ହାଇକୋର୍ଟ ବିଚାରପତିଙ୍କୁ ଭେଟିଲା ଅନୁଗୋଳ ଓକିଲ ସଂଘ
ଅନୁଗୋଳ,୩/୮(ସକାଳଖବର): ଆଜି ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସଠାରେ ଅନୁଗୋଳ ଓକିଲ ସଂଘର ଏକ ପ୍ରତିନିଧବଦଳ ସଂଘର ଉପସଭାପତି ମମତା ପଟ୍ଟନାୟକ ଓ ସଂପାଦକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଡ଼କ୍ଟର ଅକ୍ଷୟ କୁମାର ରଥଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ସାଧାରଣଲୋକେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ନୂତନ କୋର୍ଟ କମ୍ପ୍ଲେକ୍ସ ଉଦ୍ଘାଟିତ ହୋଇ ସାରିଥିଲେ ମଧ୍ୟ ଏହି ବହୁତଳ ବିଶିଷ୍ଟ କୋର୍ଟର ଲିଫ୍ଟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନଥିବାରୁ ବୃଦ୍ଧ ଓ ଶାରୀରିକ ଅକ୍ଷମ ବ୍ୟକ୍ତିମାନେ ଅଦାଲତକୁ ଆସିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବାରୁ ଶୀଘ୍ର ଲିଫ୍ଟକୁ କାର୍ଯ୍ୟକ୍ଷମ କରିବାକୁ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଅତିଶୀଘ୍ର ପରିବାରେ ଅଦାଲତ ଓ ଭିଜିଲାନ୍ସ୍ କୋର୍ଟ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିନିଧି ଦଳରେ ଥିବା ଆଇନଜୀବୀମାନେ ବିଚାରପତିଙ୍କଠାାରେ ଦୃଢ଼ଦାବୀ ଜଣାଇଥିଲେ । ଏସବୁ ବିଷୟ ଶୁଣି ମାନ୍ୟବର ନ୍ୟାୟ ମୂର୍ତ୍ତୀ ଡ଼କ୍ଟର ରଥ ଏ ସମସ୍ତ ଦାବୀ ଯଥାର୍ଥ ଥିବାର ଦର୍ଶାଇ ଶୀଘ୍ର ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ । ଏହି ପ୍ରତିନିଧି ଦଳରେ ସଂଘର ବରିଷ୍ଠ ସଭ୍ୟ ବିଧୁଭୂଷଣ ପଟ୍ଟନାୟକ, ମହେନ୍ଦ୍ର କୁମାର ବସ୍ତିଆ, ଗଣେଶ କୁମାର ସାହୁ, ଧୃବଚରଣ ସାହୁ, ପ୍ରମୋଦ କୁମାର ମାଝୀ, ସୁଶିଲ କୁମାର ପ୍ରଧାନ, ଅନୂପ କୁମାର ଗଡ଼ନାୟକ, ବସନ୍ତ କୁମାର ପ୍ରଧାନ, ଲମ୍ବୋଦର ପ୍ରଧାନ, ଅଲେଖ ଦେହୁରୀ, ବୃନ୍ଦାବନ ସାହୁ, ରଜତ କୁମାର ସାହୁ, ବିନୋଦ ବେହେରା, ରାକେଶ କୁମାର ସୋଲାଙ୍କି ଓ ଦୁଷ୍ମନ୍ତ କୁମାର କର ପ୍ରମୁଖ ଆଇନଜୀବୀ ଉପସ୍ଥିତ ଥିଲେ ।