ସିଟି ହସ୍ପିଟାଲ: ସମସ୍ତ ଏସି ଅଚଳ, ରୋଗୀ ହନ୍ତସନ୍ତ
କଟକ, ୨୧ା୫/(ସକାଳଖବର): ହସ୍ପିଟାଲର ବିଭିନ୍ନ ବିଭାଗ ୱାର୍ଡଗୁଡିକରେ ନାମୀଦାମୀ କମ୍ପାନୀର ଏସି ସଂଯୋଗ କରାଯାଇଛି, କିନ୍ତୁ ମୁଖ୍ୟ ସ୍ୱିଚ୍ ହଠାତ୍ ଖରାପ ହୋଇପଡିବାରୁ ତାହା ଚଳନକ୍ଷମ ହୋଇପାରୁନାହିଁ । ଫଳରେ ରୋଗୀମାନେ ପ୍ରବଳ ଗ୍ରୀଷ୍ମରେ ଦହଗଞ୍ଜ ହେଉଛନ୍ତି । ପୁନଶ୍ଚ ବିଭିନ୍ନ ୱାର୍ଡର ଶୌଚାଳୟରେ ଜଳ ଯୋଗାଣ କରାଯାଉନାହିଁ । ବିଭିନ୍ନ ବିଭାଗର ଡାକ୍ତର ଠିକ୍ଭାବେ ହସ୍ପିଟାଲକୁ ଆସୁନଥିବା ଅଭିଯୋଗ ହେଉଛି । ଏନେଇ ରୋଗୀ ସମ୍ପର୍କୀୟମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣିବାକୁ ନାରାଜ । ଏହିପରି ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଖୋଦ୍ କଟକ ସିଟି ହସ୍ପିଟାଲରେ ଦେଖିବାକୁ ମିଳିଛି । ଏନେଇ ରୋଗୀ ତଥା ସମ୍ପର୍କୀୟଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଟି ସାଧାରଣରେ ସିଟି ହସ୍ପିଟାଲଭାବେ ପରିଚିତ । କଟକରେ ବଡ ମେଡିକାଲ ରହିଥିଲେ ମଧ୍ୟ ସେଠାରେ ଭିଡ ହେଉଥିବାରୁ ଏହି ହସ୍ପିଟାଲଟି ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଏଠାକୁ ଦୈନିକ ଶହଶହ ରୋଗୀ ଆସିଥାନ୍ତି । ଖରାଦିନେ ଏସିର ଆବଶ୍ୟକତା ରହିଛି । ତେଣୁ ସରକାରଙ୍କ ତରଫରୁ ଇନ୍ଡୋର ରୋଗୀଙ୍କ ନିମନ୍ତେ ସର୍ଜରୀ, ଭେଷଜ, ପ୍ରସୂତି ଆଦି ବିଭାଗର ବିଭିନ୍ନ ୱାର୍ଡରେ ୨ରୁ ୩ଟି ଲେଖାଏଁ ଏସି ସଂଯୋଗ କରାଯାଇଛି । ଆଶ୍ଚର୍ଯ୍ୟର କଥା, ୱାର୍ଡର ଏସିଗୁଡିକ ଠିକ୍ଥିଲେ ମଧ୍ୟ ମୁଖ୍ୟ ସ୍ୱିଚ୍ ଖରାପ ହୋଇଥିବାରୁ ଏସିଗୁଡିକ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଫଳରେ ପ୍ରବଳ ଗୁଳୁଗୁଳିଯୋଗୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଏହିପରି ଅବସ୍ଥା ପ୍ରତ୍ୟେକ ବିଭାଗରେ ଦେଖିବାକୁ ମିଳିଛି । ଏସି ଚାଲୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀମାନେ । ଟାଇଫଏଡ ଜ୍ୱରରେ ପୀଡିତା ରୋଗୀ ଲିଲି ଲେଙ୍କା କହିଛନ୍ତି ଯେ, ଗତ ସୋମବାରଠାରୁ ଏସି କାର୍ଯ୍ୟକ୍ଷମ ନଥିଲା । ପରେ ରୋଗୀ ସମ୍ପର୍କୀୟମାନେ ଅଭିଯୋଗ କରିବାରୁ ଚାଲୁ କରାଯାଇଥିଲା । କିନ୍ତୁ ଆଜି ସକାଳ ସାଢେ ୫ଟାରୁ ଏସି ବନ୍ଦ ରହିଛି । ଏପରିସ୍ଥଳେ ରୁମର ଝରକାଗୁଡିକ ବନ୍ଦ ରହିଥିବାରୁ ପବନ ଚଳାଚଳ ହୋଇପାରୁନାହିଁ । ଫଳରେ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ରୋଗୀଙ୍କୁ ଅସହ୍ୟ ହେଉଛି । ବଡମ୍ବା ଅଞ୍ଚଳରୁ ଆସି ଚିକିତ୍ସିତ ହେଉଥିବା ଅଂଶୁଘାତ ରୋଗୀ ବୃନ୍ଦାବନ ସ୍ୱାଇଁ କହନ୍ତି, ୨ଦିନ ତଳେ ଏସି ଚାଲୁକରାଯାଇଥିଲା । କିନ୍ତୁ ଗତକାଲି ରାତିରୁ ଏସି ବନ୍ଦ । ତାହା ଚାଲୁ କରାଯିବାକୁ ମେଡିକାଲ କର୍ମଚାରୀଙ୍କୁ କହିଲେ କେହି ଶୁଣୁନାହାନ୍ତି । ସର୍ଜରୀ ବିଭାଗରେ ଚିକିତ୍ସିତ ରୋଗୀ ସୁନାମଣୀ ଦାସ କହିଛନ୍ତି ଯେ, ପିଠିରେ ହୋଇଥିବା ବଥର ଅସ୍ତ୍ରୋପଚାରପାଇଁ ଏଠାକୁ ଆସିଛି । କିନ୍ତୁ ଦରଜ ହେଉଥିବାବେଳେ ଏସି ଖରାପ ଯୋଗୁ ଗୁଳୁଗୁଳିରେ ରହିବା କଷ୍ଟକର ହୋଇପଡୁଛି । ଯଦି ଏସି ଖରାପ ଥାଆନ୍ତା, ତେବେ ଅଲଗା କଥା । କିନ୍ତୁ ସବୁ ଠିକ୍ ଥାଇ ମଧ୍ୟ ଚଳନକ୍ଷମ କରାନଯିବା ଦୁଃଖର ବିଷୟ । ଏସି ଚାଲୁ କରିବା ନିମନ୍ତେ ମେଡିକାଲ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସେ ଦାୟିତ୍ୱରେ ଅବହେଳା କରୁଛନ୍ତି । ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ତପନ ମିତ୍ରଙ୍କୁ ପଚାରିବାରେ କହିଛନ୍ତି ଯେ, ଘଟଣା ସମ୍ପର୍କରେ ଅବଗତ ଅଛି । ମେଡିକାଲରେ ସଂଯୋଗ ହୋଇଥିବା ସମସ୍ତ ଏସିର ତଦାରଖ କରିବା ଦାୟିତ୍ୱ ହସ୍ପିଟାଲ ମ୍ୟାନେଜରଙ୍କର । ସମସ୍ତ ଏସି ଚାଲୁ କରିବାକୁ ଥିବା ମୁଖ୍ୟ ସ୍ୱିଚ୍ ପୋଡିଯାଇଥିବା ମ୍ୟାନେଜରଙ୍କଠାରୁ ଜାଣିବାକୁ ପାଇଛି । ଆଜି ମେକାନିକକୁ ଡକାଯାଇଥିଲେ ମଧ୍ୟ ଆସିନାହାନ୍ତି । ଆସନ୍ତାକାଲି ମେକାନିକ ଡକାଯାଇ ତାହା ମରାମତି କରାଯିବ । ରୋଗୀଙ୍କ ନିମନ୍ତେ ଆମେ ସଚେତନ ରହିଛୁବୋଲି ଡାକ୍ତର ମିତ୍ର କହିଥିଲେ ।