ସିଟି ହସ୍ପିଟାଲରେ ଆଇସିୟୁ ବ୍ୟବସ୍ଥା ଖୁବଶୀଘ୍ର

May 24, 2018 - 15:01
 174
କଟକ, ୨୪ା୫/(ସକାଳଖବର): କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ସିଟି ହସ୍ପିଟାଲ)ରେ ଖୁବଶୀଘ୍ର ଆଇସିୟୁ ବ୍ୟବସ୍ଥା ଆରମ୍ଭ ହେବ । ଏନେଇ ରାସ୍ତା ଓ କୋଠାବାଡି ବିଭାଗ ତରଫରୁ ଭିତ୍ତିିଭୂମିି ଅନୁଧ୍ୟାନ କରାଯାଇ ମେଡିକାଲ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଛି । ଆସନ୍ତା ୧ ସପ୍ତାହ ମଧ୍ୟରେ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ଆଇସିୟୁରେ ଅନ୍ୟୁନ ୪ଟି ବେଡ୍ ବ୍ୟବସ୍ଥା ହେବ ବୋଲି ହସ୍ପିଟାଲର ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ. ତପନ ମିତ୍ର କହିଛନ୍ତି । ସିଟି ହସ୍ପିଟାଲକୁ ଦୈନିକ ଗୁରୁତର ରୋଗୀ ଆସିଥାନ୍ତି । ପୁନଶ୍ଚ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହେଲେ ଆଇସିୟୁ ଦରକାର ପଡିଥାଏ । କିନ୍ତୁ ଏଠାରେ ଚିକିତ୍ସିତ ଶଲ୍ୟ, ପ୍ରସୂତି ଓ ଭେଷଜ ବିଭାଗର ରୋଗୀଙ୍କ ନିମନ୍ତେ ଆଇସିୟୁ ବ୍ୟବସ୍ଥା ନଥିବାରୁ ସେମାନଙ୍କୁ ବଡ ମେଡିକାଲକୁ ପଠାଇ ଦିଆଯାଏ । ଏନେଇ ରୋଗୀ କଲ୍ୟାଣ ସମିତିରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ହସ୍ପିଟାଲରେ ଆଇସିୟୁ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିଲା । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ ସିଟି ହସ୍ପିଟାଲରେ ଏକ ଆଇସିୟୁ ବ୍ୟବସ୍ଥାପାଇଁ ଅନୁମୋଦନ କରିଥିଲେ । ପରେ ରାସ୍ତା ଓ କୋଠାବାଡି ବିଭାଗର ଅଧିକାରୀମାନେ ହସ୍ପିଟାଲଯାଇ ଭିତ୍ତିଭୂମି ଯାଞ୍ଚ କରିଥିଲେ । ଏନେଇ ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ ଦାଖଲ ହୋଇସାରିଛି । ପରେ ଜିଲ୍ଲାପାଳ ଖୁବଶୀଘ୍ର କୋଠା ନିର୍ମାଣ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ହସ୍ପିଟାଲରେ ଜାଗା ଅଭାବ ଥିବାରୁ ବହୁତଳ ପ୍ରାସାଦ ନିର୍ମାଣ କରାଯିବ । ଏହି କୋଠାରେ ଜେରିଏଟିକ ବିଭାଗ ସମେତ ଆଇସିୟୁ ବ୍ୟବସ୍ଥା ରହିବ ବୋଲି ନିଷ୍ପତ୍ତି ହୋଇଛି । ଏହି ଆଇସିୟୁରେ ପ୍ରଥମତଃ ହୃଦ୍ରୋଗ, ଡାଇବେଟିସ, କର୍କଟ, ଘାତ ଆଦି ଅସଂକ୍ରମିତ ରୋଗୀମାନେ ଚିକିତ୍ସା ସୁବିଧା ପାଇବେ । ମ୍ୟାଲେରିଆ, କାଶ, ଏଚଆଇଭି, ଝାଡାବାନ୍ତି ଆଦି ସଂକ୍ରମିତ ରୋଗୀଙ୍କୁ ମଧ୍ୟ ଆଇସିୟୁ ଚିକିତ୍ସା ମିଳିପାରିବବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।