ହ୍ଵାଟ୍ସଆପ୍ ଚାଟ୍ରେ ଚରସ କିଣିବା ଏବଂ ନେଣଦେଣ କଥା ହେଉଥିଲେ ଆର୍ୟନ, ତଦନ୍ତ ଜରୁରୀ: ଏନସିବି
ମୁମ୍ଵାଇ ୦୪।୧୦: ବଲିଉଡର କିଙ୍ଗ୍ ଖାନ ନାମରେ ପରିଚିତ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ବର୍ତ୍ତମାନ ଏନସିବି ହେପାଜତରେ ଅଛନ୍ତି। ଆର୍ୟନ ହ୍ଵାଟ୍ସଆପ୍ରେ ଅଜଣା ଲୋକଙ୍କ ସହ ଚରସ କିଣିବା ଏବଂ ଟଙ୍କା ନେଣଦେଣ କରୁଥିବା ଜଣା ପଡିଛି। ଏହାର ସନ୍ଧାନ କରାଯାଉଛି ଯେ, ସେ କାହା ସହ କହୁଥିଲେ। କାରଣ ଆର୍ୟନ ହ୍ଵାଟ୍ସଆପ୍ରେ କଥା ହେଉଥିବା ବେଳେ କୋଡ୍ ଓ୍ଵାର୍ଡର ବ୍ୟବହାର କରୁଥିଲେ। ସୋମବାର କେସ୍ର ଶୁଣାଣି ସମୟରେ କୋର୍ଟରେ ଆଡିସିନାଲ ସଲିସିଟର ଜେନେରାଲ ଅନିଲ୍ ସିଂହ କହିଛନ୍ତି, ଏନସିବି ଆର୍ୟନ ଖାନଙ୍କ ଫୋନ ଜବତ କରିଛି। ଏହି ଫୋନରେ ଏମିତି ଅନେକ ସନ୍ଦିଗ୍ଧ ଚାଟ୍ ମିଳିଛି, ଯାହା ଡିଲର୍ସଙ୍କ ସହ ତାଙ୍କର କନେକ୍ସନ ଆଡକୁ ଇସାରା କରୁଛି। କୋର୍ଟ ଆର୍ୟନଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ପଠାଇଛନ୍ତି। ଏହି ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ସାମ୍ନା ସାମ୍ନି ବସାଯାଇ ଜେରା କରାଯିବ।
ଅନିଲ୍ ସିଂହ କହିଛନ୍ତି, ଅଭିଯୁକ୍ତଙ୍କ ମଧ୍ୟରେ ଟଙ୍କା ନେଣଦେଣ ହୋଇଛି। ଡିଲର୍ସ ସହ କଥା ହେବା ସମୟରେ କୋଡ୍ ଓ୍ଵାର୍ଡ ବ୍ୟବହାର କରାଯାଉଥିଲା। ଅନିଲ୍ ସିଂହ କୋର୍ଟରେ ରିୟା ଚକ୍ରବର୍ତ୍ତୀଙ୍କ ଉଦାହରଣ ମଧ୍ୟ ଦେଇଥିଲେ। ଅଦାଲତରରେ ଶୁଣାଣି ସମୟରେ ଅନିଲ୍ ସିଂହ କହିଛନ୍ତି ଯେ, ହ୍ଵାଟ୍ସଆପ୍ ଚାଟ୍ରୁ ଏହି ସ୍ପଷ୍ଟ ଜଣା ପଡୁଛି ଯେ, ଅଭିଯୁକ୍ତଙ୍କ ମଧ୍ୟରେ ସଂପର୍କ ରହିଛି। ଏପରିକି ସେମାନଙ୍କ ମଧ୍ୟରେ ଇଣ୍ଟରନ୍ୟାସନାଲ ଟ୍ରାଞ୍ଜେକ୍ସନ ମଧ୍ୟ ହୋଇଛି। ଏବେ ଏହାର ତଦନ୍ତ ଚାଲିଥିବା ଅନିଲ୍ ସିଂହ କହିଛନ୍ତି।
ଆର୍ୟନଙ୍କ ଓକିଲ ସତୀଶ ମାନସିନ୍ଦେ କୋର୍ଟରେ କହିଛନ୍ତି ଯେ, କେବଳ ମର୍ଚ୍ଚାଣ୍ଟ ପାଖରୁ ୬ ଗ୍ରାମ ଚରସ ମିଳିଛି। ଏହା ବାଦ୍ ଆଉ କାହାରିଠୁ କିଛି ମିଳିନାହିଁ, ଯାହାଙ୍କୁ ଏହି କେସ୍ରେ ଅଭିଯୁକ୍ତ କରାଯାଇଛି। ଏଜେନ୍ସି ଏହି ପୂରା ମାମଲାରେ କେବଳ ହ୍ଵାଟ୍ସଆପ୍ ଚାଟ୍ ଉପରେ ନିର୍ଭର କରି ପାରିବ ନାହିଁ। ଆର୍ୟନ ନିଜ ଓକିଲଙ୍କ ଜରିଆରେ କୋର୍ଟରେ କହିଛନ୍ତି ଯେ, ସେ କ୍ରୁଜରେ ନଥିଲେ। ଏନସିବି ମୋତେ ଏହା ପୂର୍ବରୁ ହିଁ ଗିରଫ କରିଥିଲା। ମୋତେ ସେଠାକୁ ଅତିଥି ଭାବେ ଡକାଯାଇଥିଲା।
ଯାଞ୍ଚରେ ମୋ ବ୍ୟାଗ୍ରୁ କିଛି ମିଳିନାହିଁ
ମାନସିନ୍ଦେଙ୍କ ଜରିଆରେ ଆର୍ୟନ କହିଛନ୍ତି, ମୋ ପାଖରେ ବୋର୍ଡିଂ କାର୍ଡ ଏବଂ ଟିକେଟ୍ ନଥିଲା। ମୋତେ ଜାହାଜରେ ସବୁଠୁ ଭଲ ସୁଟ୍ ଦିଆଯାଇଥିଲା। କାରଣ ବିଶେଷ ଅତିଥି ଭାବେ ମୋତେ ଆମନ୍ତ୍ରିତ କରାଯାଇଥିଲା। ମୋର ଅର୍ଗାନାଇଜର୍ସ ଡିଲର୍ସ ଏବଂ କ୍ରୁଜରେ ଥିବା ଅନ୍ୟ ଲୋକଙ୍କ ସହିତ କୌଣସି ସଂପର୍କ ନାହିଁ। ତଲାସି ସମୟରେ ମୋ ବ୍ୟାଗରୁ କିଛି ମିଳିନଥିଲା। ଏନସିବି ଅଧିକାରୀ ଆସି ମୋତେ ଧରି ନେଲେ ବୋଲି ଆର୍ୟନ କହିଛନ୍ତି।