ ମାସ ମଧ୍ୟରେ ପଣ ପ୍ରଦାନ କରିବା ପାଇଁ ପାର୍ବତୀ ସରେନଙ୍କ ପରିବାରକୁ ଲିଖିତ ପ୍ରତିଶୃତି ଦେଇଥିଲେ । ଏହାପରେ କୁଳିଅଣା ଥାନା ପୁଲିସ ପକ୍ଷରୁ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପିଆରଏମ୍ ମେଡିକାଲ କଲେଜକୁ ପଠାଇଛି ।