ସରକାରଙ୍କ ବିରୋଧରେ ଗର୍ଜିଲେ ଦାମ

Jan 5, 2019 - 18:28
 226
ସରକାରଙ୍କ ବିରୋଧରେ ଗର୍ଜିଲେ ଦାମ
ଅନୁଗୋଳ, ୫/୧(ସକାଳଖବର): ଓଡ଼ିଶା ସୂଚନା ଅଧିକାର ଅଭିଯାନ ଅନୁଗୋଳ ପକ୍ଷରୁ ଷ୍ଟାଡ଼ିୟମ ନିକଟରେ ଆଜି ଅପରାହ୍ନ ୫ ଘଟିକା ବେଳେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ସାମାଜିକ କର୍ମୀ ପ୍ରିୟବ୍ରତ ଗଡ଼ନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦମୋଦର ରାଉତ ଓ ସମ୍ମାନୀତ ଅତିଥି ଭାବେ ଓଡ଼ିଶା ସୂଚନା ଲୋକ ସଂପର୍କ ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ସଭାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ରାଉତ ରାଜ୍ୟ ସରକାରଙ୍କର ଦୁର୍ନିତି ଭ୍ରଷ୍ଟାଚାର, ଅନ୍ୟାୟ ଅନିତି ସଂପର୍କରେ ପ୍ରବଳ ଗର୍ଜିଥିଲେ ଏବଂ ତାଙ୍କ ଅଭିଭାଷଣରେ କହିଲେ ଯେ ରାଜ୍ୟରେ ଏକ ଭ୍ରଷ୍ଟାଚାର ଶାସନ ଚାଲିଛି । ଆଉ ଜଣେ ଅଣଓଡ଼ିଆ ଅଫିସର କାର୍ତ୍ତିକ ପାଣ୍ଡିଆନଙ୍କ ଇଙ୍ଗିତରେ ଓଡ଼ିଶା ସରକାର ପରିଚାଳିତ ହେଉଛି । ଆଉ ମନ୍ତ୍ରୀ ବିଧାୟକ ସମସ୍ତେ ଏହି ଅଫିସରଙ୍କର ଆଜ୍ଞାଧୀନ ହୋଇପଡ଼ିଛନ୍ତି । ଯଦ୍ୱାରା ରାଜ୍ୟରେ ଖଣି, ଡ଼ାଲି, ପାଣି, ବିଜୁଳି, ସବୁ ଶିଳ୍ପ ଆଦି କ୍ଷେତ୍ରରେ କୋଟି କୋଟି ଟଙ୍କାର ଦୁର୍ନିତି ହେଉଥିଲେ ମଧ୍ୟ ସରକାର ସବୁ ଘଟଣାକୁ ଚାପି ଦେଉଛନ୍ତି । ଆଉ ଦୁର୍ନିତି ବିରୁଦ୍ଧରେ ଯିଏ ମୁହଁ ଖୋଲିବ ସେ ଶତ୍ରୁ ପାଲଟିଯିବ । ଯେଉଁ ରାଜ୍ୟରେ ଚାଷୀ ମାନଙ୍କୁ ଆତ୍ମହତ୍ୟା କରିବାକୁ ପଡେ଼, ଯେଉଁ ରାଜ୍ୟରେ ନୀରିହ ନାବାଳିକା ମାନଙ୍କୁ ଧର୍ଷଣ କରି ହତ୍ୟା କରାଯାଏ ସେହି ରାଜ୍ୟର ମୁଖିଆ କେତେ ସ୍ୱଚ୍ଛ ଓ ନିର୍ମଳ ଶାସନ ଦେଉଛନ୍ତି ତାହା ଜନସାଧାରଣ ନିର୍ଣ୍ଣୟ କରିବାର ବେଳ ଆସିଯାଇଛି । ଏଣୁ ଏହି ସରକାରକୁ ତୁରନ୍ତ ହଟାଇବାକୁ ଶ୍ରୀ ରାଉତ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ । ସେହିଭଳି ବରିଷ୍ଠ ସାମ୍ବାଦିକ ରବି ଦାସ ଓ ସୂଚନା ଅଧିକାର ଅଭିଯାନର ଅବାହକ ପ୍ରଦୀପ ପ୍ରଧାନ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ କୋଟି କୋଟି ଟଙ୍କାର ହୋଇଥିବା ଦୁର୍ନିତି ସଂପର୍କରେ ତଥ୍ୟ ପ୍ରଦାନ କରିଥିବାବେଳେ କିଛି ଦୁର୍ନିତିଗ୍ରସ୍ଥ ଅଫିସରଙ୍କ ଦୁର୍ନିତିର ମୁଖା ଖୋଲିଦେଇଥିଲେ ଏବଂ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ କିଭଳି ଡ଼ାଲି ପାଣି ଖଣି ଚିଟଫଣ୍ଡ ଭଳି ବଡ଼ ବଡ଼ କେଳେଙ୍କାରୀକୁ ନେଇ ଦୃଢ଼ ଭାବେ ନିନ୍ଦା କରିଥିଲେ ଏବଂ ସରକାର ପରିବର୍ତ୍ତନ କରିବା ପାଇଁ ଆହ୍ୱାନ କରିଥିଲେ । ଏହି ସଭାରେ ସ୍ଥାନୀୟ ଜନସାଧାରଣ ଯୋଗ ଦାନ କରିଥିବାବେଳେ ସଭା ନିକଟସ୍ଥ ଷ୍ଟ୍ରିଟ ଲାଇଟକୁ କାଟି ଦିଆଯାଇଥିବା ନେଇ ସହରରେ ଚର୍ଚ୍ଚା ହେଉଛି ।