୧୮ ଦିନ ପୂର୍ବରୁ ଶେଷ ହେଲା ବିଧାନସଭା

Nov 25, 2018 - 06:31
 161
୧୮ ଦିନ ପୂର୍ବରୁ ଶେଷ ହେଲା ବିଧାନସଭା
ଭୁବନେଶ୍ୱର,୨୪/୧୧ (ସକାଳଖବର): ନଭେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଥିବା ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଶନିବାର ଶେଷ ହୋଇଛି । ବାଚସ୍ପତି ଶ୍ରୀ ପ୍ରଦୀପ କୁମାର ଅମାତ ଅପରାହ୍ନ ୫.୫୫ ମିନିଟରେ ଗୃହ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ରହିଲା ବୋଲି ଘୋଷଣା କରିଛନ୍ତି । ଏହି ଅଧିବେଶନର ବୈଠକ ୨୩ ଦିନ ପାଇଁ ଡକା ଯାଇଥିଲା ବେଳେ ମାତ୍ର ପାଂଚ ଦିନ ପାଇଁ ଚାଲି ଥିଲା । ଗୃହରେ କୌଣସି ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ ଓ ସରକାରୀ ବିଲ ନ ଥିବାରୁ ଗୃହର କାର୍ଯ୍ୟକାଳକୁ ୧୮ ଦିନ ହ୍ରାସ କରା ଯାଇଛି । ଏଥି ପାଇଁ ସଭ୍ୟ ମହେଶ ସାହୁ, ଅଶ୍ୱିନୀ ପାତ୍ର ବୈଧାନିକ ପ୍ରଶ୍ନ ଛଳରେ ଦାବି କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ସଭ୍ୟ ମାନଙ୍କର ମତାମତକୁ ସମର୍ଥନ କରିବା ସହ ଶାସକ ଦଳର ମୁଖ୍ୟ ସଚେତକଙ୍କୁ ଏ ସମ୍ପର୍କରେ ବିଧିବଦ୍ଧ ପ୍ରସ୍ତାବ ଆଣିବାକୁ କହିଥିଲେ । ତଦନୁଯାୟୀ ମୁଖ୍ୟ ସଚେତକ ଅମର ପ୍ରସାଦ ସତପଥୀ ପ୍ରସ୍ତାବ ଆଗତ କରିଥିଲେ । ଏହା ପରେ ଏହି ପ୍ରସ୍ତାବ ମୌଖିକ ଭୋଟରେ ଗୃହୀତ ହୋଇଥିଲା । ଏହି ଅଧିବେଶନ ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବୈଠକରେ ୫ ଟି କାର୍ଯ୍ୟଦିବସ ଥିଲା । ଏହି ବୈଠକରେ ଦିବଙ୍ଗତ ସଦସ୍ୟ ଓ ଶହୀଦ ମାନଙ୍କ ପାଇଁ ଶୋକ ପ୍ରସ୍ତାବ ଅଣା ଯାଇଥିଲା । ତାରକା ଚିହ୍ନିତ ପ୍ରଶ୍ନ ମୋଟ ୩୭୪ଟି ଚୟନିତ କରା ଯାଇଥିବାବେଳେ ୬ଟିର ଉତର ହୋଇଥିଲା । ସେହି ପରି ଅଣ ତାରକା ଚିହ୍ନିତ ପ୍ରଶ୍ନ ୫୫୦ଟି ନୋଟିସ ଗ୍ରହଣ କରା ଯାଇଥିବା ବେଳେ ୬୮୩ଟି ଉପସ୍ଥାପନ କରା ଯାଇଥିଲା । ମୁଲତବୀ ନୋଟିସ ପାଂଚଟି ଗ୍ରହଣ କରା ଯାଇଥିବା ବେଳେ ଦୁଇଟିରେ ଆଲୋଚନା ହୋଇ ପାରିଥିଲା । ୮ଟି ଦୃଷ୍ଟି ଆକର୍ଷଣକାରୀ ନୋଟିସ ଗ୍ରହଣକରା ଯାଇଥିଲେ ମଧ୍ୟ କୌଣସି ଟି ପାଇଁ ଆଲୋଚନା ହୋଇ ପାରି ନ ଥିଲା । ୧୧୭ଟି କାଗଜ ପୂର୍ଣ ଉପସ୍ଥାପନ କରା ଯାଇଥିବା ବେଳେ ଚାରୋଟି ବାର୍ଷିକ ରିପୋର୍ଟ, ଦୁଇଟି କମିଟି ରିପୋର୍ଟ ଉପସ୍ଥାପନା କରା ଯାଇଥିଲା । ଏହି ଅଧିବେଶନରେ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ଆସିିଥିବା ଗୁୁରୁତ୍ୱପୂର୍ଣ ସଂକଳ୍ପ ପାରିତ ହୋଇଥିଲା । ଆଜିର ଶେଷ ଦିବସରେ ବାଚସ୍ପତି ଶ୍ରୀ ଅମାତ ବିଜେପି ଦଳର ସଦସ୍ୟଙ୍କୁ କହିବା ପାଇଁ ସୁଯୋଗ ନ ଦେବାରୁ ସେମାନେ କକ୍ଷତ୍ୟାଗ କରିଥିଲା । ତେଣୁ ସମ୍ଭାଷଣ ଭାଷଣରେ ସେମାନେ ଅଂଶଗ୍ରହଣ କରି ପାରି ନ ଥିଲେ ।