ସିନେ ପ୍ରଯୋଜକ ଅନାମ ସାହୁଙ୍କୁ ମିଳିଲା ଜାମିନ

May 3, 2018 - 14:51
 167
ସିନେ ପ୍ରଯୋଜକ ଅନାମ ସାହୁଙ୍କୁ ମିଳିଲା ଜାମିନ
କଟକ,୩ା୫(ସକାଳଖବର): ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଯୋଜକ ତଥା ଜମି ଠକେଇ ମାମଲାରେ ଗିରଫ ହୋଇଥିବା ଅନାମ ଚରଣ ସାହୁଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ନଗଦ ୧୦ଲକ୍ଷ ଟଙ୍କା ଜମା କରି ୨ଜଣ ଜାମିନଦାରଙ୍କ ବଦଳରେ ଜାମିନରେ ଯାଇପାରିବେ ବୋଲି କୋର୍ଟ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଚିନ୍ମୟ ମହାନ୍ତି ଓ ସରକାରଙ୍କ ପକ୍ଷରୁ ଅନୁପମ ରଥ ମାମଲା ପରିଚାଳନା କରୁଥିଲେ । ଏଠାରେ ସୂଚନାଯୋଗ୍ୟ ଗତ ଡିସେମ୍ବର ମାସ ୨୨ତାରିଖରେ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ଖାରଜ କରିଥିଲେ । ଏହାପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ, ସେଭେନ୍ସ ହିଲ୍ସ ରିଅଲ ଇଷ୍ଟେଟ ପ୍ରାଇଭେଟ ସଂସ୍ଥାର ଜମି କିଣାବିକା ପାଇଁ ଦ୍ୱିତୀୟ କ୍ଷମତାପତ୍ର ହାସଲ କରି ଅନାମ ସଂସ୍ଥାର ପୁରୀ ଜିଲ୍ଲା ପିପିଲି ତହସିଲ ଅଧିନସ୍ଥ ମାଟିପଡା ମୌଜାରେ ଥିବା ୬.୭୧ଏକର ଜମିକୁ ଲିଙ୍ଗରାଜ ଇନଫ୍ରାଷ୍ଟ୍ରକଚରକୁ ଦଲିଲ ମାଧ୍ୟମରେ ମାତ୍ର ୪୭.୯୮ଲକ୍ଷ ଟଙ୍କାରେ ବିକ୍ରୟ କରି ଏହି ଟଙ୍କା ସେଭେନ୍ସ ହିଲ୍ସ ସଂସ୍ଥାକୁ ପ୍ରଦାନ କରିଥିବାବେଳେ ଭିତରିଆ ଭାବେ ୨କୋଟି ୩୪ଲକ୍ଷ ୬୦ହଜାର ଟଙ୍କା ନେଇଥିଲେ । କିନ୍ତୁ ଏହି ଜମି ପୂର୍ବରୁ ବିକ୍ରୟ ହୋଇଥିଲା ।