ବିଜେଡିର ୧୯ ବର୍ଷ ଶାସନ ପରେ ବି ସୁଧୁରିନି ମହିଳା ଏସଏଚଜିଙ୍କ ସ୍ଥିତି : ଅପରାଜିତା

Jan 5, 2019 - 18:21
 170
ବିଜେଡିର ୧୯ ବର୍ଷ ଶାସନ ପରେ ବି ସୁଧୁରିନି ମହିଳା ଏସଏଚଜିଙ୍କ ସ୍ଥିତି : ଅପରାଜିତା
ଭୁବନେଶ୍ୱର,୫/୧(ସକାଳଖବର):୧୯ ବର୍ଷର ଲଗାତର ଶାସନ ଦାୟିତ୍ୱରେ ରହିଥିବା ଶାସକ ବିଜେଡି ଏସଏଚଜି ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ବିକଳ୍ପ ବାହାର କରିପାରିଲା ନାହିଁ । କେବଳ ସିଡ୍ ମନି ତାହା ପୁଣି ନିର୍ବାଚନ ର ଅବ୍ୟବହିତ ପୂର୍ବରୁ ହିଁ ପ୍ରଦାନ କରାଯାଇଛି । ତାହା ପଛରେ ନିର୍ବାଚନର ଗନ୍ଧ ବାହାରୁଛି ବୋଲି କହିଛନ୍ତି ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ । ବିଜେଡିର ମିଶନ ଶକ୍ତି କାର୍ଯ୍ୟକ୍ରମ ଉପରେ ସୂଚନା ଦେଇ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ ନାବାର୍ଡର ତଥ୍ୟ ସ୍ପଷ୍ଟ କରୁଛି ବାର୍ଷିକ ହାରାହାରି ୭୨ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠି ବ୍ୟାଙ୍କ୍ ଋଣ ପାଉଛନ୍ତି । ଯଦି ୬ ଲକ୍ଷ ଗୋଷ୍ଠି ଅଛି ଏବଂ ଏଥିରୁ ମାତ୍ର ୭୨ ହଜାର ବ୍ୟାଙ୍କ ଋଣ ପାଉଛନ୍ତି ତାହାହେଲେ ଏହା ସ୍ପଷ୍ଟ କରୁଛି କ୍ଷୁଦ୍ର ଉଦ୍ୟୋଗ ଓ ବ୍ୟାଙ୍କ ସହାୟତାରେ କାର୍ଯ୍ୟକ୍ରମ ବହୁତ କମ । ମହିଳା ଶିଶୁ ବିକାଶ ବିଭାଗର ୧୫-୧୦-୨୦୧୮ ତାରିଖରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ସିଡ୍ ମନି ପ୍ରଦାନ ପାଇଁ ନିଦେ୍ର୍ଧଶ ପ୍ରଦାନ କରିଛି । ମାତ୍ର କାହିଁକି ଜାନୁଆରୀ ମାସ ପର୍ଯ୍ୟନ୍ତ ସରକାର ଅପେକ୍ଷା କଲେ ? ସିଡ୍ ମନି ଓ ଭୋଟ ବ୍ୟାଙ୍କ ରାଜନୀତି ସମ୍ପର୍କ ଏହା ଦ୍ୱାରା ସ୍ପଷ୍ଟ ହେଉ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି । କେହି ବି ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ନେଇ ଗୋଲାପୀ ଚିତ୍ର ଦେଉଛନ୍ତି ସେମାନେ ଆସନ୍ତୁ ତାଙ୍କ ସହିତ ଭିନ୍ନଭିନ୍ନ ଅଂଚଳ ବୁଲି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ସହ ଆଲୋଚନା କରିବା ପାଇଁ । କ୍ଷୁଦ୍ର ଉଦ୍ୟୋଗର ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ଉଦ୍ୟମ ନିରୁତ୍ସାହଜନକ ଏବଂ ଏହି ଗୋଷ୍ଠି ମାନଙ୍କୁ ମାର୍ଗଦର୍ଶନ ଓ ଉଚିତ ପରାମର୍ଶ ଦେବାରେ ବିଫଳତା ର ଚିତ୍ର ସ୍ପଷ୍ଟ ହୋଇଯିବ । ଶ୍ରୀମତୀ ଷଡଙ୍ଗୀ ଆହୁରି କହିଛନ୍ତି ୨୦୧୩-୧୪ ବର୍ଷରେ ରାଜ୍ୟରେ ୫.୨୩ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଥିଲେ ଏବେ ଏପ୍ରିଲ ୨୦୧୭ ସୁଦ୍ଧା ଆଉ ୩ ଲକ୍ଷ ବୃଦ୍ଧି ଘଟିଥିବା ଦାବି କରାଯାଉଛି । ଉଭୟକୁ ମିଶାଇଲେ ଏହା ୮.୨୩ ଲକ୍ଷରେ ପହଁଚିବା କଥା । ମାତ୍ର ସରକାରୀ ତଥ୍ୟ କହୁଛି ଏହି ସଂଖ୍ୟା ଆଜି ଦିନରେ ୬ ଲକ୍ଷ ରହିଛି । ୨.୨୩ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠି କୁଆଡେ ଉଭାନ୍ ହୋଇଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।