ଶ୍ରୀମନ୍ଦିର ହୁଣ୍ଡିରୁ ସୁନା ଗାଏବ ମାମଲା

Jul 20, 2018 - 17:03
 203
ଶ୍ରୀମନ୍ଦିର ହୁଣ୍ଡିରୁ ସୁନା ଗାଏବ ମାମଲା
କଟକ,୨୦ା୭(ସକାଳଖବର): ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଥିବା ସୁନା ଅଳଙ୍କାର ଗାଏବକୁ ନେଇ ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲା ଉପରେ ହାଇକୋର୍ଟରେ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏହି ପ୍ରସଙ୍ଗରେ ଘଟଣାକ୍ରମ କଣ ରହିଥିଲା ଓ କେବେ ହୁଣ୍ଡି ଖୋଲାଯାଇଥିଲା ସେ ସଂପର୍କରେ ୧୦ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।ଏହି ମାମଲାରେ ଆବେଦନକାରୀ ଦର୍ଶାଇଛନ୍ତି ଯେ ୧୯୮୩, ଅକ୍ଟୋବର ମାସରୁ ୨୦୧୮, ଜାନୁୟାରୀ ମାସ ମଧ୍ୟରେ ଦାନ ବାକ୍ସ(ହୁଣ୍ଡି)ରୁ ୧୮.୨୬୧କିଗ୍ରା ସୁନା ଅଳଙ୍କାର ମିଳିଥିଲା । ନିୟମ ଅନୁସାରେ ଏହି ସୁନାକୁ ରତ୍ନ ଭଣ୍ଡାରରେ ରଖିବା ପାଇଁ ବ୍ୟବସ୍ଥା ଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ନାଜିର ଖାନାରେ ରଖାଯାଇଥିଲା । ମିଳିଥିବା ସୁନା ମଧ୍ୟରୁ ୧୪.୫୬୦କିଗ୍ରା ସୁନା ଅଳଙ୍କାର ଜୁନ ମାସ ୭ତାରିଖରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଲକରରେ ବେଆଇନ ଭାବେ ରଖାଯାଇଥିଲା । ତେବେ ଏହା ହେଉଛି ଫୌଜଦାରୀ ବିଶ୍ୱାସଭଙ୍ଗ ଓ ଫୌଜଦାରୀ ବେଆଚରଣ ବୋଲି ଆବେଦନପତ୍ରରେ ଦର୍ଶାଯାଇଛି ।