୍ନିରଞ୍ଜନଙ୍କ ନୂଆ ନିଯୁକ୍ତି ରାଜ୍ୟ ବିଜେପି ପାଇଁ ଚିନ୍ତାଜନକ

Apr 22, 2018 - 11:33
 145
୍ନିରଞ୍ଜନଙ୍କ ନୂଆ ନିଯୁକ୍ତି ରାଜ୍ୟ ବିଜେପି ପାଇଁ ଚିନ୍ତାଜନକ
ଭୁବନେଶ୍ୱର,୨୨/୪: ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଦଳର ସଭାପତି ପଦ ଅଳଙ୍କୃତ କରିବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ସମ୍ଭାବନା ସୃଷ୍ଟି ହୋଇଛି । ନିରଞ୍ଜନଙ୍କ ନୂତନ ଦାୟିତ୍ୱ ଦଳ ପାଇଁ କେବଳ ଯେ ଲାଭଜନକ ହୋଇପାରିବ ସେକଥା ନୁହେଁ ଘଟଣାକ୍ରମ ରାଜ୍ୟ ବିଜେପି ପାଇଁ ମଧ୍ୟ ଚିନ୍ତାଜନକ ହୋଇଛି । ନିରଞ୍ଜନ ତୃଣମୂଳସ୍ତରୀୟ ନେତା । ମୂଳରୁ କଂଗ୍ରେସ ସହ ଅଛନ୍ତି । ମେଳାପୀ ଓ କର୍ମୀଙ୍କୁ ଧରି ରଖିବାର ସାମର୍ଥ୍ୟ ତାଙ୍କ ନିକଟରେ ରହିଛି । ରାଜ୍ୟ କଂଗ୍ରେସର ମଙ୍ଗ ସେ ପୂର୍ବରୁ ମଧ୍ୟ ଧରିଛନ୍ତି । ଅତଏବ ରାଜ୍ୟରେ ଅସ୍ତମିତ ହୋଇଆସୁଥିବା କଂଗ୍ରେସ ପାଇଁ ସେ ମହୌଷଧି ହୋଇପାରିବେ । କିନ୍ତୁ ଏଆଇସିସି ସଭାପତି ରାହୁଳ ଗାନ୍ଧୀ ରାଜ୍ୟ କଂଗ୍ରେସ ପୁନର୍ଗଠନ କରିବାକୁ ଯାଇ ଯେଭଳି ସବୁ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ତାହା ଦଳୀୟ ମହଲରେ ଗ୍ରହଣୀୟ ହୋଇପାରି ନାହିଁ । ଏହା ଦ୍ୱାରା ନିର୍ବାଚନ ପୂର୍ବରୁ ଦଳ ମଧ୍ୟରେ ପୁନର୍ବାର ଗୋଷ୍ଠୀ କନ୍ଦଳ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି । ନୂଆ କମିଟି ଜରିଆରେ ବିଭିନ୍ନ ଅଞ୍ଚଳର ନେତାଙ୍କୁ ପ୍ରାଧ୍ୟନ ଦେବାକୁ ସଭାପତି ଉଦ୍ୟମ କରିଛନ୍ତି । ଏହାଫଳରେ ଆଞ୍ଚଳିକସ୍ତରରେ ସଂପୃକ୍ତ ଅଞ୍ଚଳର ନେତାଙ୍କ ପ୍ରାଧ୍ୟନ୍ୟ ବୃଦ୍ଧି ପାଇବ ଓ ନିର୍ବାଚନ ସମୟରେ ସେମାନେ ନିଜ ପ୍ରତି ଆନୁଗତ୍ୟ ଥିବା କର୍ମୀଙ୍କ ପାଇଁ ଟିକେଟ ଦାବି କରିବେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଶ୍ୱାସ କରୁଛନ୍ତି । ଫଳରେ ନିରଞ୍ଜନଙ୍କୁ ନିଜ ନିଷ୍ପତ୍ତିରେ ନଯାଇ ସାମୂହିକ ନିଷ୍ପତ୍ତିରେ ଯିବାକୁ ପଡ଼ିବ । ଏହାଦ୍ୱାରା ସଠିକ୍ ପ୍ରାର୍ଥୀ ମନୋନୟନରେ ବିଶୃଙ୍ଖଳା ଉପୁଜିପାରେ । ତେଣେ କିନ୍ତୁ ନିରଞ୍ଜନଙ୍କ ଉତ୍ଥାନ ପରେ ବିଜେପି ଚିନ୍ତିତ ରହିଛି । କଂଗ୍ରେସ ଯଦି ଭୋଟ ହାର ବୃଦ୍ଧି କରିବ ତାହାଲେ ବିଜେପି କ୍ଷତି ସହିବ । ଏହାହେଲେ ରାଜ୍ୟରେ କ୍ଷମତା ଦଖଲ ପାଇଁ ଦୀର୍ଘ ଦିନ ହେଲା ରଣନୀତି ଚଳାଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା କେଉଁଠି ରହିବ ତାହାକୁ ନେଇ ବିଜେପିର ଚିନ୍ତା ବଢ଼ିଛି ।