ବାରିପଦା ସରକାରୀ ହସପିଟାଲରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

Aug 16, 2019 - 17:54
 115
ବାରିପଦା,୧୬/୮(ସକାଳଖବର): ଅଗଷ୍ଟ ୧୫ ବାରିପଦା ରିଜର୍ଭ ପୁଲିସ ପଡ଼ିଆ ପରିସରରେ ଆୟୋଜିତ ୭୩ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ଆଇନ, ଗୃହ ଓ ନଗର ଉନ୍ନୟ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତୋଳନ କରି ସମ୍ମିଳିତ ପ୍ୟାରେଡେରେ ଅଭିବାଦନ ଗ୍ରହଣ କରି ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇଥିଲେ । ଏହା ପରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପୂର୍ବାହ୍ନ ସାଢେ଼ ୧୦ଟାରେ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ବଂଟନ କରିବା ଉଦେ୍ଧଶ୍ୟରେ ପହଂଚିଥିଲେ । ଏହି ସମୟରେ ହସପିଟାଲ ପରିସରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ମଧ୍ୟରେ ରୋଗୀମାନେ ସମୟ କଟାଉଥିବାର ଦେଖି ଗଭୀର ଉଦବେଗ ପ୍ରକାଶ କରିଥିଲେ । ସେହି ପରି ହସପିଟାଲରେ ରୋଗୀମାନଙ୍କୁ ନିରାମୟ ଯୋଜନା ମାଧ୍ୟମରେ ମାଗଣାରେ ଔଷଧ ଓ ଜନ ଔଷଧୀରେ ଶସ୍ତା ଓ ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଥିବା ବେଳେ ହସପିଟାଲ ପରିସରରେ ଥିବା ଔଷଧ ଦୋକାନଗୁଡ଼ିକରେ ରୋଗୀମାନଙ୍କ ନିମନ୍ତେ ଔଷଧ କିଣିବା ନିମନ୍ତେ ପ୍ରବଳ ଭିଡ଼ ଲାଗିଥିବାର ଦେଖିବାକୁ ପାଇଥିଲେ । ମନ୍ତ୍ରୀ ଶ୍ରୀଜେନା ଔଷଧ କିଣୁଥିବା ରୋଗୀମାନଙ୍କ ପରିବାରର ସଦସ୍ୟମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟାଗୁଡ଼ିକ ଉପରେ ଅବଗତ ହୋଇଥିଲେ । ଏହାପରେ ହସପିଟାଲର ଅଧୀକ୍ଷକ ଡ଼ାକ୍ତର ବି ଏନ୍ ମହାପାତ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ପ୍ରଦୀପ କୁମାର ମହାପାତ୍ରଙ୍କୁ ଡ଼କାଇ ତାଗିଦ କରିଥିବା ସହ ଏଦିଗରେ ସଜାଗ ରହିବା ନିମନ୍ତେ ପରାମର୍ଶ ଦେଉଥିବାର ଦେଖିବାକୁ ମିଳିଥିଲା ।